ଚୋରାଚାଲାଣ ୨୦୨୧-୨୨’ ରିପୋର୍ଟ: ମିଆଁମାର ଦେଇ ଆସୁଛି ଚୋରା ସୁନା

ଡ୍ରଗ୍‌ସ ମାଫିଆଙ୍କୁ ବାନ୍ଧ: ନିର୍ମଳା

ନୂଆଦିଲ୍ଲୀ: ଭାରତକୁ ଚୋରାଚାଲାଣ କରାଯାଉଥିବା ସୁନାର ସିଂହ ଭାଗ ମିଆଁମାର ଓ ବାଲାଂଦେଶ ଦେଇ ଆସୁଛି। ଏହି ଦୁଇ ଦେଶ ଜରିଆରେ ପ୍ରାୟ ୭୩ ପ୍ରତିଶତ ଚୋରା ସୁନା ଭାରତରେ ପ୍ରବେଶ କରିଛି। ସର୍ବାଧିକ ଚୋରା ସୁନା ମିଆଁମାର ‌ବାଟ ଦେଇ ଆସିଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାରି କରିଥିଲା ‘ଭାରତରେ ଚୋରାଚାଲାଣ ୨୦୨୧-୨୨’ ରିପୋର୍ଟରୁ ଏହା ଜଣାପଡ଼ିଛି। ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍‌ଆଇ)ର ୬୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି ରିପୋର୍ଟକୁ ଜାରି କରାଯାଇଛି।

ରିପୋର୍ଟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଡିଆର୍‌ଆଇ ୮୩୩.୦୭ କେଜି ସୁନା ଜବତ କରିଛି, ଯାହାର ମୂଲ୍ୟ ହେଉଛି ୪୦୫ କୋଟି ଟଙ୍କା। ସେଥିରୁ ୩୭ ପ୍ରତିଶତ ସୁନା ମିଆଁମାର ଓ ୨୦ ପ୍ରତିଶତ ପଶ୍ଚିମ ଏସୀୟ ଦେଶରୁ ଆସିଥିଲା। ୨୦୨୦-୨୧ରେ ୧୧୯୯.୪ କୋଟି ଟଙ୍କା ମୂଲ୍ୟର ସୁନା ମିଆଁମାର ବାଟ ଦେଇ ଚୋରାଚାଲାଣ ହୋଇ ଭାରତ ଆସୁଥିବା ବେଳେ ଧରାପଡ଼ିଥିଲା। ପୂର୍ବରୁ ପଶ୍ଚିମ ଏସୀୟ ଦେଶଗୁଡ଼ିକ ଜରିଆରେ ଭାରତକୁ ସୁନା ଚୋରାଚାଲାଣ କରାଯାଉଥିଲା। ମାତ୍ର ବିମାନବନ୍ଦର ଓ ଅନ୍ୟାନ୍ୟ ସୀମାଗୁଡ଼ିକରେ ନିରୀକ୍ଷଣ ବ୍ୟବସ୍ଥା କଡ଼ାକଡ଼ି କରାଯିବା ପରେ ଚୋରାଚାଲାଣକାରୀମାନେ ସେମାନଙ୍କ ରଣନୀତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ଆକାଶ ମାର୍ଗ ବଦଳରେ ଭୂପୃଷ୍ଠ ପଥରେ ଦେଇ ସୁନା ଚୋରାଚାଲାଣ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ଭାରତ ସହିତ ମିଆଁମାର, ବାଲାଂଦେଶ, ଭୁଟାନ, ନେପାଳ ଓ ଚୀନ୍‌ର ଭୂଖଣ୍ଡ ଯୋଡ଼ି ହୋଇରହିଛି।

ଏହି ପାଞ୍ଚଟି ଦେଶକୁ ସୁନା ଚୋରାଚାଲାଣକାରୀମାନେ ଟାର୍ଗେଟ୍‌ କରୁଛନ୍ତି। ମିଆଁମାରରୁ ଆସୁଥିବା ଚୋରା ସୁନା ମଣିପୁର ଓ ମିଜୋରାମରେ ପହଞ୍ଚୁଥିଲା। ଡିଆର୍‌ଆଇ ପକ୍ଷରୁ ୨୧.୩୭ ପ୍ରତିଶତ ସୁନାକୁ ଗାଡ଼ିରେ ଚାଲାଣ କରାଯାଉଥିବା ବେଳେ ଜବତ କରାଯାଇଥିଲା। ଏହା ବ୍ୟତୀତ କୋରିୟର, ପୋଷାକ, ମଣିଷ ଶରୀର, ତେଲ ଟାଙ୍କି, ଡ୍ୟାସ୍‌ବୋର୍ଡ, ଏସି ଫିଲ୍‌ଟର, ସିଟ୍‌, ଚକର ଅଖ, ଚେଚିସ୍ ଓ ସ୍ପେୟାର ପାର୍ଟସ୍‌ ଆଦି ମାଧ୍ୟମରେ ସୁନା ଚୋରାଚାଲାଣ କରାଯାଉଥିବା ବେଳେ ଧରାପଡ଼ିଥିଲା।

୨୦୨୧-୨୨ରେ ଜବତ ହୋଇଥିବା କୋକେନ୍, ମେଥାମଫେଟାମାଇନ୍ ଓ ‌ହେରୋଇନ ପରିମାଣରେ ବଡ଼ ଧରଣର ବୃଦ୍ଧି ହୋଇଛି। ୩୧୦.୨୧ କେଜି କୋକେନ ଜବତ ହୋଇଥିବା ବେଳେ ୮୮୪.୬୯ କେଜି ମେଥାମଫେଟାମାଇନ୍‌ ଓ ୩୪୧୦ କେଜି ହେରୋଇନ ଜବତ ହୋଇଛି। ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତରପ୍ରଦେଶ, ଆସାମ ଓ ମହାରାଷ୍ଟ୍ରରେ ଅଧିକ ଗଞ୍ଜେଇ ଜବତ ହୋଇଛି। ଡିଆର୍‌ଆଇ ପକ୍ଷରୁ ୨୦୨୧-୨୨ରେ ୧୩୧ ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର