ଦୁଇ ଦିନ ସମୂହ ଛୁଟିରେ ଯିବେ ରିଜର୍ଭ ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ କାମ କରୁଥିବା ୪୦୦ ପାଖାପାଖି କର୍ମଚାରୀ ସେପ୍ଟେମ୍ବର ୪ ଓ ୫ ତାରିଖରେ ସମୂହ ଛୁଟିରେ ଯିବେ। ସେମାନଙ୍କୁ ସମର୍ଥନ କରିବେ ରିଜର୍ଭ ବ୍ୟାଙ୍କର ଅନ୍ୟ ୪୦୦ ଅବସରପ୍ରାପ୍ତ କର୍ମଚାରୀ। ପେନ୍‌ସନ୍‌ ସଂଶୋଧନ, ପେନ୍‌ସନ୍‌ ପାଇଁ ଆଉ ଗୋଟିଏ ବିକଳ୍ପ ପ୍ରଦାନ କରିବା ଓ ଏନ୍‌ପିଏସ୍‌ ବଦଳରେ ପିପିଏଫ୍‌ ଓ ଏପିଏଫ୍‌ ଲାଗୁ କରିବା ପାଇଁ ରିଜର୍ଭ ବ୍ୟାଙ୍କର କର୍ମଚାରୀମାନେ ଦାବି କରୁଛନ୍ତି।
ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ ପକ୍ଷରୁ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନର ସମ୍ପାଦକ ମାନଗୋବିନ୍ଦ ସେଠୀ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ଏହି ଦୁଇ ଦିନରେ ୨୭ ହଜାର କର୍ମଚାରୀ ସମୂହ ଛୁଟିରେ ଯିବେ। ସେହି ଦିନ ଦୁଇ ରାଜ୍ୟରେ ସେଟଲ୍‌ମେଣ୍ଟ୍‌, କ୍ଲିୟରାନ୍ସ ଓ ରିମିଟାନ୍ସ କାମ ପ୍ରଭାବିତ ହେବ। ଏହା ବ୍ୟତୀତ ଇସ୍ୟୁ ବିଭାଗ ବନ୍ଦ ରହୁଥିବାରୁ କୌଣସି ନୂତନ ନଗଦ ଅର୍ଥରାଶି ଜାରି କରାଯିବ ନାହିଁ। ସରକାରୀ ପେମେଣ୍ଟ୍‌ ସ୍କିମ୍‌ରେ କୌଣସି ଅର୍ଥ ଜାରି ହୋଇପାରିବ ନାହିଁ। ରିଜର୍ଭ ବ୍ୟାଙ୍କ ଦ୍ୱାରା ହେଉଥିବା ସବୁ ପ୍ରକାର କାମ ଏହି ଦୁଇ ଦିନ ବନ୍ଦ ରହିବ ବୋଲି ସେ କହିଛନ୍ତି।
ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ରିଜର୍ଭ ବ୍ୟାଙ୍କ ଅଫିସର୍ସ ଆଣ୍ଡ୍‌ ଏମ୍ପ୍ଲଇଜ୍‌ ପକ୍ଷରୁ କୁହାଯାଇଛି ଯେ, ଆମ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଆମେ ଦୀର୍ଘ ଦିନ ଅପେକ୍ଷା କରି ଧୈର୍ଯ୍ୟହରା ହୋଇପଡ଼ିଲୁଣି। ସେପ୍ଟେମ୍ବର ୪ ଓ ୫ରେ ସମୂହ ଛୁଟିରେ ଯିବା ନିଷ୍ପତ୍ତି ନେବା ବ୍ୟତୀତ ଆମ ପାଖରେ ଆଉ କୌଣସି ବିକଳ୍ପ ନାହିଁ ବୋଲି ୟୁନାଇଟେଡ୍‌ ଫୋରମ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର