ମୁମ୍ବାଇ: ଆଇନ ଉଲ୍ଲଂଘନ କରୁଥିବା କିମ୍ବା ଆଇନ ପାଳନ କରିବାରେ ଅବହେଳା କରୁଥିବା କୌଣସି ସଂସ୍ଥା ଖସିପାରିବେନି। ଆଇନ ମାନିବାକୁ ବାଧ୍ୟ। ଯେଉଁମାନେ ନମାନିବେ ସେମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ପଡ଼ିବ। ଆର୍ଥିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପରୋକ୍ଷରେ ଏଭଳି ବାର୍ତ୍ତା ଦେଇଥିବା ଭଳି ମନେ ହେଉଛି। କାରଣ ଗତ କିଛି ଦିନ ଭିତରେ ରିଜର୍ଭ ବ୍ୟାଙ୍କ କିଛି ନାମକରା ସଂସ୍ଥା ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ଏଭଳି କିଛି ଇଙ୍ଗିତ କରୁଛି। ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧୀନରେ ପରିଚାଳିତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ, ଆଇଆଇଏଫ୍ଏଲ୍ ଫାଇନାନ୍ସ ପରେ ମଙ୍ଗଳବାର ଜେଏମ୍ ଫାଇନାନ୍ସିଆଲ ପ୍ରଡକ୍ଟସ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଚଳିତ ବର୍ଷ ଜାନୁଆରି ଶେଷ ସପ୍ତାହରେ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାହାର ଜମା ଓ ଅଗ୍ରୀମ କାରବାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି।
ସବୁଠୁ ବଡ଼ କଥା ହେଉଛି ବହୁବାର ଆଲୋଚନା ପରେ ଏହା ନରମ ମନୋଭାବ ପୋଷଣ କରୁନାହିଁ। ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କକୁ ଅତିରିକ୍ତ ସମୟ ଦିଆଯାଇଛି, କିନ୍ତୁ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରାଯାଇନାହିଁ। ପେଟିଏମ୍ ଭଳି ଆଇଆଇଏଫ୍ଏଲ୍ ଫାଇନାନ୍ସର ସୁନା ଋଣ କାରବାର ଉପରେ ମଧ୍ୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଛନ୍ତି। ସୁନା ଋଣ ମଞ୍ଜୁର ଓ ଆବଣ୍ଟନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଆଜି ଜେଏମ୍ ଫାଇନାନ୍ସିଆଲ ପ୍ରଡକ୍ଟସ୍ ଉପରେ କଟକଣା ଜାରି କରି ସେୟାର ଓ ଡିବେଞ୍ଚର ବଦଳରେ ଋଣ ଦେବାକୁ ଏହାକୁ ମନା କରାଯାଇଛି। ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ବଦଳରେ ମଧ୍ୟ ଏହା ଋଣ ଦେଇପାରିବନି। ଏହି କଟକଣା ତତ୍କାଳ ଲାଗୁ କରିବାକୁ ରିଜର୍ଭ ବ୍ୟାଙ୍କ କହିଛି। କମ୍ପାନିର ଋଣ ମଞ୍ଜୁରି ପ୍ରକ୍ରିୟାରେ ଗମ୍ଭୀର ତ୍ରୁଟି ଥିବା ଜଣାପଡ଼ିବା ପରେ ରିଜର୍ଭ ବ୍ୟାଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ବିଭିନ୍ନ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିବାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ପଛାଉନାହିଁ। ଫେବ୍ରୁଆରି ୨୯ରେ ଏହା ନାଗପୁରର ଶିକ୍ଷକ ସହକାରୀ ବ୍ୟାଙ୍କ, ମୁମ୍ବାଇର ପ୍ରୋଗ୍ରେସିଭ୍ କୋଅପରେଟିଭ୍ ବ୍ୟାଙ୍କ, ସୋଲାପୁରର ସୋଲାପୁର ଡିଷ୍ଟ୍ରିକ୍ଟ କୋ-ଅପରେଟିଭ୍ ବ୍ୟାଙ୍କ, ଉତ୍ତରପ୍ରଦେଶର ନବଲ୍ କୋ-ଅପରେଟିଭ ବ୍ୟାଙ୍କ, ମୁଜାଫରନଗରର ଆଦର୍ଶ ମହିଳା କୋ-ଅପରେଟିଭ୍ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥିଲା। ତାହାର ଗୋଟିଏ ଦିନ ପୂର୍ବରୁ ଏହା ରାଜସ୍ଥାନର ସୁମେରପୁର ମର୍କେଣ୍ଟାଇଲ୍ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା। ଫେବ୍ରୁଆରି ୨୪ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କାନାରା ବ୍ୟାଙ୍କ, ସିଟି ୟୁନିୟନ୍ ବ୍ୟାଙ୍କ, ରାଉରକେଲାର ଓପନ କ୍ୟାପିଟାଲ୍ ମାର୍କେଟ୍ ଲିମିଟେଡ୍, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଥିଲା।