ରିଜର୍ଭ ବ୍ୟାଙ୍କ ବଡ଼ ପଦରେ ଆଉ ଜଣେ ଓଡ଼ିଆ: ମାଇକେଲ୍ ଦେବବ୍ରତ ପାତ୍ର ନୂଆ ଡେପୁଟି ଗଭର୍ଣ୍ଣର

ମୁମ୍ବାଇ/ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଥିବା ବେଳେ ବିଭୂ ପ୍ରସାଦ କାନୁନ୍‌ଗୋ ଡେପୁଟି ଗଭର୍ଣ୍ଣର ଦାୟିତ୍ବ ତୁଲାଉଛନ୍ତି। ତାଙ୍କ ସହିତ ଯୋଗ ଦେଇଛନ୍ତି ଆଉ ଜଣେ ଓଡ଼ିଆ ମାଇକେଲ୍‌ ଦେବବ୍ରତ ପାତ୍ର। ମାଇକେଲଙ୍କୁ ଆଜି ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ତାଙ୍କ ନିଯୁକ୍ତି ପରେ ରିଜର୍ଭ ବ୍ୟାଙ୍କର ବଡ଼ ପଦପଦବୀରେ ଓଡ଼ିଆଙ୍କ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ମାଇକେଲ୍‌ଙ୍କୁ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ତାଙ୍କୁ ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ବିରଳ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଗତବର୍ଷ ଜୁଲାଇ ୨୩ରେ ଇସ୍ତଫା ଦେଇଥିଲେ। ସେହିଦିନ ଠାରୁ ଏହି ପଦ ଖାଲି ପଡ଼ିଥିଲା। ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଜଣେ ବିଶେଷଜ୍ଞ ଭାବେ ଜଣାଶୁଣା ମାଇକେଲ ନିଜ ନୂତନ ଦାୟିତ୍ବରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କାର୍ଯ୍ୟର ଦେଖାଶୁଣା କରିବେ। ସାଧାରଣତଃ ଏହି ପଦରେ ରିଜର୍ଭ ବ୍ୟାଙ୍କ ବାହାରର ଜଣେ ବ୍ୟକ୍ତି କିମ୍ବା ଅର୍ଥନୀତିଜ୍ଞଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥାଏ। ମାତ୍ର ମାଇକେଲ୍‌ଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଘଟିଛି।

ଶ୍ରୀ ପାତ୍ର ରେଭେନ୍‌ସା କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। ୧୯୮୪ରେ ସେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ହାସଲ କରିଛନ୍ତି। ୧୯୯୧ର ବିଦେଶୀ ମୁଦ୍ରା ସଙ୍କଟ ସମୟରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନୂତନ ନିଯୁକ୍ତି ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମପିସି)ର ସେକ୍ରେଟାରି ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ ଏପ୍ରିଲ୍‌ ଠାରୁ ବିଭୂ ପ୍ରସାଦ କାନୁନ୍‌ଗୋ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘର ମଧ୍ୟ ହେଉଛି ଭୁବନେଶ୍ବରରେ। ‌୧୯୮୦ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀ ଭୁବନେଶ୍ବରର ଡିଏମ୍ ସ୍କୁଲ୍‌ରେ ପାଠ ପଢ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ତଳେ ମୁମ୍ବାଇରେ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ସରକାରୀ ହସ୍ତକ୍ଷେପ ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ରହିଥିବା ସମ୍ପର୍କ ବହୁତ ଖରାପ ହୋଇଥିଲା। ଶେଷରେ ଗଭର୍ଣ୍ଣର ପଦରେ କାର୍ଯ୍ୟ କରୁଥିବା ଉର୍ଜିତ ପଟେଲ୍‌ ନିଜ କାର୍ଯ୍ୟକାଳ ଶେ‌ଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ଏହାର ଦୁଇ ଦିନ ଭିତରେ ତାଙ୍କ ସ୍ଥାନରେ ଶକ୍ତିକାନ୍ତଙ୍କୁ ନୂତନ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ଶକ୍ତିକାନ୍ତଙ୍କ ଅଧିନରେ ପ୍ରାୟ ୬ ମାସ କାର୍ଯ୍ୟ କରିବା ପରେ ଗତ ବର୍ଷ ବିରଳ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର

Comments are closed.