ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳ ଶେଷ ହେବାର ଛଅ ମାସ ପୂର୍ବରୁ ଇସ୍ତଫା ଦେଇଛନ୍ତି। ଏଡ଼ାଇ ହୋଇପାରୁନଥିବା ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରିଜର୍ଭ ବ୍ୟାଙ୍କରେ ତାଙ୍କ ତିନି ବର୍ଷର କାର୍ଯ୍ୟକାଳ ୨୦୨୦ ଜାନୁଆରିରେ ଶେଷ ହେବାର ଥିଲା। ସେ ନିଜର ପୁରୁଣା ପେସା ଶିକ୍ଷାଦାନକୁ ଫେରିଯିବେ ବୋଲି କହିଛନ୍ତି। ରିଜର୍ଭ ବ୍ୟାଙ୍କରେ ଯୋଗ ଦେବା ପୂର୍ବରୁ ସେ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ଷ୍ଟର୍ଣ୍ଣ ସ୍କୁଲ୍ ଅଫ୍ ବିଜନେସ୍ର ଅର୍ଥନୀତି ପ୍ରଫେସର ଭାବେ କାମ କରୁଥିଲେ। ସେହି ପେସାରୁ ତିନି ବର୍ଷର ଛୁଟି ଆଣି ସେ ୨୦୧୭ ଜାନୁଆରିରେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ବିରଳଙ୍କୁ ରିଜର୍ଭ ବ୍ୟାଙ୍କରେ ନିଯୁକ୍ତି ଦେଇଥିଲା।
ବିଜେପି ସରକାରଙ୍କ ଅମଳରେ ଦ୍ବିତୀୟ ଥର କାମ କରିବାକୁ ଆଗ୍ରହ ଦେଖାନଥିବା ରିଜର୍ଭ ବ୍ୟାଙ୍କର ତୃତୀୟ ବରିଷ୍ଠ ଅଧିକାରୀ ହେଉଛନ୍ତି ବିରଳ। ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ୨୦୧୬ରେ ନିଜ କାର୍ଯ୍ୟକାଳ ଶେଷ ହେବା ପରେ ଶିକ୍ଷାଦାନ ପେସାକୁ ଫେରିଯାଇଥିଲେ। ସେହିପରି ଅନ୍ୟତମ ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍ ୨୦୧୮ ଡିସେମ୍ବରରେ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ବିରଳଙ୍କ ଇସ୍ତଫା ପରେ ରିଜର୍ଭ ବ୍ୟାଙ୍କରେ ଏବେ ଆଉ ମାତ୍ର ତିନି ଜଣ ଡେପୁଟି ଗଭର୍ଣ୍ଣର ଅଛନ୍ତି। ସେମାନେ ହେଉଛନ୍ତି ଏନ୍ ଏସ୍ ବିଶ୍ବନାଥନ, ବି ପି କାନୁନଗୋ ଓ ଏମ କେ ଜୈନ। ବିଦେଶରୁ ଆସି ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦବିରେ କାମ କରୁଥିବା ଶେଷ ବ୍ୟକ୍ତି ହେଉଛନ୍ତି ବିରଳ। ସେ ନିଜ ଇସ୍ତଫା ପତ୍ରରେ ଜଣାଇଛନ୍ତି ଯେ, ଜୁଲାଇ ୨୩ ପର ଠାରୁ ସେ ଆଉ ନିଜ ଦାୟିତ୍ବ ନିର୍ବାହ କରିପାରିବେ ନାହିଁ।
ବିରଳ ପୂର୍ବରୁ ଇସ୍ତଫା ଦେଇଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ତାହାକୁ ସାର୍ବଜନୀନ କରାଯାଇନଥିଲା। ମାତ୍ର ଗଣମାଧ୍ୟମରେ ଏସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ରିଜର୍ଭ ବ୍ୟାଙ୍କ ଇସ୍ତଫା ବିଷୟକୁ ସ୍ପଷ୍ଟ କରିଛି। ତାଙ୍କ ଇସ୍ତଫା ଅପ୍ରତ୍ୟାଶିତ ନୁହେଁ। ଗତବର୍ଷ ଅକ୍ଟୋବରରେ ମୁମ୍ବାଇ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ଭିତରେ ରହିଥିବା ମତଭେଦକୁ ସେ ହିଁ ସାର୍ବଜନୀନ କରିଥିଲେ। ରିଜର୍ଭ ବ୍ୟାଙ୍କ କାମରେ ସରକାରଙ୍କ ହସ୍ତକ୍ଷେପକୁ ସେ ଦୃଢ଼ ଭାବେ ବିରୋଧ କରୁଥିଲେ। ସରକାରଙ୍କ ନୀତିକୁ ସମାଲୋଚନା କରିବାକୁ ପଛାଉନଥିଲେ। ଏଭଳିକି ଅର୍ଥନୀତି ଉପରେ ନିଜର ଭାବନା ବ୍ୟକ୍ତ କରିବାକୁ ସେ କେବେବି ପଛାଉ ନଥିଲେ। ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ପାଇଁ ସେ ଲଢ଼େଇ କରୁଥିଲେ। ଅଣ ବ୍ୟାଙ୍କ ଆର୍ଥିକ ଅନୁଷ୍ଠାନ (ଏନବିଏଫ୍ସି)ରେ ସଙ୍କଟ, ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ସରକାର ନଜର ଓ ସୁଧ ହାର ହ୍ରାସ କରିବା ଆଦି ଅନେକ ପ୍ରସଙ୍ଗରେ ତାଙ୍କର ସରକାରଙ୍କ ସହିତ ମତଭେଦ ରହୁଥିଲା। ସରକାର-ରିଜର୍ଭ ବ୍ୟାଙ୍କ ସମ୍ପର୍କରେ ରହିଥିବା ଫାଟ ସାର୍ବଜନୀନ ହେବା ପରେ ଗତବର୍ଷ ଡିସେମ୍ବରରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ତାଙ୍କ ସ୍ଥାନରେ ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା। ଯେଉଁଦିନ ଉର୍ଜିତ ଇସ୍ତଫା ଦେଇଥିଲେ ସେହିଦିନ ବିରଳଙ୍କ ଇସ୍ତଫାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ, ଗତବର୍ଷ ଅକ୍ଟୋବରରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ରହିଥିବା ଫାଟକୁ ସାର୍ବଜନୀନ କରିବା ଦିନ ଠାରୁ ହିଁ ବିରଳଙ୍କ ଇସ୍ତଫାକୁ ନେଇ ଅବଗଣନା ଆରମ୍ଭ ହୋଇଥିଲା। କେବଳ ସମୟକୁ ଅପେକ୍ଷା କରାଯାଇଥିଲା। ସୁଧ ହାର କମ୍ କରିବାକୁ କେବେବି ବିରଳ ସମର୍ଥନ କରୁନଥିଲେ। ଶେଷ ଥର ପାଇଁ ୨୦୧୭ ଅଗଷ୍ଟରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ଓ ଶେଷ ଥର ହୋଇଥିବା ମୁଦ୍ରାନୀତି ସମୀକ୍ଷା ବେଳେ ସେ ସୁଧ ହାର କମ୍ କରିବା ସପକ୍ଷରେ ମତ ରଖିଥିଲେ। ବିରଳଙ୍କ ସ୍ଥାନରେ ଅର୍ଥ ମନ୍ତ୍ରଣାଳୟର ପ୍ରଧାନ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲଙ୍କୁ ନିଯୁକ୍ତି ଦିଆଯିବ ବୋଲି ଚର୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-11-21.jpg)