ଭୁବନେଶ୍ବର: ଆସନ୍ତା ତିନି ମାସରୁ ଏକ ବର୍ଷ ମଧ୍ୟରେ ଦରଦାମ୍ରେ ବୃଦ୍ଧି ହେବାର ଆଶଙ୍କା ରହିଛି। ଭୁବନେଶ୍ବରରେ ରହୁଥିବା ପରିବାରଗୁଡ଼ିକ ଏଭଳି ଭାବୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ସହରରେ ବାସ କରୁଥିବା ପରିବାରଗୁଡ଼ିକ ଭାବୁଛନ୍ତି ଯେ ବର୍ତ୍ତମାନର ମୁଦ୍ରାସ୍ଫୀତି ୭.୫ ପ୍ରତିଶତ ରହିଛି। ଆଗାମୀ ତିନି ମାସ ମଧ୍ୟରେ ତାହା ୧୦.୧ ପ୍ରତିଶତକୁ ବୃଦ୍ଧି ପାଇବ ଏବଂ ଏକ ବର୍ଷ ମଧ୍ୟରେ ତାହା ୯.୮ ପ୍ରତିଶତ ରହିବ। ଭୁବନେଶ୍ବର ସମେତ ଦେଶର ୧୯ଟି ସହରରେ ଗତ ମେ’ ୨ରୁ ୧୧ ଏହି ସର୍ବେକ୍ଷଣ କରାଯାଇଥିଲା। ସେଥିରେ ୬୦୭୯ ବୈଧ ପ୍ରତିକ୍ରିୟା ମିଳିଥିଲା। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଦେଶରେ ଏକ ବର୍ଷ ମଧ୍ୟରେ ଦରଦାମ୍ ସ୍ଥିତିରେ ସୁଧାର ଘଟିବ।
ତେଣୁ ଘର ପରିବାର ଚଳାଇବା ଲାଗି ଦରଦାମ୍ର ଯେଉଁ ଚାପ ରହୁଥିଲା, ତାହା ଆଗାମୀ ଦିନରେ ହାଲୁକା ହେବାର ସମ୍ଭାବନା ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ କମ୍ ଲୋକ ଦରଦାମ୍ ବଢ଼ିବ ବୋଲି ଭାବୁଛନ୍ତି। ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ଲୋକମାନେ କହିଛନ୍ତି ଯେ ଖାଦ୍ୟ, ଅଣ ଖାଦ୍ୟ, ଘରକରଣା ଜିନିଷ, ବାସଗୃହ ଓ ସେବାର ମୂଲ୍ୟରେ ଆଖିଦୃଶିଆ ହ୍ରାସ ହୋଇଛି। କିନ୍ତୁ ୫୫ ପ୍ରତିଶତ ପରିବାର ଭାବୁଛନ୍ତି ଯେ ଖାଇବା ଜିନିଷ ଦାମ୍ ଆଗାମୀ ଦିନରେ ବଢ଼ିବ। ଦରଦାମ୍କୁ ନେଇ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମତ ଭିନ୍ନ ଭିନ୍ନ ରହିଛି। ଯୁବପିଢ଼ି ଦରଦାମ୍ କମିଥିବା ଭାବୁଥିବା ବେଳେ ଅବସରକାଳୀନ ଜୀବନ ବିତାଉଥିବା ବରିଷ୍ଠ ନାଗରିକମାନେ ଦାମ୍ ଅଧିକ ଥିବା କହିଛନ୍ତି। ସହରଗୁଡ଼ିକ ମଧ୍ୟରେ ଜମ୍ମୁ, କୋଲକାତା ଓ ମୁମ୍ବାଇରେ ରହୁଥିବା ପରିବାରଗୁଡ଼ିକ ଦରଦାମ୍ ବଢ଼ିବ ବୋଲି କହିଛନ୍ତି। କିନ୍ତୁ ବେଙ୍ଗାଲୁରୁ ଓ ଅହମ୍ମଦାବାଦର ଲୋକ ଦର କମିବ ବୋଲି ଅନୁମାନ କରୁଛନ୍ତି।