ମୁମ୍ବାଇ : ଘର ଓ ଗାଡ଼ି କିଣିବା ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ସୁଧ କିମ୍ବା ଇଏମ୍‌ଆଇରେ କୌଣସି ପରିବର୍ତ୍ତନ ହେବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା କରି ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ଋଣ ନେଇଥିବା ଗ୍ରାହକଙ୍କୁ କୌଣସି ପ୍ରକାର ସୁବିଧା ମିଳିବ ନାହିଁ। କ୍ରମାଗତ ଅଷ୍ଟମ ଥର ଲାଗି ସୁଧ ଅପରିବର୍ତ୍ତିତ ରଖିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ମୁଦ୍ରାନୀତି କମିଟିର ସମସ୍ତ ୬ ଜଣ ସଦସ୍ୟ ସୁଧ ଅପରିବର୍ତ୍ତିତ ରଖିବା ସପକ୍ଷରେ ମତ ଦେଇଥିଲେ।

Advertisment

ଆଜି ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରିବା ବେଳେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଡଙ୍ଗା କୂଳରେ ଲାଗିବାକୁ ଯାଉଛି। ତେଣୁ ଆମେ କୌଣସି ଝଟ୍‌କା ଦେବାକୁ ଚାହୁନାହୁଁ। ସେଥିପା‌ଇଁ ସୁଧ ଅପରିବର୍ତ୍ତିତ ରଖାଯାଇଛି। ତାଙ୍କ କହିବାର ଅର୍ଥ ହେଉଛି ମହାମାରୀ ବ୍ୟାପିବା ପରେ ଅର୍ଥନୀତିରେ ସୁଧାର ପ୍ରକ୍ରିୟା ଜାରି ରହିଛି। ଏଭଳି ଏକ ସମୟରେ ମୁଦ୍ରାନୀତିରେ ଅଦଳବଦଳ କରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିବାକୁ ସେ ଚାହୁନାହାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୫% ରହିବ ବୋଲି ସେ ଆକଳନ କରିଛନ୍ତି। ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତିନି ମାସର ଅଭିବୃଦ୍ଧି ୭.୯% ରହିପାରେ ବୋଲି ସେ କହିଛନ୍ତି। ତେବେ ୨୦୨୨-୨୩ରେ ଦେଶର ଅଭିବୃଦ୍ଧି ୧୭.୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ମୁଦ୍ରାସ୍ଫୀତି ସମ୍ପର୍କରେ ଆକଳନ କରାଯାଇଛି ଯେ ୨୦୨୧-୨୨ରେ ତାହା ୫.୩% ମଧ୍ୟରେ ରହିବ। ଖୁଚୁରା ମୁଦ୍ରାସ୍ଫୀତିକୁ ୪%ରୁ କମ୍ ରଖିବାକୁ ଉଦ୍ୟମ କରାଯାଉଥିବା ‌ଶକ୍ତିକାନ୍ତ କହିଛନ୍ତି। ଶକ୍ତିକାନ୍ତ କହିଛନ୍ତି ଯେ ଦେଶ ଭିତରେ ରହିଥିବା ସ୍ଥିତି ଓ ଘଟୁଥିବା ଘଟଣା ଆଧାରରେ ମୁଦ୍ରାନୀତି ନିର୍ଧାରଣ କରାଯାଉଛି। ବିଦେଶରେ ଘଟୁଥିବା ଘଟଣାର ପ୍ରଭାବ ଯେଭଳି ଭାରତ ଉପରେ କମ୍ ରହିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି।