କେନ୍ଦ୍ରକୁ ରିଜର୍ଭ ବ୍ୟାଙ୍କ ଦେବ ୧.୭୬ ଲକ୍ଷ କୋଟି

ବିମଳ ଜାଲାନ କମିଟିର ସୁପାରିସକୁ ଅନୁମୋଦନ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଭାଂଶ ଓ ବଳକା ପାଣ୍ଠି ବାବଦରେ କେନ୍ଦ୍ର ସରକାରଙ୍କୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହା ସରକାରଙ୍କୁ ରେକର୍ଡ ୧, ୨୩,୪୧୪ କୋଟି ଟଙ୍କାର ବଳକା ପାଣ୍ଠି ପ୍ରଦାନ କରିବ। ଏହା ବାଦ ୫୨ ହଜାର ୬୩୭ କୋଟି ଟଙ୍କାକୁ ଅତିରିକ୍ତ ବ୍ୟବସ୍ଥା ଭାବେ ଚିହ୍ନଟ କରାଯାଇଛି ଯାହା ସରକାରଙ୍କୁ ହସ୍ତାନ୍ତର କରାଯିବ।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ନେତୃତ୍ବରେ ଗଠନ କରାଯାଇଥିବା କମିଟି ଯେଉଁ ସୁପାରିସ କରିଥିଲା ଯାହାକୁ ରିଜର୍ଭ ବ୍ୟାଙ୍କ ବୋର୍ଡରେ ଅନୁମୋଦନ ପ୍ରଦାନ କରାଯାଇଛି। ତେଣୁ ଆଗାମୀ ଦିନରେ ସରକାରଙ୍କୁ ଏହି ପାଣ୍ଠି ଖୁବ୍‌ଶୀଘ୍ର ମିଳିବ ବୋଲି ଜଣାପଡ଼ିଛି। ୨୦୧୮ ଡିସେମ୍ବର ୨୬ରେ ଏହି କମିଟି ଗଠନ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ଠାରୁ ପାଣ୍ଠି ପାଇବା ସରକାର ତାହାକୁ ସାର୍ବଜନୀନ ‌କ୍ଷେତ୍ରର ଅଧିକ ପାଣ୍ଠି ବିନିଯୋଗ କରିପାରିବେ ଏବଂ ବ୍ୟାଙ୍କଗୁଡ଼ିକର ସ୍ଥିତି ସୁଧାରିବାକୁ ନୂତନ ପାଣ୍ଠି ଦେଇପାରିବେ। ସରକାରଙ୍କୁ ପ୍ରଦାନ କରାଯାଉଥିବା ବଳକା ପାଣ୍ଠିକୁ ଲାଭାଂଶ କୁହାଯାଏ। ଏଥର ଦୁଇ ଗୁଣା ଅଧିକ ଟଙ୍କା ପ୍ରଦାନ କରାଯିବ। ଗତବର୍ଷ ରିଜର୍ଭ ବ୍ୟାଙ୍କ ୬୫,୮୯୬ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲା। ୨୦୧୮-୧୯ ବର୍ଷ ଲାଗି ଏହା ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିସାରିଛି।

ରିଜର୍ଭ ବ୍ୟାଙ୍କ ପାଖରେ ଥିବା ଭଣ୍ଡାରରେ କେତେ ପରିମାଣର ବଳକା ଟଙ୍କା ରହିବା ଦରକାର ତାହା ଧାର୍ଯ୍ୟ କରିବା ଲାଗି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା। ବିଭିନ୍ନ ପ୍ରକାର ସମ୍ଭାବ୍ୟ ବିପଦର ମୁକାବିଲା କରିବା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ କେତେ ଟଙ୍କା ରହିବା ଦରକାର ତାହା କମିଟି ଧାର୍ଯ୍ୟ କରିଛି। ଜାଲାନ କମିଟି ଯେଉଁ ସବୁ ସୁପାରିସ୍‌ କରିଥିଲା ତାହାକୁ ରିଜର୍ଭ ବ୍ୟାଙ୍କ ବୋର୍ଡ ଅନୁମୋଦନ ପ୍ରଦାନ କରିଛି। କମିଟି ସୁପାରିସ କରିଛି ଯେ, ରିଜର୍ଭ ବ୍ୟାଙ୍କ ବାଲାନ୍ସ ସିଟ୍‌ର ୫.୫%ରୁ ୬.୫% ରାଶି ‘ରିଅଲାଇଜଡ୍ ଇକ୍ବିଟି’ ଭାବେ ରହିବ। ରିଜର୍ଭ ବ୍ୟାଙ୍କର ଏହି ରିଅଲାଇଜଡ୍ ଇକ୍ବିଟି ଏବେ ବାଲାନ୍ସ ସିଟ୍‌ର ୬.୮% ସ୍ତରରେ ରହିଛି, ଯାହା କମିଟିର ସୁପାରିସ ଅନୁସାରେ ଅଧିକ। ସେହି ବଳକା ପାଣ୍ଠିର ପରିମାଣ ହେଉଛି ୫୨,୬୩୭ କୋଟି ଟଙ୍କା ଯାହା କେନ୍ଦ୍ରକୁ ହସ୍ତାନ୍ତର କରାଯିବ। ସେହିପରି, ରିଜର୍ଭ ବ୍ୟାଙ୍କର ‘ଅର୍ଥନୈତିକ ପୁଞ୍ଜି’ ସ୍ତର ଏହାର ମୋଟ ବାଲାନ୍ସ ସିଟ୍‌ର ୨୦%ରୁ ୨୪.୫% ଭିତରେ ରହିବ ବୋଳି କମିଟି ସୁପାରିସ କରିଛି। ବର୍ତ୍ତମାନ ଏହା ୨୩.୩% ସ୍ତରରେ ଥିବାରୁ, କମିଟି ହିସାବ ଅନୁସାରେ ତାହାର ମୂଲ୍ୟ ହେଉଛି ୧ ଲକ୍ଷ ୨୩ ହଜାର ୪୧୪ କୋଟି ଟଙ୍କା। ସେହି ଟଙ୍କା ମଧ୍ୟ ସରକାରଙ୍କ ଖାତାକୁ ଯିବ। ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥ ସଚିବ ରାଜୀବ କୁମାର ଓ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର