ରିଜର୍ଭ ବ୍ୟାଙ୍କ ବାର୍ଷିକ ରିପୋର୍ଟ-୨୦୨୨-୨୩: ୩୦,୨୫୨ କୋଟି ବ୍ୟାଙ୍କ ଠକେଇ

ଜାଲ୍‌ ୫୦୦ ଟଙ୍କିଆ ଅଧିକ ଜବତ

ମୁମ୍ବାଇ: ଦେଶରେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ସଂଖ୍ୟା ୧୩,୩୫୦କୁ ବୃଦ୍ଧି ପାଇଛି। ଯଦିଓ ଠକେଇ ସଂଖ୍ୟା ବଢ଼ିଛି କିନ୍ତୁ ଠକେଇ ରାଶି ୩୦,୨୫୨ କୋଟି ଟଙ୍କାରେ ରହିଛି। ବ୍ୟାଙ୍କରେ ଯେଉଁ ଠକେଇ ହୋଇଛି ସେଥିରେ ସବୁଠୁ ଅଧିକ ଠକେଇ ଡିଜିଟାଲ ପେମେଣ୍ଟ (କାର୍ଡ/ଇଣ୍ଟରନେଟ) କ୍ଷେତ୍ରରେ ଦେଖିବାକୁ ମିଳିଛି ବୋଲି ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ୨୦୨୨-୨୩ରୁ ଜଣାଯାଇଛି। କିନ୍ତୁ ମୂଲ୍ୟ ଦୃଷ୍ଟିରୁ ଦେଖିଲେ ସର୍ବାଧିକ ଠକେଇ ଋଣ ବା ଅଗ୍ରିମ କ୍ଷେତ୍ରରେ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ହୋଇଥିବା ମୋଟ ୩୦,୨୫୨ କୋଟି ଟଙ୍କାର ଠକେଇରେ ଋଣ ଜରିଆରେ ୯୫ ପ୍ରତିଶତ ବା ୨୮,୭୯୨ କୋଟି ଟଙ୍କାର ଠକେଇ ହୋଇଛି। ୨୦୨୧-୨୨ରେ ମୋଟ ୯୦୯୭ଟି ଠକେଇ ହୋଇଥିଲା ଏବଂ ଉକ୍ତ ଠକେଇ ରାଶି ୫୯,୮୧୯ କୋଟି ଟଙ୍କା ରହିଥିଲା। ୨୦୨୦-୨୧ରେ ବ୍ୟାଙ୍କ ଠକେଇ ସଂଖ୍ୟା ୭୩୩୮ ଥିବାବେଳେ ଠକେଇ ମୂଲ୍ୟ ୧,୩୨,୩୮୯ କୋଟି ଟଙ୍କା ରହିଥିଲା। ୧ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର ଠକେଇକୁ ଏଥିରେ ବିଚାରକୁ ନିଆଯାଇଛି।

ଘରୋଇ ବ୍ୟାଙ୍କ ଗୁଡ଼ିକରେ ସ୍ବଳ୍ପ ମୂଲ୍ୟର କାର୍ଡ/ଇଣ୍ଟରନେଟ୍ ଜାଲିଆତିର ଯୋଗଦାନ ମୋଟ ଜାଲିଆତିରେ ସର୍ବାଧିକ ରହିଛି। କିନ୍ତୁ ସରକାରୀ ବ୍ୟାଙ୍କ ଗୁଡ଼ିକରେ ଯେଉଁ ଜାଲିଆତି ହୋଇଛି ତାହା ମୁଖ୍ୟତଃ ଋଣ କ୍ଷେତ୍ରରେ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ମୋଟ ୩୪୦୫ଟି ଠକେଇ ବିଷୟରେ ଜଣାଇଛନ୍ତି ଯାହାର ମୂଲ୍ୟ ୨୧,୧୨୫ ଟଙ୍କା ରହିଛି। ତେବେ ଘରୋଇ ବ୍ୟାଙ୍କଗୁଡ଼ିକ ୮୯୩୨ଟି ମାମଲାରେ ୮୭୨୭ କୋଟି ଟଙ୍କାର ଠକେଇ ହୋଇଛି। ଅବଶିଷ୍ଟ ଠକେଇ ବିଦେଶୀ ବ୍ୟାଙ୍କ, ଆର୍ଥିକ ପ୍ରତି‌ଷ୍ଠାନ, ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏବଂ ପେମେଣ୍ଟ୍‌ ବ୍ୟାଙ୍କଗୁଡ଼ିକରେ ହୋଇଛି।

ଜାଲ୍‌ ୫୦୦ ଟଙ୍କିଆ ଅଧିକ ଜବତ

ମୁମ୍ବାଇ: ୨୦୨୨-୨୩ ଆର୍ଥିକ ବର୍ଷରେ ଜାଲ୍‌ ୧୦, ୧୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଜବତ ହେବା ପରିମାଣ ହ୍ରାସ ପାଇଛି। କିନ୍ତୁ ଚିନ୍ତାର ବି‌ଷୟ ହେଉଛି ଜାଲ୍ ୫୦୦ ଟଙ୍କିଆ ଜବତରେ ୧୪.୪ ପ୍ରତିଶତ ବୃଦ୍ଧି ହୋଇଛି। ଜାଲ୍‌ ୨୦ ଟଙ୍କିଆ ବି ଅଧିକ ସଂଖ୍ୟାରେ ଜବତ ହୋଇଛି ବୋଲି ରିଜର୍ଭ ବ୍ୟାଙ୍କ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ୯୫.୪ ପ୍ରତିଶତ ଜାଲ୍ ନୋଟ୍‌ ବ୍ୟାଙ୍କ ସ୍ତରରେ ଧରାପଡ଼ିଥିବା ବେଳେ ୪.୬% ରିଜର୍ଭ ବ୍ୟାଙ୍କ ଚିହ୍ନଟ କରିଥିଲା। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୨୨-୨୩ରେ ପ୍ରଚଳନରେ ଥିବା ନେଯାଟ୍‌ ପରିମାଣ ୪.୪ ପ୍ରତିଶତ ବଢ଼ିଛି।

ପ୍ରଚଳନରେ ଥିବା ମୋଟ୍ ନୋଟ୍‌ରୁ ୮୮ ପ୍ରତିଶତ ୫୦୦ ଓ ୨୦୦୦ ଟଙ୍କିଆ ଆକାରରେ ରହିଛି। ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରିବା ଲାଗି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛନ୍ତି ଓ ସେଥିପାଇଁ ଲୋକମାନଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଚଳନରେ ଥିବା ମୋଟ୍‌ରେ ୫୦୦ ଟଙ୍କିଆର ଭାଗ ସର୍ବାଧିକ ୩୭.୯ ପ୍ରତିଶତ ଥିବା ବେଳେ ୧୦ ଟଙ୍କିଆର ଭାଗ ୧୯.୨ ପ୍ରତିଶତ ରହିଛି। ଗତ ମାର୍ଚ୍ଚ ସୁଦ୍ଧା ୨୫.୮୧ ଲକ୍ଷ କୋଟି ଟଙ୍କାର ୫୦୦ ଟଙ୍କିଆ ଓ ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା। ୨୦୨୨-୨୩ରେ ନୋଟ୍‌ ଛପାଇବାରେ ମୋଟ ୪,୬୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହା ଗତବର୍ଷ ୪,୯୮୪ କୋଟି ଟଙ୍କା ତୁଳନାରେ କମ୍। ଗତ ବର୍ଷ ରିଜର୍ଭ ବ୍ୟାଙ୍କ ୪,୮୨୪ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରଚଳନରୁ ବାହାର କରିଥିଲା।

ସମ୍ବନ୍ଧିତ ଖବର