ରିଜର୍ଭ ବ୍ୟାଙ୍କ ରିପୋର୍ଟ: ଭୁବନେଶ୍ବରରେ ଘର ଖଣ୍ଡେ କିଣିବା ପାଇଁ ମାସିକ ଆୟର ୫୪ ଗୁଣ ଟଙ୍କା ଦରକାର

ଗୃହ ଋଣର ମାସିକ କିସ୍ତି ବୋଝ ବଢ଼ିଛି, ଗ୍ରାହକଙ୍କୁ ବଡ଼ ଋଣ ନେବାକୁ ପଡ଼ୁଛି

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଘର ଖଣ୍ଡେ କିଣିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଲାଣି। ଭୁବନେଶ୍ବରରେ ଘର ଖଣ୍ଡେ କିଣିବାକୁ ହେଲେ ଲୋକମାନଙ୍କୁ ନିଜ ହାରାହାରି ମାସିକ ଆୟର ୫୪.୩ ଗୁଣ ଅଧିକ ଟଙ୍କା ଯୋଗାଡ଼ କରିବାକୁ ପଡ଼ୁଛି। ବିଗତ କିଛି ବର୍ଷ ଭିତରେ ଏହି ଅନୁପାତ ବଢ଼ିଚାଲିଛି। ସେହିପରି ବାର୍ଷିକ ଆୟକୁ ନେଇ କରାଯାଇଥିବା ହିସାବରୁ ଜଣାପଡ଼ିଛି ଯେ, ଭୁବନେଶ୍ବରରେ ଘର ଖଣ୍ଡେ କିଣିବା ପାଇଁ ବାର୍ଷିକ ଆୟର ୨.୮ ଗୁଣ ଅଧିକ ଟଙ୍କା ଦରକାର ହେଉଛି। ଏକଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି। ସର୍ବଭାରତୀୟ ସ୍ତରରେ, ଘର ଖଣ୍ଡେ କିଣିବା ପାଇଁ ଲୋକମାନଙ୍କୁ ନିଜ ହାରାହାରି ମାସିକ ଆୟର ୬୧ ଗୁଣା ଅଧିକ ଟଙ୍କା ଯୋଗାଡ଼ କରିବାକୁ ପଡ଼ୁଛି। ଯେଉଁ ଲୋକମାନେ ଋଣ ନେଇ ଘର କିଣିଛନ୍ତି ସେମାନେ ନିଜ ଆୟର ଏକ ସିଂହ ଭାଗ ମାସିକିଆ କିସ୍ତି ଦେବାରେ ବ୍ୟବହାର କରୁଛନ୍ତି। ଦେଶର ପ୍ରାୟ ସବୁ ପ୍ରମୁଖ ସହରରେ ଲୋକଙ୍କ ପାଇଁ ଘର କିଣିବା କଷ୍ଟକର ହୋଇପଡ଼ିଛି। ଘରଗୁଡ଼ିକର ହାରାହାରି ମୂଲ୍ୟ ଓ ‌ତାହାକୁ କିଣିବା ପାଇଁ ଦରକାର ହେଉଥିବା ହାରାହାରି ମାସିକ ଆୟର ଏକ ଅନୁପାତ ବାହାର କରାଯାଇଛି। ଯେଉଁ ସହରରେ ଏହି ଅନୁପାତ ଯେତେ ଅଧିକ ସେଠାରେ ଲୋକଙ୍କ ପାଇଁ ଘର କିଣିବା ସେତେ କଷ୍ଟକର ବୋଲି କୁହାଯାଇଛି। ମୁମ୍ବାଇରେ ଏହି ଅନୁପାତ ସର୍ବାଧିକ ୭୪.୪ ରହିଥିବା ବେଳେ ଏହା ପଛକୁ ରହିଛି ଅହମ୍ମଦାବାଦ (୭୦.୪), ପୁନେ (୬୬.୬), ଚଣ୍ଡିଗଡ଼ (୬୩.୩) ଓ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି ଭୁବନେଶ୍ବର (୫୪.୩)। ବିଗତ ଚାରି ବର୍ଷରେ ଏହି ଅନୁପାତରେ ୧୦% ବୃଦ୍ଧି ହୋଇଥିବା ଜଣାପଡ଼ିଛି।

ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟ କହୁଛି, ଘର କିଣିଥିବା ଲୋକମାନଙ୍କ ଇଏମ୍‌ଆଇ ବୋଝ ବଢ଼ିଛି। ଅବଶ୍ୟ, ଗୃହ ଋଣ ବାବଦରେ ବ୍ୟାଙ୍କଗୁଡ଼ିକ ଯେଉଁ ଟଙ୍କା ଦେଇଥିଲେ ତାହା ବୁଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏବେବି ଋଣ ବୋଝ ଲୋକମାନଙ୍କ ମାସିକ ଆୟର ୪୦% ସୀମା ଭିତରେ ରହିଛି। ଏହା ସତ୍ତ୍ବେ ବ୍ୟାଙ୍କଗୁଡ଼ିକ ମୋଟା ଅଙ୍କର ଗୃହ ଋଣ ଦେବା ବେଳେ ଅଧିକ ସାବଧାନତା ଅବଲମ୍ବନ କରୁଛନ୍ତି। ଜଗିରଖି ଗୃହ ଋଣ ମଞ୍ଜୁର କରୁଛନ୍ତି। ଘଣ କିଣିବା ପାଇଁ ପୂର୍ବାପେକ୍ଷା ଅଧିକ ବଡ଼ ଋଣ ନେବାକୁ ପଡ଼ୁଛି। ଲୋକଙ୍କ ଉପରେ ଗୃହ ଋଣ ବୋଝ ବଢ଼ିବାରେ ଲାଗିଛି। ୨୦୧୫ ପରେ ଏହି ବୋଝ ୧୫% ବଢ଼ିଛି। ଘର ଖଣ୍ଡେ କିଣିବା ପାଇଁ ଭାରତୀୟମାନଙ୍କୁ ନିଜ ବାର୍ଷିକ ଆୟର ୩.୪ ଗୁଣ ଅଧିକ ଟଙ୍କା ଋଣ ଆକାରରେ ଆଣିବାକୁ ପଡ଼ୁଛି। ନିଜ ଆୟ ତୁଳନାରେ ଲୋକମାନେ ମୋଟା ଅଙ୍କର ଗୃହ ଋଣ ନେଉଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଦେଶରେ ନିର୍ମାଣ ହୋଇଥିବା ଅନେକ ନୂଆ ଘର ପାଇଁ ଗ୍ରାହକ ମିଳୁନାହାନ୍ତି। ବିଲ୍‌ଡର୍‌ମାନେ ନିର୍ମାଣ ଖର୍ଚ ଠାରୁ କମ୍ ଦାମ୍‌ରେ ତାହାକୁ ବିକି ପାରୁନାହାନ୍ତି। ଏହା ବିଲ୍‌ଡର୍‌ଙ୍କ ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର