ରିଜର୍ଭ ବ୍ୟାଙ୍କ ଭଣ୍ଡାର ପାଣ୍ଠି ସ୍ଥାନାନ୍ତର ପ୍ରସଙ୍ଗ: ରିପୋର୍ଟ ଦାଖଲ କଲା ଜଲାନ୍ କମିଟି

ସୋମବାର ବୋର୍ଡ ବୈଠକରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ଭଣ୍ଡାର ପାଣ୍ଠି ସ୍ଥାନାନ୍ତର ପ୍ରସଙ୍ଗ ଅନୁଧ୍ୟାନ କରିବା ପାଇଁ ଗଠିତ ବିମଲ ଜଲାନ୍ କମିଟି ଏହାର ରିପୋର୍ଟ ଇତିମଧ୍ୟରେ ଦାଖଲ କରିସାରିଛି। ରିଜର୍ଭ ବ୍ୟାଙ୍କର ପୁଞ୍ଜି ଢାଞ୍ଚା ଅନୁଧ୍ୟାନ କରିବା ସହିତ କେତେ ପାଣ୍ଠି ରିଜର୍ଭ ବ୍ୟାଙ୍କ ନିଜ ନିକଟରେ ରଖିବ ଏବଂ କେତେ ପାଣ୍ଠି ସରକାରଙ୍କୁ ହସ୍ତାନ୍ତର କରିବ ‌ତାହାର ଅନୁଧ୍ୟାନ ଏହି କମିଟି କରିଛି। ଏଥିସହିତ ସରକାରଙ୍କୁ ଲାଭାଂଶ ପ୍ରଦାନ ଉପରେ ମଧ୍ୟ କମିଟି ଅନୁଶୀଳନ କରିଛି। ଜଲାନ୍ କମିଟି ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ପାଣ୍ଠି ହସ୍ତାନ୍ତର କରିବା ସପକ୍ଷରେ ମତ ଦେଇଥିବା କୁହାଯାଉଛି। ତେବେ ଏହାକୁ ପର୍ଯ୍ୟାୟକ୍ରମେ ୩ରୁ ୫ ବର୍ଷ ମଧ୍ୟରେ ଦେବାକୁ ସୁପାରିସ କରାଯାଇଥିବା କୁହାଯାଉଛି। ଆସନ୍ତା ସୋମବାର ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକରେ ଜଲାନ୍ କମିଟି ଦେଇଥିବା ରିପୋର୍ଟ ଉପରେ ଆଲୋଚନା ହେବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେ ବଳକା ରାଶି ସରକାରଙ୍କୁ ପ୍ରଦାନ କରାଯିବ ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ତେବେ ବିଶ୍ଳେଷକଙ୍କ କହିବା କଥା ହେଲା ଆକସ୍ମିକ ପାଣ୍ଠି, ମୁଦ୍ରା ଏବଂ ସୁନା ପୁନଃମୂଲ୍ୟାୟନ ବାବଦ ଖାତାରେ ରିଜର୍ଭ ବ୍ୟାଙ୍କ ନିକଟରେ ୯.୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ରହିଛି। ଏହା ହେଉଛି ରିଜର୍ଭ ବ୍ୟାଙ୍କର ସମୁଦାୟ ବାଲାନ୍ସ ସିଟ୍‌ର ୨୫ ପ୍ରତିଶତ। ବିଶ୍ବସ୍ତରରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ନିକଟରେ ଏହି ପାଣ୍ଠି ପ୍ରାୟ ୧୪ ପ୍ରତିଶତ ସ୍ତରରେ ରହିଛି। ତେଣୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଭଣ୍ଡାର ପାଣ୍ଠିକୁ ଯଦି ୧୪ ପ୍ରତିଶତ ସ୍ତରକୁ କମ୍ କରାଯାଏ ତା’ହେଲେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେବାକୁ ପଡ଼ିବ, ଯାହାକି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨.୪ ପ୍ରତିଶତ। କିନ୍ତୁ ବାସ୍ତବ ପାଣ୍ଠି ସ୍ଥାନାନ୍ତର ଏହାଠାରୁ କମ୍ ହେବ ବୋଲି କୁହାଯାଉଛି। ରିଜର୍ଭ ବ୍ୟାଙ୍କ ଠାରୁ ବଳକା ପାଣ୍ଠି ପାଇବା ସଂକ୍ରାନ୍ତରେ ସୁପାରିସ କରିବା ପାଇଁ ଗତବର୍ଷ ଡିସେମ୍ବରରେ ଜଲାନ୍ କମିଟି ଗଠନ କରାଯାଇଥିଲା। କମିଟି ୯୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ ବୋଲି କୁହାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହା ବିଳମ୍ବ ହୋଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାର ଯାହା କିଛି ବଳକା ପାଣ୍ଠି ପାଇବେ ତାହାକୁ ଋଣ ପରିଶୋଧ ସମେତ ସରକାରୀ ବ୍ୟାଙ୍କକୁ ଅଧିକ ପୁଞ୍ଜି ପ୍ରଦାନ ଆଦି ଦିଗରେ ବିନିଯୋଗ କରିବେ। ଏହାଫଳରେ ଗୋଟିଏ ପଟେ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାରେ ସୁଧାର ଆସିବ ଏବଂ ଅନ୍ୟପଟେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର