ରିଜର୍ଭ ବ୍ୟାଙ୍କ-ସରକାର ବିବାଦ: ରାଜନଙ୍କୁ ଜେଟ୍‌ଲିଙ୍କ ଜବାବ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍ ଭାରତୀୟ ଅର୍ଥନୀତି ଉପରେ ଦେଇଥିବା ମନ୍ତବ୍ୟ ଉପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ରାଜନ୍‌ଙ୍କ ନାମ ସିଧାସଳଖ ନେଇ ନଥିଲେ ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି, ଦେଶରେ ଜିଏସଟି କାର୍ଯ୍ୟକାରୀ କରାଯିବା ଥିଲା ଏକ ଐତିହାସିକ ସଂସ୍କାର। ତେବେ ଏହି ସଂସ୍କାରର ପ୍ରତିକୂଳ ପ୍ରଭାବ ଅର୍ଥନୀତି ଉପରେ ମାତ୍ର ୬ ମାସ ପାଇଁ ପଡ଼ିଥିଲା। ଦେଶର ଅଭିବୃଦ୍ଧିକୁ ଜିଏସ୍‌ଟି ପ୍ରଭାବିତ କରିଥିବା ନେଇ ସମାଲୋଚକ ଓ ନିନ୍ଦୁକମାନେ ଯାହା କହୁଛନ୍ତି ତାହା ଠିକ୍‌ ନୁହେଁ ବୋଲି ଜେଟଲି ଏହି ପରିପ୍ରେକ୍ଷୀରେ କହିଛନ୍ତି। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶତ ବାର୍ଷିକୀ ଉତ୍ସବ ପରିପ୍ରେକ୍ଷୀରେ ଏକ ଭିଡିଓ କନଫେ‌ରନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ଜେଟ୍‌ଲୀ କହିଛନ୍ତି, ଜିଏସଟି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିଥିଲା ବୋଲି ସମାଲୋଚକ ଓ ନିନ୍ଦୁକମାନେ ସବୁବେଳେ କହିବେ। ‌େତବେ ଦୁଇଟି ତ୍ରୟମାସ ପାଇଁ ଅଭିବୃଦ୍ଧି ପ୍ରଭାବିତ ହେବା ପରେ ତାହା ୭ ପ୍ରତିଶତ ସ୍ତରକୁ ଫେରିଥିଲା। ଏହାପରେ ଜିଡିପି ଅଭିବୃଦ୍ଧି ୭.୭ ପ୍ରତିଶତକୁ ଏବଂ ଗତ ତ୍ରୟମାସରେ ୮.୨ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୨ରୁ ୨୦୧୪ ମଧ୍ୟରେ ଭାରତ ହାସଲ କରିଥିବା ଜିଡିଭି ଅଭିବୃଦ୍ଧି ତୁଳନାରେ ଏହା ଯଥେଷ୍ଟ ଅଧିକ ବୋଲି ଜେଟ୍‌ଲୀ କହିଛନ୍ତି। କିନ୍ତୁ ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ (ଏନପିଏ) କମିବା ଉଚିତ ବୋଲି ଜେଟ୍‌ଲୀ କହିଛନ୍ତି।

୧୮ ସଦସ୍ୟଙ୍କ ଉପରେ ନଜର
ମୁମ୍ବାଇ: କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଚଳିତ ମାସ ୧୯ ତାରିଖରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ଭାଗ ନେବାକୁ ଥିବା ୧୮ ଜଣ ବ୍ୟକ୍ତିଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ୧୮ ବ୍ୟକ୍ତି ହେଉଛନ୍ତି ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ। ତାଙ୍କ ମଧ୍ୟରେ ରହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌, ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ, ଏନ୍ ଏସ୍‌ ବିଶ୍ବନାଥନ, ବି ପି କାନୁନଗୋ ଓ ଏମ୍‌ କେ ଜୈନ। ନିୟମ ଅନୁସାରେ ରିଜର୍ଭ ବ୍ୟାଙ୍କ ବୋର୍ଡରେ ୨୧ ଜଣ ସଦସ୍ୟ ରହିପାରିବେ। କିନ୍ତୁ ଏବେ ୧୮ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣରମାନେ ହେଉଛନ୍ତି ପୂର୍ଣ୍ଣକାଳୀନ ସଦସ୍ୟ। ଅନ୍ୟ ୧୩ ଜଣଙ୍କୁ ସରକାର ମନୋନୀତ କରିଛନ୍ତି। ମନୋନୀତ ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ସ୍ବଦେଶୀ ଚିନ୍ତାଧାରାର ବ୍ୟକ୍ତି ଏସ୍‌ ଗୁରୁମୂର୍ତ୍ତି ଓ ସମବାୟ ବ୍ୟାଙ୍କ ସହ ଜଡ଼ିତ ଥିବା ସତୀଶ ମରାଥେ। ଅର୍ଥ ମନ୍ତ୍ରଣାଳୟର ଦୁଇ ଅଧିକାରୀ-ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଓ ଆର୍ଥିକ ସେବା ସଚିବ ରାଜୀବ କୁମାର ମଧ୍ୟ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ଅଛନ୍ତି। ରିଜର୍ଭ ବ୍ୟାଙ୍କ ବୋର୍ଡରେ ବ୍ୟବସାୟ ଜଗତର ପ୍ରତିନିଧିମା‌ନେ ହେଉଛନ୍ତି ଟାଟା ଗ୍ରୁପ୍‌ର ମୁଖ୍ୟ ଏନ୍ ଚନ୍ଦ୍ରଶେଖରନ୍, ମହିନ୍ଦ୍ରା ଗ୍ରୁପ୍‌ର ବରିଷ୍ଠ ଅଧିକାରୀ ଭାରତ ନରୋତ୍ତମ ଦୋଷୀ, ଟିମ୍‌ଲିଜ୍‌ ସର୍ଭିସେସ୍‌ର ସହ ପ୍ରତିଷ୍ଠାତା ମନିଷ ସଭରୱାଲ୍ ଓ ସନ୍‌ ଫାର୍ମାର ମୁଖ୍ୟ ଦିଲ୍ଲୀପ ସାଂଘଭି। ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧୀର ମଙ୍କଡ଼, ପ୍ରସନ୍ନ ମହାନ୍ତି, କୃଷି ଅର୍ଥନୀତିଜ୍ଞ ଆଶୋକ ଗୁଲାଟି, ପୂର୍ବତନ ଡେପୁଟି ସିଏଜି ରେବତୀ ଆୟାର ଓ ଆର୍‌ଆଇଏସ୍‌ ସଂସ୍ଥାର ମୁଖ୍ୟ ସଚିନ ଚତୁର୍ବେଦୀ ମଧ୍ୟ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ଅଛନ୍ତି।

୨୬ ପର୍ଯ୍ୟନ୍ତ ମହଲତ ମାଗିଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ କେନ୍ଦ୍ରୀୟ ସୂଚନା କମିସନ ପକ୍ଷରୁ ଦିଆଯାଇଥିବା ନୋଟିସର ଉତ୍ତର ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଦାଖଲ କରିବାରେ ରିଜର୍ଭ ବ୍ୟାଙ୍କ ବିଫଳ ହୋଇଛନ୍ତି। ଏଥିପାଇଁ ୧୦ ଦିନ ମହଲତ ରିଜର୍ଭ ବ୍ୟାଙ୍କ ମାଗିଛି। ନଭେମ୍ବର ୧୬ ତାରିଖ ସୁଦ୍ଧା ଉତ୍ତର ଦାଖଲ କରିବାକୁ କେନ୍ଦ୍ରୀୟ ସୂଚନା କମିସନର ଶ୍ରୀଧର ଆଚାର୍ଯ୍ୟଲୁ ଉର୍ଜିତ ପଟେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ରିଜର୍ଭ ବ୍ୟାଙ୍କ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ଲାଗି ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି। କିନ୍ତୁ ଶ୍ରୀ ଆଚାର୍ଯ୍ୟଲୁଙ୍କ କାର୍ଯ୍ୟକାଳ ଆସନ୍ତା ୨୦ ତାରିଖରେ ଶେଷ ହେଉଛି। ତେଣୁ ଏହି ନୋଟିସର ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ସମ୍ବନ୍ଧିତ ଖବର