ସରକାରଙ୍କୁ ୪୦ ହଜାର କୋଟି ଦେଇପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଲାଭାଂଶ ବାବଦ ଅର୍ଥ ପାଇବା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ସରକାରଙ୍କ ଚାପ ବଢ଼ିବାରେ ଲାଗିଛି। ଆସନ୍ତା ମେ ମାସର ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୪୦ ହଜାର କୋଟି ଟଙ୍କା ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାହେଲେ ସରକାର ଆଗାମୀ ଦିନରେ ଅର୍ଥନୀତିରେ ଅଧିକ ଅର୍ଥ ଖର୍ଚ କରିବା ସହିତ ଭୋଟରଙ୍କ ସମର୍ଥନ ଯୋଗାଡ଼ କରିବାରେ ସମର୍ଥନ ହେବେ ବୋଲି ଆଶା ରଖାଯାଇଛି। ଅନ୍ୟପକ୍ଷରେ ବଜେଟରେ ନିଅଣ୍ଟକୁ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରଖିବା ସମ୍ଭବ ହେବ। ସରକାର ଜିଏସଟି ବାବଦରେ ମାସକୁ ୧ ଲକ୍ଷ କୋଟି ଟଙ୍କା ଆଦାୟ କରିବେ ବୋଲି ଲକ୍ଷ୍ୟ ରଖିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ। ସେହିଭଳି ପୁଞ୍ଜି ପ୍ରତ୍ୟାହାରରୁ ମଧ୍ୟ ଆବଶ୍ୟକ ଅର୍ଥ ‌ଯୋଗାଡ଼ କରିପାରୁ ନାହାନ୍ତି। ଫଳରେ ସରକାରଙ୍କ ଏବେ ଭରସା ରିଜର୍ଭ ବ୍ୟାଙ୍କର ପାଣ୍ଠି ଉପରେ ରହିଛି। ଚଳିତମାସରେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଅନ୍ତରୀଣ ଲାଭାଂଶ ବାବଦରେ ସରକାରଙ୍କୁ କେତେ ଅର୍ଥ ଦିଆଯିବ ତାହା ସ୍ଥିର ହୋଇନାହାନ୍ତି। ତଥାପି ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୪୦ ହଜାର କୋଟି ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର