ସରକାରଙ୍କ ପ୍ରତି ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ: ଜାଲାନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଥିଲା, ‌ସେଥିରେ କିଏ ଠିକ୍, କିଏ ଭୁଲ ତାହା ସ୍ପଷ୍ଟ ହୋଇପାରିନାହିଁ। କେତେକ ବର୍ଗ ସରକାରଙ୍କୁ ସମର୍ଥନ କରୁଥିବା ଅନ୍ୟ କିଛି ବର୍ଗ ରିଜର୍ଭ ବ୍ୟାଙ୍କକୁ ସମର୍ଥନ କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ମତ ରଖି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର କହିଛନ୍ତି ଯେ, ସରକାରଙ୍କ ପ୍ରତି ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ। ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ରୂପରେଖ ଭିତରେ ରିଜର୍ଭ ବ୍ୟାଙ୍କ ନିଜର ନୀତି ନିର୍ଧାରଣ କରିବା ଦରକାର ବୋଲି ସେ କହିଛନ୍ତି।
ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ଟଙ୍କା ଭାଗବଣ୍ଟାକୁ ନେଇ ଯେଉଁ କମିଟି ଗଠନ କରାଯାଇଛି ତାହାର ମୁଖ୍ୟ ହେଉଛନ୍ତି ଜାଲାନ। ରଏଟର୍‌କୁ ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ, ସରକାର ଓ ସ୍ବାଧୀନ ସଂସ୍ଥାଗୁଡ଼ିକ ମଧ୍ୟରେ ମତଭେଦ ରହିଥାଏ। ରାଜନୈତିକ ଓ ବାସ୍ତବ ସ୍ଥିତିକୁ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବା ଉପରେ ସରକାର ଗୁରୁତ୍ବ ଦେବା ଦରକାର ବୋଲି ସେ କହିଛନ୍ତି।
ଜାଲାନଙ୍କୁ ନେଇ ଏକ ଛଅ ଜଣିଆ କମିଟି ଗଠନ କରାଯାଇଛି। ବଣ୍ଡ୍ ଓ ମୁଦ୍ରା କାରବାରରୁ ରିଜର୍ଭ ବ୍ୟାଙ୍କ ଯେଉଁ ଆୟ କରୁଛି ତାହାର କେତେ ଅଂଶ ସରକାରଙ୍କୁ ହସ୍ତାନ୍ତର କରାଯିବା ଦରକାର ସେହି ସୀମା ଏହି କମିଟି ଧାର୍ଯ୍ୟ କରିବ। ତେବେ କମିଟିର ସୁପାରିସଗୁଡ଼ିକ ଉପରେ କୌଣସି ପ୍ରକାର ଆଲୋଚନା କରିବାକୁ ଜାଲାନ ମନା କରିଦେଇଛନ୍ତି। ସେ କହିଲେ, ରିଜର୍ଭ ବ୍ୟାଙ୍କକୁ ଜଣେ ନୂତନ ଗଭର୍ଣ୍ଣର ମିଳିଛି। ତାଙ୍କର ସରକାରଙ୍କ ସହ କାମ କରିବାର ଅଭିଜ୍ଞତା ରହିଛି। ତେଣୁ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ରହିଥିବା ମତଭେଦ ଖୁବ୍‌ଶୀଘ୍ର ଦୂର ହୋଇଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର