ଚକିତ କଲା ରିଜର୍ଭ ବ୍ୟାଙ୍କ

ବଦଳାଇଲାନି ସୁଧ ହାର, ଟଙ୍କା ପ୍ରତି ଧ୍ୟାନ ଦେଲାନି

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛି। ବିଶେଷଜ୍ଞମାନଙ୍କ ସମସ୍ତ ଆକଳନକୁ ଏହା ଭୁଲ ପ୍ରମାଣିତ କରିଛି। ଅଶୋଧିତ ତେଲ ଦର ଓ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଆକଳନ କରିଥିଲେ ଯେ ରିଜର୍ଭ ବ୍ୟାଙ୍କ ଏଥର ସୁଧ ହାର ବଢ଼ାଇବ। କିନ୍ତୁ ଏହା ରେପୋ ହାରକୁ ୬.୫% ଓ ରିଭର୍ସ ରେପୋ ହାରକୁ ୬.୨୫%ରେ ଅପରିବର୍ତିତ ରଖିଛି। ରେପୋ ହାର ହେଉଛି ଯେଉଁ ସୁଧ ହାରରେ ବ୍ୟାଙ୍କଗୁଡ଼ିକର ନିଜର ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣିଥାନ୍ତି। ଏହାକୁ ଓଭରନାଇଟ୍‌ ରେଟ୍‌ ବୋଲି ମଧ୍ୟ କୁହାଯାଏ। ଡଲାର ତୁଳନାରେ ଟଙ୍କା ଯେଉଁଭଳି ଭାବେ ଦୁର୍ବଳ ହେଉଛି ‌ସେହି ପରିସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ରିଜର୍ଭ ବ୍ୟାଙ୍କ ନିଶ୍ଚିତ କିଛି ଠୋସ୍‌ ପଦକ୍ଷେପ ଘୋଷଣା କରିବ ବୋଲି ବିଶେଷଜ୍ଞମାନେ ଭାବୁଥିଲେ। କିନ୍ତୁ ମୁଦ୍ରାନୀତିରେ ଟଙ୍କା ମୂଲ୍ୟକୁ ଧ୍ୟାନ ହିଁ ଦିଆଯାଇନାହିଁ। ଟଙ୍କା ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍ କହିଛନ୍ତି ଯେ, ବଜାରର ସ୍ଥିତି ଅନୁଯାୟୀ ଟଙ୍କା ମୂଲ୍ୟର ଭାଗ୍ୟ ନିର୍ଭର କରିବ। ଅର୍ଥାତ ଯେଉଁଭଳି ଭାବେ ଚାଲିଛି ସେମିତି ଚାଲିବ। ରିଜର୍ଭ ବ୍ୟାଙ୍କ ବିଶେଷ କିଛି ପଦକ୍ଷେପ ଗ୍ରହଣ କରିନପାରେ।

ଆଜି ମୁଦ୍ରାନୀତି ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ କହିଛନ୍ତି ଯେ, ଆମ ପାଖରେ ଦୁଇଟି ବିକଳ୍ପ ଥିଲା। ତାହା ହେଉଛି ସୁଧକୁ ଅପରିବର୍ତିତ ରଖିବା କିମ୍ବା ବଢ଼ାଇବା। ଆମେ ସୁଧ ଅପରିବର୍ତିତ ରଖିବାକୁ ନିଷ୍ପତ୍ତି ନେଇଥିଲୁ। ସୁଧ ହାର ନିର୍ଧାରଣ କରୁଥିବା ୬ ଜଣିଆ ମୁଦ୍ରାନୀତି କମିଟିର ସଦସ୍ୟଙ୍କ ମଧ୍ୟରୁ ଉର୍ଜିତଙ୍କ ସମେତ ଚାରି ଜଣ ସୁଧ ଅପରିବର୍ତ୍ତିତ ରଖିବା ସପକ୍ଷରେ ଭୋଟ୍‌ ଦେଇଥିବା ବେଳେ ଦୁଇ ଜଣ ସୁଧ ବଢ଼ାଇବା ପାଇଁ ଭୋଟ୍‌ ଦେଇଥିଲେ। ମୁଦ୍ରାସ୍ଫୀତିକୁ ନେଇ ରିଜର୍ଭ ବ୍ୟାଙ୍କର ଏହାର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ୨୦୧୯ ମାର୍ଚ ବେଳକୁ ମୁଦ୍ରାସ୍ଫୀତି ହାର ୪.୫%କୁ ବୃଦ୍ଧି ପାଇପାରେ ବୋଲି ଏହା ଆକଳନ କରିଛି। ରିଜର୍ଭ ବ୍ୟାଙ୍କ କହିଛି ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୪% ଓ ୨୦୧୯-୨୦ରେ ୭.୬% ହେବ।

ଆହୁରି ମହଙ୍ଗା ହେଲା ଡଲାର, ପ୍ରଥମ ଥର ୭୪ ଟଙ୍କା ସ୍ତର ଟପିଲା
ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଜାରି ରହିଛି। ଏକ ଡଲାର ମୂଲ୍ୟ ଆଜି ୭୪ ଟଙ୍କାରୁ ଅଧିକ ହୋଇଯାଇଥିଲା। ଅବଶ୍ୟ ମୁଦ୍ରା ବିନିମୟ ବଜାରରେ କାରବାର ଶେଷ ବେଳକୁ ସେଥିରେ କିଛିଟା ସୁଧାର ହୋଇଥିଲା। ଡଲାର ମୂଲ୍ୟ ୭୩ ଟଙ୍କା ୭୪ ପଇସାରେ ବନ୍ଦ ହୋଇଥିଲା। ପ୍ରଥମ ଥର ପାଇଁ ଡଲାର ମୂଲ୍ୟ ୭୪ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ଦୁର୍ବଳ ସ୍ଥିତି ବିଷୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ କହିଛନ୍ତି ଯେ, ବିଶ୍ବର ଅନ୍ୟ ଉଦୀୟମାନ ଦେଶଗୁଡ଼ିକର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଭଲ ସ୍ଥିତିରେ ରହିଛି। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବା ବେଳକୁ ଡଲାର ମୂଲ୍ୟ ୭୩ ଟଙ୍କା ୫୨ ପଇସା ଥିଲା। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ଘୋଷଣା କରିବା ପରେ ଟଙ୍କା ମୂଲ୍ୟରେ ଅବନତି ଆରମ୍ଭ ହୋଇଥିଲା। ଏକ ସମୟରେ ଏକ ଡଲାର ମୂଲ୍ୟ ୭୪ ଟଙ୍କା ୨୨ ପଇସା ହୋଇଯାଇଥିଲା। ଡଲାର ମହଙ୍ଗା ହେଉଥିବାରୁ ଆଗାମୀ ଦିନରେ ଅଶୋଧିତ ତେଲ କିଣିବାକୁ ଆହୁରି ଅଧିକ ଖର୍ଚ କରିବାକୁ ପଡ଼ିବ। ଏହାର ପ୍ରଭାବରେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଆହୁରି ମହଙ୍ଗା ହେବ। ଯେଉଁଭଳି ଭାବେ ଟଙ୍କା ଦୁର୍ବଳ ହେଉଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଆଗାମୀ କିଛି ଦିନ ଭିତରେ ଏକ ଡଲାର ମୂଲ୍ୟ ୭୬ ଟଙ୍କାରୁ ଅଧିକ ହୋଇଯିବା ଆଶଙ୍କାକୁ ଏଡ଼ାଇ ହେବନାହିଁ।

ସମ୍ବନ୍ଧିତ ଖବର