ମୁମ୍ବାଇ: ଆଉ ମାସକ ପରେ ଏଟିଏମ୍ରୁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଯାଞ୍ଚ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ପ୍ରତି ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ନିଜ ଏଟିଏମ୍ ଏବଂ ଅନ୍ୟ ବ୍ୟାଙ୍କର ଏଟିଏମ୍କୁ ମାଗଣାରେ ନିର୍ଦ୍ଦିଷ୍ଟ କେତେକ ଥର ବ୍ୟବହାର କରିବା ଅନୁମତି ଦେଇଛନ୍ତି। ସେହି ସୀମା ଶେଷ ହୋଇଯିବା ପରେ ଯଦି କୌଣସି ଗ୍ରାହକ ଏଟିଏମ୍କୁ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ଏଟିଏମ୍ କାରବାର ଶୁଳ୍କ ଦେବାକୁ ପଡ଼ୁଛି। ଏହି ଶୁଳ୍କ କାରବାର ପିଛା ୨୧ ଟଙ୍କା ଥିଲା। ସେଥିରେ ୨ ଟଙ୍କା ବୃଦ୍ଧି କରି ରିଜର୍ଭ ବ୍ୟାଙ୍କ ତାହାକୁ ୨୩ ଟଙ୍କା କରିଛନ୍ତି। ଶୁଳ୍କରେ କରାଯାଇଥିବା ବୃଦ୍ଧି ଆସନ୍ତା ମେ’ ୧ରୁ ଲାଗୁ ହେବ।
୨୧ ଟଙ୍କାରୁ ବଢ଼ି ୨୩ ଟଙ୍କା ହେଲା
ମେ’ ପହିଲାରୁ ଲାଗୁ ହେବ
ଗ୍ରାହକମାନେ ପ୍ରତି ମାସରେ ଉଭୟ ଆର୍ଥିକ ଓ ଅଣ ଆର୍ଥିକ କାମ ପାଇଁ ଏଟିଏମ୍କୁ ମାଗଣାରେ ୫ ଥର ବ୍ୟବହାର କରିପାରୁଛନ୍ତି। ଅନ୍ୟ ବ୍ୟାଙ୍କ ଏଟିଏମ୍କୁ ସେମାନେ ମେଟ୍ରୋ ସହରରେ ମାସକୁ ମାଗଣାରେ ତିନି ଥର ଓ ଅଣ ମେଟ୍ରୋ ସହରରେ ୫ ଥର ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଏଟିଏମ୍ ଶୁଳ୍କରେ ୨ ଟଙ୍କା ବୃଦ୍ଧି ପାଇଁ ରହିଥିବା ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ମଞ୍ଜୁର କରିଛନ୍ତି। ଚଳିତ ମାସ ୧୩ରେ ଏନ୍ପିସିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଏହି ସୂଚନା ଦିଆଯାଇଥିଲା।
ଆଜିର ଡିଜିଟାଲ୍ ଯୁଗରେ ଲୋକମାନେ ଛୋଟମୋଟ କାରବାର ୟୁପିଆଇ ଜରିଆରେ କରୁଥିବାରୁ ନଗଦ ରାଶିର ଚାହିଦା ହ୍ରାସ ପାଇଛି। ତଥାପି, ଅନେକ ସ୍ଥାନରେ ନଗଦ ରାଶି ଖୋଜା ପଡ଼ୁଛି। ସେହି ସମୟରେ ଲୋକମାନେ ଏଟିଏମ୍ ଖୋଜୁଛନ୍ତି। ଏଟିଏମ୍କୁ ଚଳାଇବା ସହ ତାହାର ରକ୍ଷଣାବେକ୍ଷଣ କରିବା ଏକ ବ୍ୟୟବହୁଳ ବ୍ୟାପାର। ବ୍ୟାଙ୍କଠାରୁ ଆରମ୍ଭ କରି ଅନେକ ସଂସ୍ଥା ସେଥିରେ ଜଡ଼ିତ ଅଛନ୍ତି। ଏଟିଏମ୍କୁ ସୁରକ୍ଷା ଦେବା ଲାଗି ନିରାପତ୍ତା ବ୍ୟବସ୍ଥା ଓ ଗାର୍ଡ ମୂତୟନ କରିବାକୁ ପଡ଼ୁଛି। ରିଜର୍ଭ ବ୍ୟାଙ୍କ ଏଟିଏମ୍ କାରବାର ଶୁଳ୍କ ବଢ଼ାଇଥିବାରୁ ଏଟିଏମ୍ଗୁଡ଼ିକୁ ଆହୁରି ଉନ୍ନତ ଢଙ୍ଗରେ ପରିଚାଳନା କରିବା ଲାଗି ବ୍ୟାଙ୍କ ଓ ଏଟିଏମ୍ ଅପରେଟରମାନଙ୍କ ହାତରେ ଅଧିକ ପାଣ୍ଠି ପହଞ୍ଚିପାରିବ।