ବାରମ୍ବାର ବିଭ୍ରାଟ ମହଙ୍ଗା ପଡ଼ିଲା, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉପରେ କଟକଣା

ନୂଆ କ୍ରେଡିଟ୍ କାର୍ଡ, ଡିଜିଟାଲ୍ ସେବା ଆରମ୍ଭ କରିପାରିବନି, ଗ୍ରାହକଙ୍କୁ କ୍ଷମା ମାଗିଲେ ସିଇଓ

ମୁମ୍ବାଇ: ଦେଶର ଅନ୍ୟତମ ବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି କଟକଣା ଲଗାଇବା ସମସ୍ତଙ୍କୁ ଚକିତ କରିଛି। ବିଗତ ତିନି ବର୍ଷରେ ବ୍ୟାଙ୍କର ଡିଜିଟାଲ୍ ସେବା ତିନି ଥର ବ୍ୟାହତ ହେବା ବିଷୟ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ନୂଆ ଡିଜିଟାଲ୍ ସେବା ଆରମ୍ଭ କରିପାରିବ ନାହିଁ ଓ ନୂଆ କ୍ରେଡିଟ୍‌ କାର୍ଡ ଜାରି କରିପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ସେବାରେ କାହିଁକି ବିଭ୍ରାଟ ହେଉଛି, ତାହାର କାରଣ ଖୋଜିବା ଏବଂ ଦାୟିତ୍ବବୋଧ ନ୍ୟସ୍ତ କରିବା ଲାଗି ବ୍ୟାଙ୍କର ବୋର୍ଡକୁ କୁହାଯାଇଛି। ୨୦୧୮, ୨୦୧୯ ଓ ୨୦୨୦ରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସେବାରେ ବିଭ୍ରାଟ ଦେଖାଦେଇଛି। ୨୦୧୮ ନଭେମ୍ବରରେ ବ୍ୟାଙ୍କ ପକ୍ଷରୁ ମୋବାଇଲ୍ ବ୍ୟାଙ୍କିଙ୍ଗ୍‌ ସେବା ଆରମ୍ଭ କରାଯାଇଥିଲା। ସେଥିରେ ଲଗ୍‌ ଇନ୍ କରିବାକୁ ଗ୍ରାହକମାନେ ଅସୁବିଧା ସାମ୍ନା କରିଥିଲେ। ତେଣୁ ବାଧ୍ୟ ହୋଇ ସେହି ଆପ୍‌କୁ ବ୍ୟାଙ୍କ ପ୍ରତ୍ୟାହାର କରି ପୁରୁଣା ଆପ୍‌କୁ ଚାଲୁ କରିଥିଲା।

୨୦୧୯ ଡିସେମ୍ବରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ୍‌ ଓ ମୋବାଇଲ୍‌ ବ୍ୟାଙ୍କିଙ୍ଗ ଦୁଇ ଦିନ ପାଇଁ ବ୍ୟାହତ ହୋଇଥିଲା। ଏହା ଜଣାପଡ଼ିବା ପରେ ପ୍ରକୃତ କାରଣ କ’ଣ ତାହା ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଏକ ଟିମ୍ ପଠାଇଥିଲା। ଚଳିତ ବର୍ଷ ନଭେମ୍ବର ୨୧ରେ କଂପାନିର ଡାଟା ସେଣ୍ଟର୍‌ରେ ବିଦ୍ୟୁତ ବିଭ୍ରାଟ ଦେଖାଦେବାରୁ ବ୍ୟାଙ୍କର ନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ପେମେଣ୍ଟ୍‌ ସିଷ୍ଟମ ଅଚଳ ହୋଇପଡ଼ିଥିଲା। ବିଭିନ୍ନ ପ୍ରକାର ସେବାକୁ ନେଇ ବ୍ୟାଙ୍କ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛି ସେଥିରେ ରିଜର୍ଭ ବ୍ୟାଙ୍କ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ ଏହି କଟକଣା ରହିବ। ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଆପ୍‌ ବ୍ୟବହାର କରିବାରେ ମଧ୍ୟ ଗ୍ରାହକମାନେ ଅସୁବିଧା‌ ସାମ୍ନା କରିଥିଲେ। ବ୍ୟାଙ୍କର ସିଷ୍ଟମ୍ ଅଚଳ ରହିବା ଯୋଗୁଁ ୟୋନୋକୁ ବ୍ୟବହାର କରିବାରେ ସମସ୍ୟା ଦେଖାଦେଇଥିଲା। ସୋସିଆଲ ମିଡିଆରେ ଏହାକୁ ନେଇ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଗ୍ରାହକଙ୍କୁ କ୍ଷମା ମାଗିଲେ ସିଇଓ
ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଲଗାଯିବା ପରେ ଗ୍ରାହକମାନଙ୍କୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସିଇଓ ଶଶିଧର ଜଗଦ୍ଦିଶନ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ସମସ୍ୟାର ସମାଧାନ ଲାଗି ଆମେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛୁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଠାରୁ ଉଚ୍ଚ ମାନର ସେବା ଓ ଅନୁଭୂତି ପାଇବାକୁ ଗ୍ରାହକମାନେ ସର୍ବଦା ଆଶା କରନ୍ତି। କିନ୍ତୁ କେତେକ କ୍ଷେତ୍ରରେ ଆମେ ସେମାନଙ୍କ ସେହି ଆଶାର ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିନାହୁଁ। ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ୨୦୧୮ ନଭେମ୍ବର ଓ ୨୦୧୯ ଡିସେମ୍ବରରେ ବିଭ୍ରାଟ ଦେଖାଦେଇଥିଲା। ଏହା ପରେ ଆମର ଆଇଟି ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆମେ ବାହାର ବିଶେଷଜ୍ଞଙ୍କ ସହାୟତା ନେଇଥିଲୁ ଏବଂ ‌ତାଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରୁଥିଲୁ। ସେହି ଭିତରେ ହଠାତ୍‌ ଚଳିତ ବର୍ଷ ନଭେମ୍ବର ୨୧ରେ ଆଉ ଏକ ବିଭ୍ରାଟ ଦେଖାଦେଇଥିଲା ଯାହାର କାରଣ ହେଉଛି ଡାଟା ସେଣ୍ଟର୍‌ରେ ବିଦ୍ୟୁତ ବିଭ୍ରାଟ । ଯେଉଁ ସବୁ ସ୍ଥାନରେ ଉନ୍ନତିର ଆବଶ୍ୟକତା ରହିଛି ସେଥିପାଇଁ ଆମେ ବିଶେଷଜ୍ଞ ଓ ନିୟାମକ ସଂସ୍ଥା ସହ ମିଶି କାର୍ଯ୍ୟ କରିବୁ। ଆମର ସମସ୍ତ ଡିଜିଟାଲ୍ ଚ୍ୟାନେଲ୍‌ର ଅନୁଭୂତିକୁ ସହଜ କରିବା ଲାଗି ଆମେ କୌଣସି ପ୍ରୟାସ ଛାଡ଼ିବୁ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର