ସଂସଦୀୟ କମିଟିରେ ହାଜର ହେବେ ଉର୍ଜିତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଜୁନ୍‌ ୧୨ ତାରିଖରେ ଅର୍ଥ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିରେ ହାଜର ହୋଇପାରନ୍ତି। ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉକ୍ତ କମିଟିର ସଦସ୍ୟ ରହିଛନ୍ତି। କମିଟି ସମ୍ମୁଖରେ ହାଜର ହୋଇ ଶ୍ରୀ ପଟେଲ ବ୍ୟାଙ୍କ ଜାଲିଆତି ଏବଂ ବର୍ଦ୍ଧିତ ଅନାଦାୟ ଋଣ (ଏନ୍‌ପିଏ) ଏବଂ ଏହାକୁ କିପରି କମାଯାଇ ପାରିବ ସେ ନେଇ ତଥ୍ୟ ରଖିବେ। ପୂର୍ବରୁ ଏହି କମିଟି ସମ୍ମୁଖରେ ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ରାଜୀବ କୁମାର ହାଜର ହୋଇ ଏ ସଂକ୍ରାନ୍ତରେ ତାଙ୍କ ମତ ରଖି ସାରିଛନ୍ତି। ସରକାରୀ ବ୍ୟାଙ୍କ ଗୁଡ଼ିକରେ ହେଉଥିବା ଜାଲିଆତିକୁ ରୋକିବା ସଂପର୍କରେ ରିଜର୍ଭ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ କ୍ଷମତା ନାହିଁ ବୋଲି ନିକଟରେ ଶ୍ରୀ ପଟେଲ କହିଥିଲେ। ତେଣୁ ରିଜର୍ଭ ବ୍ୟାଙ୍କ ପ୍ରକୃତ ପକ୍ଷରେ କି ପ୍ରକାର କ୍ଷମତା ଆବଶ୍ୟକ କରେ ଆମେ ତାହା ଶ୍ରୀ ପଟେଲଙ୍କଠାରୁ ଜାଣିବୁ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର