ମାନ୍ଦାବସ୍ଥାକୁ ମାନିଲେ ଶକ୍ତିକାନ୍ତ : ମୁକାବିଲା ଲାଗି ଚତୁର୍ଥ ଥର ସୁଧ କମାଇଲା ରିଜର୍ଭ ବ୍ୟାଙ୍କ

ଡିସେମ୍ବରରୁ ଚବିଶ ଘଣ୍ଟା ଏନ୍‌ଇଏଫ୍‌ଟି ସୁବିଧା‌, ଋଣ ସୁଧ କମାଇଲା ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ : ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ଏକଥାକୁ ଆଜି ସ୍ବୀକାର କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେହି ମାନ୍ଦାବସ୍ଥାର ମୁକାବିଲା କରିବା ଲାଗି ସୁଧ ହାରରେ ହ୍ରାସ କରି ସାଧାରଣ ଗ୍ରାହକ ଓ ଶିଳ୍ପ ଜଗତକୁ ଶକ୍ତିକାନ୍ତ ବଡ଼ ଉପହାର ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଆଜି ରେପୋ ହାରରେ ୦.୩୫% ହ୍ରାସ ଘୋଷଣା କରି ତାହାକୁ ୫.୪୦%କୁ ଖସାଇ ଦେଇଛି। ଏହାର ପ୍ରଭାବ ଗ୍ରାହକମାନଙ୍କ ଉପରେ ରହିଥିବା ଋଣ ବୋଝ କମିବ। ଯେଉଁ ଗ୍ରାହକମାନେ ଗାଡ଼ି, ଘର ଆଦି କିଣିବା ଲାଗି ଋଣ ନେଇଛନ୍ତି ସେମାନଙ୍କ ମାସିକ କିସ୍ତି (ଇଏମ୍‌ଆଇ) ବୋଝ ମଧ୍ୟ କିଛିଟା ହାଲୁକା ହେବ। କଂପାନିଗୁଡ଼ିକ ମଧ୍ୟ କମ୍ ସୁଧରେ ଋଣ ପାଇପାରିବେ।

ଯାହା ଆଶା କରାଯାଉଥିଲା ରିଜର୍ଭ ବ୍ୟାଙ୍କ ସେଭଳି ପଦକ୍ଷେପ ନେଇଛି। ଚଳିତ ବର୍ଷ ଚତୁର୍ଥ ଥର ପାଇଁ ରେପୋ ହାର ହ୍ରାସ କରାଯାଇଛି। ଚଳିତ ଥର ରେପୋ ହାର ପରିବର୍ତ୍ତନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ ୦.୨୫% କିମ୍ବା ୦.୫୦%ର ହ୍ରାସ ଘୋଷଣା କରୁଥିଲା। ମାତ୍ର ଏଥର ୦.୩୫% ହ୍ରାସ କରାଯାଇଛି। ଏବିଷୟରେ ପ୍ରଶ୍ନ ହେବାରୁ ଶକ୍ତିକାନ୍ତ କହିଥିଲେ ଯେ, ଏହା ଅପ୍ରତ୍ୟାଶିତ ନୁହେଁ। ସବୁ ଦୃଷ୍ଟିରୁ ଏହା ସନ୍ତୁଳିତ ବୋଲି କୁହାଯାଇପାରିବ। ସୁଧ ହାରରେ ୦.୨୫% ହ୍ରାସ ଆବଶ୍ୟକତା ଠାରୁ କମ୍ ହେଉଥିବା ବେଳେ ୦.୫୦% ଅଧିକ ହୋଇଯାଉଥିଲା। ସେଥିପାଇଁ ମୁଦ୍ରାନୀତି କମିଟି ପକ୍ଷରୁ ୦.୩୫%ର ସନ୍ତୁଳିତ ହ୍ରାସ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଅର୍ଥନୀତିରେ ମାନ୍ଦାବସ୍ଥାର ପ୍ରଭାବ ରହିଥିବାରୁ ୨୦୧୯-୨୦ର ଅଭିବୃଦ୍ଧି ହାର ଆହୁରି କମିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ଏହା ପୂର୍ବରୁ କହୁଥିଲା ଅଭିବୃଦ୍ଧି ୭% ହେବ। ଏବେ କହୁଛି ଅଭିବୃଦ୍ଧି ୬.୯%କୁ ଖସିଯିବ। କ୍ରମାଗତ ଚତୁର୍ଥ ଥର ସୁଧ ହାର କମ କରି ରିଜର୍ଭ ବ୍ୟାଙ୍କ ଏହି ସଙ୍କେତ ଦେଇଛି ଯେ, ଦରକାର ପଡ଼ିଲେ ଆଗାମୀ ଦିନରେ ସୁଧ ହାରରେ ଆହୁରି ହ୍ରାସ କରାଯିବ।

ଦେଶର ଅର୍ଥନୀତିର ଗତିକୁ ତ୍ବରାନ୍ବିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଯାହା ସମ୍ଭବ ତାହା କରିସାରିଲାଣି। ତଥାପି ମାନ୍ଦାବସ୍ଥା ହଟିବାର ନାଁ ଧରୁନି। ତାହା ହେଉଛି ସବୁଠୁ ବଡ଼ ଚିନ୍ତାର ବିଷୟ। ଶକ୍ତିକାନ୍ତ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବ ତୁଲାଇଥିବା ରଘୁରାମ ରାଜନ ଓ ଉର୍ଜିତ ପଟେଲ୍‌ ସୁଧ ହାର କମାଇବା ପାଇଁ ରାଜି ହେଉନଥିଲେ। ସରକାର ଯେତେ‌ ବାଧ୍ୟ କଲେ ମଧ୍ୟ ତାଙ୍କ କଥା ସେମାନେ ଶୁଣୁନଥିଲେ। କିନ୍ତୁ ଶକ୍ତିକାନ୍ତ ଦାୟିତ୍ବ ସମ୍ଭାଳିବା ପରେ ସ୍ଥିତି ବଦଳିଯାଇଛି। ସରକାରଙ୍କ ଇସାରାରେ ସୁଧ ହାର କ୍ରମାଗତ ଭାବେ ହ୍ରାସ ପାଉଛି।

ଡିସେମ୍ବରରୁ ଚବିଶ ଘଣ୍ଟା ଏନ୍‌ଇଏଫ୍‌ଟି ସୁବିଧା‌

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏନ୍‌ଇଏଫ୍‌ଟି ସମୟ ସୀମାରେ ପରିବର୍ତ୍ତନ ଅଣାଯାଇଛି। ଆସନ୍ତା ଡିସେମ୍ବର ଠାରୁ ଗ୍ରାହକମାନେ ଚବିଶ ଘଣ୍ଟା ଏନ୍‌ଇଏଫ୍‌ଟି ସୁବିଧା ହାସଲ କରିପାରିବେ। ଡିଜିଟାଲ୍ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଖୁଚୁରା ପେମେଣ୍ଟ୍‌ ବ୍ୟବସ୍ଥାର ଏହି ନିଷ୍ପତ୍ତି ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ରିଜର୍ଭ ବ୍ୟାଙ୍କ ଭାବୁଛି। ବର୍ତ୍ତମାନ ଏନ୍‌ଇଏଫ୍‌ଟି ସୁବିଧା ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିବସରେ ଉପଲବ୍ଧ ହେଉଛି।

ଋଣ ସୁଧ କମାଇଲା ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ହ୍ରାସ ଘୋଷଣା କରିବାର କିଛି ସମୟ ମଧ୍ୟରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଋଣ ସୁଧ ହାର ହ୍ରାସ ଉପହାର ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ ସବୁ ପ୍ରକାରର ଋଣ ଉପରେ ସୁଧ ହାର ୦.୧୫%ହ୍ରାସ କରାଯାଇଛି। ନୂତନ ସୁଧ ଅଗଷ୍ଟ ୧୦ରୁ ଲାଗୁ ହେବ। ପୂର୍ବରୁ ବ୍ୟାଙ୍କର ଏମ୍‌ସିଏଲ୍‌ଆର୍‌ ହାର ୮.୪୦% ଥିଲା। ଆଜି ତାହାକୁ ୮.୨୫%କୁ ହ୍ରାସ କରାଯାଇଛି। ‌ରେପୋ ହାର ହ୍ରାସ ପାଇଥିବାରୁ ଷ୍ଟେଟ୍‌ ବ୍ୟାଙ୍କରୁ ଗୃହ ଋଣ ନେଇଥିବା ଗ୍ରାହକମାନେ ମଧ୍ୟ ଲାଭବାନ ହେବେ।

ସମ୍ବନ୍ଧିତ ଖବର