୬ ମାସ ଯାଏଁ ରିଜର୍ଭ ବ୍ୟାଙ୍କଠାରୁ ଅର୍ଥ ଲୋଡ଼ାନାହିଁ: ‌ଜେଟ୍‌ଲୀ

ମୁମ୍ବାଇ: ଆସନ୍ତା ୬ ମାସ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କଠାରୁ ସରକାର ଅର୍ଥ ନେବେ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏହା କହିଛନ୍ତି। ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ଅଛି। ନିର୍ବାଚନ ପୂର୍ବରୁ ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରିବାକୁ ରିଜର୍ଭ ବ୍ୟାଙ୍କଠାରୁ ଅର୍ଥ ଲୋଡ଼ୁଛନ୍ତି ବୋଲି ବିରୋଧୀ ଦଳମାନେ କରୁଥିବା ଅଭିଯୋଗର ଜବାବ ଜେଟ୍‌ଲୀ ଦେଇଛନ୍ତି। ଏତଦବ୍ୟତୀତ ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତାକୁ ସରକାର ଅଣଦେଖା କରୁଛନ୍ତି ବୋଲି ମଧ୍ୟ ବିରୋଧୀ କରୁଥିବା ଅଭିଯୋଗକୁ ଜେଟ୍‌ଲୀ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ତାଙ୍କ ସରକାର ରିଜର୍ଭ ବ୍ୟାଙ୍କ ସମେତ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକର ସ୍ବାୟତ୍ତତାକୁ ସମ୍ମାନ ଦେଇ ଆସୁଛି। ତେବେ ଯଦି କିଛି କ୍ଷେତ୍ର ପାଇଁ ନଗଦ ଅର୍ଥ ବା ଋଣର ଆବଶ୍ୟକ ସରକାର ଅନୁଭବ କରୁଛନ୍ତି ସେସବୁ ପ୍ରସଙ୍ଗକୁ ରିଜର୍ଭ ବ୍ୟାଙ୍କ ସହିତ ଉତ୍‌ଥାପିତ କରାଯିବ ବୋଲି ସେ କହିଛନ୍ତି। ଉ‌େଲ୍ଲଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ନିକଟରେ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଜମା ରହିଥିବା ବେଳେ ସରକାର ଏଥିରୁ ପ୍ରାୟ ୩ ଲକ୍ଷ କୋଟିରୁ ଊର୍ଧ୍ବ ଟଙ୍କା ମାଗୁଥିବା ନେଇ ଗତ କିଛିଦିନ ହେଲା ଦେଶରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର