ରିଜର୍ଭ ବ୍ୟାଙ୍କ ରିପୋର୍ଟ: ଓଡ଼ିଶା ଗଣିଛି ୪୬୮୦ କୋଟି ସୁଧ

ଭୁବନେଶ୍ୱର: ବିଗତ କିଛି ବର୍ଷ ହେଲା ଓଡ଼ିଶା ସରକାରଙ୍କ ସୁଧ ବ୍ୟୟ ବଢ଼ିବାରେ ଲାଗିଛି। ସରକାରଙ୍କୁ କୋଟି କୋଟି ଟଙ୍କାର ସୁଧ ଗଣିବାକୁ ପଡ଼ୁଛି। ଗତ ତିନୋଟି ଆର୍ଥିକ ବର୍ଷରେ ସୁଧ ବ୍ୟୟ ପରିମାଣ କ୍ରମାଗତ ଭାବେ ବଢ଼ିଛି। ୨୦୧୭-୧୮ରେ ଓଡ଼ିଶା ସରକାର ୪୬୮୦ କୋଟି ଟଙ୍କାର ସୁଧ ଗଣିଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୧୫-୧୬ରେ ଓଡ଼ିଶା ୨୭୮୦ କୋଟି ଟଙ୍କା ଓ ୨୦୧୬-୧୭ରେ ୪୩୪୦ କୋଟି ଟଙ୍କାର ସୁଧ ଗଣିଥିଲା। ରିପୋର୍ଟ କହୁଛି ଯେ, ଓଡ଼ିଶା ସରକାର ବିଗତ ତିନି ଆର୍ଥିକ ବର୍ଷରେ କେନ୍ଦ୍ରଠାରୁ ଯଥାକ୍ରମେ ୭୪୦ କୋଟି ଟଙ୍କା (୨୦୧୫-୧୬), ୬୬୦ କୋଟି ଟଙ୍କା (୨୦୧୬-୧୭) ଓ ୨୦୦୦ କୋଟି ଟଙ୍କା (୨୦୧୭-୧୮) ଋଣ ଆକାରରେ ଆଣିଥିଲେ। ଏହା ବ୍ୟତୀତ ବଜାରରୁ ବିପୁଳ ପରିମାଣର ଋଣ ଉଠାଇଥିଲେ। ୨୦୧୫-୧୬ରେ ରାଜ୍ୟ ସରକାରଙ୍କ ବଜାର ଋଣ ପରିମାଣ ୪୪୭୦ କୋଟି ଟଙ୍କା ଥିଲା। ୨୦୧୭-୧୮ ସୁଦ୍ଧା ତାହା ୮୪୪୦ କୋଟି ଟଙ୍କାରେ ପହଞ୍ଚିଯାଇଛି। ବର୍ଷକୁ ବର୍ଷ ସରକାରଙ୍କ ବଜାର ଋଣ ପରିମାଣ ବଢ଼ିବାରେ ଲାଗିଛି। ଓଡ଼ିଶାର ଆର୍ଥିକ ଚିତ୍ରକୁ ଏହି ରିପୋର୍ଟରେ ବିସ୍ତତ ଭାବେ ଉପସ୍ଥାପନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିଗତ ତିନି ଆର୍ଥିକ ବର୍ଷରେ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ହୋଇ ରହିଛି। କିନ୍ତୁ ବଳକା ରାଶି ପରିମାଣ ହ୍ରାସ ପାଇବାରେ ଲାଗିଛି। ୨୦୧୫-୧୬ରେ ଓଡ଼ିଶାର ରାଜସ୍ୱ ବଳକା ୧୦,୧୪୦ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା। ୨୦୧୭-୧୮ ସୁଦ୍ଧା ତାହା ୬୬୯୦ କୋଟି ଟଙ୍କା ସ୍ତରକୁ ଖସିଆସିଛି।

ଓଡ଼ିଶା କେନ୍ଦ୍ରରୁ ପାଉଥିବା ଏହାର ଅଂଶ ବାବଦ ଅର୍ଥରାଶି ପରିମାଣ ମଧ୍ୟ ବିଗତ ତିନି ବର୍ଷ ଭିତରେ ବଢ଼ିଛି। ୨୦୧୫-୧୬ରେ ଏବବାଦରେ ଓଡ଼ିଶା ୩୮,୪୪୦ କୋଟି ଟଙ୍କା ପାଇଥିଲା। ୨୦୧୬-୧୭ରେ ତାହା ୪୮,୬୨୦ କୋଟି ଟଙ୍କା ଓ ୨୦୧୭-୧୮ରେ ତାହା ୫୪,୬୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟଗୁଡ଼ିକର ବଜେଟ୍‌କୁ ଅନୁଧ୍ୟାନ କରି ରିଜର୍ଭ ବ୍ୟାଙ୍କ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ସବୁ ରାଜ୍ୟର ଆର୍ଥିକ ସ୍ଥିତି ବିଷୟରେ ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। ଦେଶର ସବୁ ରାଜ୍ୟ ବିଷୟରେ ଏହି ରିପୋର୍ଟରେ କୁହାଯାଇଛି ଯେ ଜିଏସ୍‌ଟି ଓ ସପ୍ତମ ବେତନ କମିସନଙ୍କ ସୁପାରିସ୍‌ ଲାଗୁ କରିବା ପରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିରେ ଅବନତି ହୋଇଛି।

ବିକାଶମୂଳକ ଖର୍ଚ ବଢ଼ିଛି

ବିକାଶମୂଳକ କାର୍ଯ୍ୟଗୁଡ଼ିକରେ ଓଡ଼ିଶା ସରକାରଙ୍କ ଖର୍ଚ ପରିମାଣ କ୍ରମାଗତ ଭାବେ ବଢ଼ିଛି। ୨୦୧୫-୧୬ରେ ଏବବାଦରେ ସରକାର ଖର୍ଚ କରିଥିଲେ ୫୯,୮୦୦ କୋଟି ଟଙ୍କା। ୨୦୧୭-୧୮ ସୁଦ୍ଧା ସେହି ଖର୍ଚ ପରିମାଣ ୭୬,୯୩୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୫-୧୬ରେ ଅଣ ବିକାଶମୂଳକ କାର୍ଯ୍ୟରେ ସରକାର ୧୫୫୨୦ କୋଟି ଟଙ୍କା ଓ ୨୦୧୭-୧୮ରେ ୨୫,୮୩୦ କୋଟି ଟଙ୍କା ଖର୍ଚ କରିଥିଲେ ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର