ନୂଆଦିଲ୍ଲୀ: ମୁଦ୍ରାନୀତି କମିଟିର ସୁଧ ହାର ସମୀକ୍ଷା ରିପୋର୍ଟ ଆସନ୍ତାକାଲି ଘୋଷଣା ହେବ। ଏହା ଚଳିତ ଆର୍ଥିକବର୍ଷର ଶେଷ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ହୋଇଥିବାବେଳେ ରେପୋ ହାରରେ ହ୍ରାସ ନେଇ ଅନେକ ଅର୍ଥନୀତି ବିଶାରଦ ଆଶା ରଖିଛନ୍ତି। ଅଧିକାଂଶଙ୍କ ମତରେ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ହୋଇପାରେ। ଉଲ୍ଲେଖଯୋଗ୍ୟ, ରେପୋ ହାର ହେଉଛି ସେହି ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ। ଯେତେବେଳେ ଏହି ହାର ବୃଦ୍ଧି ହୋଇଥାଏ ସେତେବେଳେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ପାଇବା ମହଙ୍ଗା ହୋଇଯାଏ। ଏହାର ବୋଝକୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଋଣଗ୍ରହୀତାଙ୍କ ଉପରେ ଲଦିଥାନ୍ତି। ଫଳରେ ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବାବଦ ସୁଧ ବଢ଼ିଯାଇଥାଏ। ଅନ୍ୟପକ୍ଷରେ ରେପୋ ହାର କମିଲେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କମ୍ ସୁଧ ହାରରେ ଋଣ ଯୋଗାଇ ଦେଇଥାଏ। ଏହାଦ୍ବାରା ବ୍ୟାଙ୍କ ଋଣଗ୍ରହୀତାଙ୍କୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କମ୍ ସୁଧ ହାରରେ ଋଣ ଯୋଗାଇ ପାରିଥାନ୍ତି। ଏହାଦ୍ବାରା ଦେଶରେ ନିବେଶ ବୃଦ୍ଧି ପାଇଥାଏ।
୨୦୨୩ ଫେବ୍ରୁଆରି ଠାରୁ ମୁଦ୍ରାନୀତି କମିଟି ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ୨୦୨୩ ଫେବ୍ରୁଆରିରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୨୫ ପ୍ରତିଶତ ବୃଦ୍ଧି କରି ୬.୫୦ ପ୍ରତିଶତ କରିଥିଲା। ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ଦୀର୍ଘଦିନ ଧରି ସ୍ଥିର ରଖିଥିଲା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଶକ୍ତିକାନ୍ତ ଦାସଙ୍କୁ ଅବ୍ୟାହତି ଦିଆଯିବା ପରେ ନୂଆ ଗଭର୍ଣ୍ଣରଭାବେ ସଞ୍ଜୟ ମାଲହୋତ୍ରା ଗତବର୍ଷ ଡିସେମ୍ବରରେ ଦାୟିତ୍ବ ନେଇଛନ୍ତି। ନୂଆ ଗଭର୍ଣ୍ଣର ଶ୍ରୀ ମାଲହୋତ୍ରାଙ୍କ ଅଧୀନରେ ପ୍ରଥମ ଥର ପାଇଁ ମୁଦ୍ରାନୀତି ସମୀକ୍ଷା କରାଯାଇଛି।