ରିଜର୍ଭ ବ୍ୟାଙ୍କ ଭଣ୍ଡାରର ବଳକା ଟଙ୍କା:ସରକାରଙ୍କୁ ଏକକାଳୀନ ମିଳିବନି

୩ରୁ ୫ ବର୍ଷ ଭିତରେ ଭାଗ ଭାଗ କରି ଦେବାକୁ ସୁପାରିସ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଭଣ୍ଡାରରେ ଥିବା ବଳକା ଟଙ୍କା କେନ୍ଦ୍ର ସରକାରଙ୍କୁ ଏକକାଳୀନ ଦିଆଯିବ ନାହିଁ। ଆଗାମୀ ୩ରୁ ୫ ବର୍ଷ ଭିତରେ ବିଭିନ୍ନ ସମୟରେ ସେହି ଟଙ୍କାକୁ ଭାଗ ଭାଗ କରି ସରକାରଙ୍କୁ ପ୍ରଦାନ କରିବାକୁ ଜାଲାନ୍ କମିିଟି ସୁପାରିସ୍ କରିବ ବୋଲି ଜଣାପଡ଼ିଛି। ତେବେ ଭଣ୍ଡାରରୁ କେତେ ଟଙ୍କା ସରକାରଙ୍କୁ ଦିଆଯିବ ତାହା ଜଣାପଡ଼ିନାହିଁ।
ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ୯ ଲକ୍ଷ କୋଟିରୁ ଅଧିକ ବଳକା ଟଙ୍କା ଥିବା ଅନୁମାନ କରାଯାଉଛି। ସେହି ଟଙ୍କା ଉପରେ ସରକାର ଭାଗ ଚାହୁଛନ୍ତି। ତାହାକୁ ନେଇ ଅତୀତରେ ବିବାଦ ଦେଖାଦେଇଥିଲା ଏବଂ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ଗ୍ରହଣ କରିନପାରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍ ଇସ୍ତଫା ଦେଇ ଚାଲିଯାଇଥିଲେ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ବାସ୍ତବରେ କେତେ ଟଙ୍କା ରହିବା ଦରକାର ତାହା ଜାଣିବା ପାଇଁ ୨୦୧୮ ଡିସେମ୍ବରରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ନେତୃତ୍ବରେ ଏକ ଛଅ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। କମିଟିର ପ୍ରଥମ ବୈଠକ ଚଳିତ ବର୍ଷ ଜାନୁଆରି ୮ରେ ହୋଇଥିଲା। ୯୦ ଦିନ ଭିତରେ ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଥିଲା। କିନ୍ତୁ ଅନେକ ବୈଠକ ଆୟୋଜନ କରାଯିବା ପରେ ମଧ୍ୟ ସଦସ୍ୟଙ୍କ ଭିତରେ ସହମତି ହୋଇପାରିନଥିଲା। ତେଣୁ ଜାଲାନ୍ କମିଟିର କାର୍ଯ୍ୟକାଳକୁ ଆଉ ତିନି ମାସ ବଢ଼ାଇ ଦିଆଯାଇଥିଲା। କମିଟିର ଶେଷ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ସେଥିରେ ରିପୋର୍ଟକୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସରକାରଙ୍କୁ ୩ରୁ ୫ ବର୍ଷ ଭିତରେ ରିଜର୍ଭ ବ୍ୟାଙ୍କ ଭଣ୍ଡାରର ବଳକା ଟଙ୍କାକୁ ଭାଗ ଭାଗ କରି ପ୍ରଦାନ କରିବାକୁ କମିଟି ସୁପାରିସ୍ କରିଥିବା ଜଣାପଡ଼ିଛି। ରିପୋର୍ଟକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବାର ନୂଆ ତାରିଖ ଶୀଘ୍ର ଘୋଷଣା କରାଯିବ।
ପ୍ରତିବର୍ଷ ଲାଭାଂଶ ଆକାରରେ ରିଜର୍ଭ ବ୍ୟାଙ୍କ ଠାରୁ ସରକାର ମୋଟା ଅଙ୍କର ଟଙ୍କା ପାଇଥାନ୍ତି। ଗତବର୍ଷ ରିଜର୍ଭ ବ୍ୟାଙ୍କ ୬୮ ହଜାର କୋଟି ଟଙ୍କାର ଲାଭାଂଶ ଦେଇଥିଲା। ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ଠାରୁ ୯୦ ହଜାର କୋଟି ଟଙ୍କାର ଲାଭାଂଶ ପାଇବାକୁ ସରକାର ଆଶା ରଖିଛନ୍ତି।
ଗତବର୍ଷ ଟିକସ ଆୟ କମ ରହିବା ଓ ବିତ୍ତୀୟ ନିଅଣ୍ଟ ବେଲଗାମ ହୋଇଯିବା ପରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ବଳକା ପାଣ୍ଠି ଉପରେ ନଜର ପକାଇଥିଲେ। ସରକାରଙ୍କ ଯୁକ୍ତି ‌ହେଉଛି ବିଶ୍ବର ଅନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଏତେ ପରିମାଣର ବଳକା ପାଣ୍ଠି ନାହିଁ। ଅଯଥାରେ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଏତେ ଟଙ୍କା ପଡ଼ିରହିଛି। ତାହା ସରକାରଙ୍କୁ ମିଳିଲେ ଅନେକ କଲ୍ୟାଣମୂଳକ କାର୍ଯ୍ୟରେ ସେହି ଟଙ୍କାକୁ ବ୍ୟବହାର କରାଯାଇପାରନ୍ତା।
ଉଲ୍ଲେଖଯୋଗ୍ୟ, ରିଜର୍ଭ ବ୍ୟାଙ୍କର ବଳକା ପାଣ୍ଠିର ପ୍ରକୃତ ପରିମାଣ ଜାଣିବା ପାଇଁ ଜାଲାନ କମିଟି ପୂର୍ବରୁ ୧୯୯୭ରେ ଭି ସୁବ୍ରମଣିଅମ୍, ୨୦୦୪ରେ ଉଷା ଥୋରାଟ ଓ ୨୦୧୩ରେ ୱାଇ ଏଚ୍‌ ବେଲ୍‌ଗାମଙ୍କ ନେତୃତ୍ବରେ କମିଟି ଗଠନ କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ମୋଟ ସମ୍ପତ୍ତିର ୧୨% ଅର୍ଥରାଶିକୁ ଭଣ୍ଡାରରେ ରଖିବା ଲାଗି ସୁବ୍ରମଣିଅମ୍ କମିଟି ସୁପାରିସ କରିଥିଲା ଏବଂ ଥୋରାଟ୍‌ କମିଟି ୧୮% ଟଙ୍କା ରଖିବାକୁ ପରାମର୍ଶ ଦେଇଥିଲେ। ଥୋରାଟ୍‌ କମିଟିର ରିପୋର୍ଟକୁ ଗ୍ରହଣ କରାଯାଇନଥିଲା। ବେଲଗାମ୍ କମିଟି ରିପୋର୍ଟରେ ଭଣ୍ଡାର ପରିମାଣର ନିର୍ଦିଷ୍ଟ ସୂଚନା ନଥିଲା।

ସମ୍ବନ୍ଧିତ ଖବର