ରିଜର୍ଭ ବ୍ୟାଙ୍କ ରିପୋର୍ଟ: ସବ୍ସିଡି ବାଣ୍ଟିବାରେ ଓଡ଼ିଶା ଆଗୁଆ
ମାଗଣା ସ୍କିମ୍ରେ ଅଧିକ ବ୍ୟୟ
ଭୁବନେଶ୍ବର: ହିତାଧିକାରୀଙ୍କୁ ସବ୍ସିଡି ବାଣ୍ଟିବାରେ ଆଗରେ ଥିବା ଶ୍ରେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା ନାମ ରହିଛି। ଗତ ତିନି ବର୍ଷ ମଧ୍ୟରେ ଝାଡ଼ଖଣ୍ଡ, କେରଳ, ଓଡ଼ିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଦେଇଥିବା ସବ୍ସିଡିରେ ସର୍ବାଧିକ ବୃଦ୍ଧି ହୋଇଛି। ଗୁଜରାଟ, ପଞ୍ଜାବ ଓ ଛତିଶଗଡ଼ ସେମାନଙ୍କ ରାଜସ୍ବ ବ୍ୟୟର ୧୦%ରୁ ଅଧିକ ଅର୍ଥ ସବ୍ସିଡି ବାବଦରେ ଖର୍ଚ୍ଚ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ୨୦୨୨ ଜୁନ୍ ବୁଲେଟିନ୍ରେ କୁହାଯାଇଛି ଯେ ରାଜ୍ୟ ସରକାରମାନେ ଯେଉଁ ସବ୍ସିଡି ଦେଉଛନ୍ତି ତାହାର ସିଂହ ଭାଗ ମାଗଣା ସ୍କିମ୍ରେ ପ୍ରଦାନ କରୁଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ଦିଆଯାଉଥିବା ସହାୟତା ପାଇଁ ଯଦି ସବ୍ସିଡି ବାବଦ ଅର୍ଥ ଖର୍ଚ୍ଚ କରାଯିବ ତେବେ ତାହାର ଅର୍ଥନୈତିକ ଲାଭ ମିଳିଥାଏ। ମାତ୍ର ମାଗଣା ସ୍କିମ୍ରେ ଦିଆଯାଉଥିବା ସବ୍ସିଡିରୁ କୌଣସି ଅର୍ଥନୈତିକ ଲାଭ ମିଳେନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟଗୁଡ଼ିକ ମାଗଣା ବିଦ୍ୟୁତ, ମାଗଣା ପାଣି, ମାଗଣା ପରିବହନ ସୁବିଧା, ବିଦ୍ୟୁତ ବିଲ ଛାଡ଼ ଓ କୃଷି ଋଣ ଛାଡ଼ ଆଦିରେ ସବ୍ସିଡି ରାଶିକୁ ଅଧିକ ବ୍ୟୟ କରୁଛନ୍ତି। ସେଗୁଡ଼ିକୁ ମାଗଣା ସୁବିଧା ବୋଲି ବିଚାର କରାଯାଉଛି। ଏଭଳି ସ୍କିମ୍ଗୁଡ଼ିକର ଖରାପ ଦିଗ ହେଉଛି ଏହା ଦ୍ବାରା ଘରୋଇ ନିବେଶ ଆକୃଷ୍ଟ କରିବାର ଯେଉଁ କ୍ଷମତା ରହିଥାଏ ତାହା ହ୍ରାସ ପାଏ। ମଜୁରି ହାର କମ୍ ରହିବା କାରଣରୁ ଶ୍ରମ ଶକ୍ତିର ଯୋଗଦାନ ମଧ୍ୟ ହ୍ରାସ ପାଏ। ଯଦି ଗରିବ ଲୋକମାନଙ୍କୁ ନଜରରେ ରଖି ମାଗଣା ସବ୍ସିଡି ଦିଆଯିବ ତେବେ ତାହାର ଲାଭ ମିଳିବ ବୋଲି ଏହି ରିପୋର୍ଟରେ କୁହାଯାଇଛି। କିନ୍ତୁ ସେଥିରେ ବାଟମାରଣାକୁ ସର୍ବନିମ୍ନ ସ୍ତରରେ ରଖିବାକୁ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଆନ୍ଧ୍ରପ୍ରଦେଶ, ବିହାର, ହରିୟାଣା, ଝାଡ଼ଖଣ୍ଡ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ୨୦୨୨-୨୩ରେ ମାଗଣା ସ୍କିମ୍ ପାଇଁ ସେମାନଙ୍କ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୦.୧-୨.୭% ପର୍ଯ୍ୟନ୍ତ ଅର୍ଥ ବ୍ୟୟ କରିବେ ବୋଲି ସେମାନଙ୍କ ବଜେଟ୍ରେ ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜୁନ୍ ପରେ ରାଜ୍ୟଗୁଡ଼ିକୁ ଆଉ କେନ୍ଦ୍ରରୁ ଜିଏସ୍ଟି କ୍ଷତିପୂରଣ ମିଳିବ ନାହିଁ। ସେଭଳି ସ୍ଥିତିରେ ଯଦି ମାଗଣା ସ୍କିମ୍ ଜରିଆରେ ବହୁ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରହିବ ତେବେ ତାହା ସରକାରଙ୍କ ରାଜକୋଷ ଉପରେ ଚାପ ପକାଇବ। ତେଣୁ ଦୀର୍ଘମିଆଦୀ ଲାଭ ପାଇବା ଲାଗି ନିଜ ବ୍ୟୟର ଢାଞ୍ଚାକୁ ବଦଳାଇବାକୁ। ସବ୍ସିଡି ପାଉଥିବା ହିତାଧିକାରୀମାନଙ୍କୁ ଯଦି ବାସ୍ତବରେ ସଶକ୍ତ କରାଯାଇପାରିବ ତେବେ ଭବିଷ୍ୟତ ଏଭଳି ସୁବିଧା ଦେବାର ଆବଶ୍ୟକତା ରହିବ ନାହିଁ। ତାହା ଉପରେ ରାଜ୍ୟଗୁଡ଼ିକୁ ଅଧିକ ଧ୍ୟାନ ଦେବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି।
ଯେଉଁମାନେ ଯୋଗ୍ୟ ଯଦି କେବଳ ସେମାନଙ୍କୁ ସବ୍ସିଡି ଦିଆଯିବ ତେବେ ରାଜସ୍ବ ସଞ୍ଚୟ ହୋଇପାରିବ। ସେହି ରାଶିକୁ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗବେଷଣା ଓ ବିକଶା, ଗ୍ରାମୀଣ ଭିତ୍ତିଭୂମି ଆଦି କାର୍ଯ୍ୟରେ ରାଜ୍ୟ ସରକାର ନିବେଶ କରିପାରିବେ ଯାହା କେବଳ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୯-୨୦ରେ ରାଜ୍ୟଗୁଡ଼ିକର ସବ୍ସିଡି ବ୍ୟୟ ହ୍ରାସ ପାଇବା ପରେ ୨୦୨୦-୨୧ରେ ସେଥିରେ ୧୨.୯% ଓ ୨୦୨୧-୨୨ରେ ୧୧.୨ ବୃଦ୍ଧି ଘଟିଛି। ରାଜ୍ୟଗୁଡ଼ିକର ମୋଟ ବ୍ୟୟର ୮.୨% ରାଶି ସବ୍ସିଡି ବାବଦରେ ଖର୍ଚ୍ଚ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି।