ମୁମ୍ବାଇ: ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କର ଦେଶ ଭିତରେ ଥିବା ଭଣ୍ଡାରରେ ୫୧୦.୪୬ ଟନ୍ ସୁନା ରହିଛି। ଜୁଲାଇରୁ ସେପ୍ଟେମ୍ବର ଭିତରେ ଏହା ୧୦୨ ଟନ୍ ସୁନା କିଣି ଭଣ୍ଡାରରେ ଭର୍ତି କରିଛି। ଚଳିତ ବର୍ଷ ମାର୍ଚ୍ଚ ବେଳକୁ ରିଜର୍ଭ ବ୍ୟାଙ୍କ ପାଖରେ ୪୦୮ ଟନ୍ ସୁନା ଥିଲା। ଦେଶ ଓ ବିଦେଶର ବିଭିନ୍ନ ଭଣ୍ଡାରକୁ ଯଦି ହିସାବକୁ ନିଆଯିବ ତେବେ ରିଜର୍ଭ ବ୍ୟାଙ୍କ ପାଖରେ ୮୫୪.୭୩ ଟନ୍ ସୁନା ଥିବା କୁହାଯାଇପାରିବ। କିଛି ଦିନ ତଳେ ଏହା ବ୍ରିଟେନ୍ରେ ଥିବା ୧୦୦ ଟନ୍ ସୁନା ଭାରତ ଆଣିଥିଲା। ତାହାକୁ ମୁମ୍ବାଇ ଓ ନାଗପୁରରେ ଥିବା ଭଣ୍ଡାରରେ ରଖାଯାଇଛି।
ବିଶ୍ବର ବିଭିନ୍ନ ପ୍ରାନ୍ତରେ ଭୂରାଜନୈତିକ ସଙ୍କଟ ଜଟିଳ ହୋଇପଡ଼ିଥିବାରୁ ବିଦେଶରେ ସୁନା ରଖିବାକୁ ରିଜର୍ଭ ବ୍ୟାଙ୍କ ସୁରକ୍ଷିତ ଭାବୁନାହିଁ। ସେଥିପାଇଁ ବ୍ରିଟେନ୍ରୁ ସୁନା ଆଣିଛି। ୧୯୯୧ ପରେ କେବବି ଏତେ ପରିମାଣର ସୁନା ବିଦେଶରୁ ଦେଶକୁ ଅଣାଯାଇନଥିଲା। ନବେ ଦଶକରେ ଭାରତ ବୈଦେଶିକ ମୁଦ୍ରାର ଘୋର ଅଭାବ ସାମ୍ନା କରିଥିଲା। ସେହି ସଙ୍କଟକୁ ଏଡ଼ାଇବା ଲାଗି ବିଦେଶରେ ଥିବା ଭଣ୍ଡାରରେ ସୁନା ରଖାଯାଇଥିଲା। କାରଣ ସେଗୁଡ଼ିକୁ ବନ୍ଧକ ରଖି ବିଦେଶୀ ମୁଦ୍ରା ଆଣିବା ସହଜ ହେଉଥିଲା। ମାତ୍ର ଏବେ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଥିବାରୁ ସେଭଳି ସଙ୍କଟ ଆଶା କରାଯାଉନାହିଁ।
ରିଜର୍ଭ ବ୍ୟାଙ୍କର ୩୨୪.୦୧ ଟନ୍ ସୁନାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଫର୍ ଇଣ୍ଟର୍ନ୍ୟାସନାଲ୍ ସେଟଲ୍ମେଣ୍ଟ୍ରେ ରଖାଯାଇଥିଲା। ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୪୧୩.୭୯ ଟନ୍ ସୁନା ବିଦେଶରେ ରହିଛି। ୨୦୦୯ରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ଠାରୁ ଭାରତ ୨୦୦ ଟନ୍ ସୁନା କିଣିଥିଲା। ବିଦେଶରେ ଥିବା ସୁନାକୁ ଦେଶ ଭିତରକୁ ଶୀଘ୍ର ଆଣିବା ଲାଗି ସରକାର ବିଚାର କରୁଛନ୍ତି। ସାଧାରଣତଃ ଅର୍ଥ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ ଓ ଅନ୍ୟାନ୍ୟ ଏଜେନ୍ସିର ମିଳିତ ଉଦ୍ୟମରେ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ସୁନା ଦେଶ ଭିତରକୁ ଆସିଥାଏ।