ଚିନ୍ତାରେ ରିଜର୍ଭ ବ୍ୟାଙ୍କ

ବଦଳୁଛି ମଧ୍ୟବିତ୍ତଙ୍କ ଜୀବନଶୈଳୀ

ମୁମ୍ବାଇ: ଦେଶରେ ମଧ୍ୟବିତ୍ତଙ୍କ ଜୀବନଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏହି ବର୍ଗର ଲୋକମାନେ ବାହାରେ ବଡ଼ ହୋଟେଲରେ ଖାଇବା, ବିଳାସପୂର୍ଣ୍ଣ ସାମଗ୍ରୀ ସପିଙ୍ଗ୍‌ କରିବା, ସିନେମା ଦେଖିଯିବା ଓ ଦାମୀ ସେଲୁନ୍‌ରେ କେଶ ବିନ୍ୟାସ କରିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ଏପରିକି ଏହି ସବୁ ସେବା ପାଇଁ ଅଧିକ ଟଙ୍କା ଗଣିବାକୁ ଆଦୌ କୁଣ୍ଠିତ ହେଉନାହାନ୍ତି। ଅଧିକ ଟଙ୍କା ଖର୍ଚ କରିବାକୁ ସବୁବେଳେ ପ୍ରସ୍ତୁତ ରହୁଛନ୍ତି। ଏହି ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଅନେକ ସାମଗ୍ରୀ ମହଙ୍ଗା ହୋଇଯାଉଛି। କେବଳ ସେତିକି ନୁହେଁ, ମଧ୍ୟବିତ୍ତ ବର୍ଗ ଲୋକଙ୍କ ଏହି ବ୍ୟୟଧାରା ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି। ବିମୁଦ୍ରାକରଣ ଘୋଷଣା ଓ ଜିଏସ୍‌ଟି ଲାଗୁ କରାଯିବା ପରେ ଦେଶର ଅର୍ଥନୀତି କିଛି ମାସ ପାଇଁ ଧିମେଇ ଯାଇଥିଲା। ଲୋକଙ୍କ ନିକଟରେ ନଗଦ ଅର୍ଥ ସେତେଟା ନଥିଲା। ଫଳରେ ସେହି ସମୟରେ ମଧ୍ୟବିତ୍ତ ବର୍ଗର ଲୋକେ ନିଜ ଖର୍ଚକୁ ନିୟନ୍ତ୍ରଣରେ ରଖିବାକୁ ବାଧ୍ୟ ହୋଇଥିଲେ। ମାପିଚୁପି ଖର୍ଚ କରିବା ସହ ଅଯଥା ଖର୍ଚକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ।

ଏବେ କିନ୍ତୁ, ସେହି ଲୋକମାନଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳିଯାଇଛି। ଅଧିକ ଖର୍ଚ କରିବାରେ କୌଣସି ଅସୁବିଧା ରହୁନାହିଁ। ଗୁଣାତ୍ମକ ଜୀବନ ବଞ୍ଚିବା ପାଇଁ ଯାହା ସବୁ ଦରକାର ତାହା କରୁଛନ୍ତି। ସେମାନଙ୍କର ଏହି ଅଭ୍ୟାସ ଯୋଗୁଁ ଦେଶରେ ଦରଦାମ୍‌ ସ୍ଥିତି ବେଲଗାମ ହୋଇପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ନାମୀଦାମୀ କଂପାନିର ସାବୁନ୍‌, ସାମ୍ପୁ, ପର୍‌ଫ୍ୟୁମ୍‌ ଆଦିକୁ ସେମାନେ ବ୍ୟବହାର କରୁଛନ୍ତି। ପୂର୍ବରୁ ଏହି ସବୁ ଉତ୍ପାଦ ବିନା ମଧ୍ୟ ସେମାନେ ଚଳୁଥିଲେ। ଏବେ କିନ୍ତୁ ଅଧିକ ଟଙ୍କା ଖର୍ଚ କରି ଭଲ କଂପାନିର ଦାମୀ ଉତ୍ପାଦ କିଣିବାକୁ ପଛାଉ ନାହାନ୍ତି। ସାବୁନ୍‌ ଓ ସାମ୍ପୁ ଭଳି ଉତ୍ପାଦ ବିକ୍ରି କରୁଥିବା କଂପାନିଗୁଡ଼ିକର ବିକ୍ରି ଗ୍ରାମାଞ୍ଚଳରେ ବହୁତ ବଢ଼ିଯାଇଛି। ମଧ୍ୟବିତ୍ତ ବର୍ଗଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ସାମଗ୍ରୀର ଚାହିଦା ଓ ଦର ବଢ଼ୁଛି। କିଛି ଦିନ ଭିତରେ କୁକୁଡ଼ା ମାଂସ, ଖାସି ମାଂସ, ପନିପରିବା, ଅଣ୍ଡା ଓ ମସଲା ଦରରେ ୧୫-୨୫%ର ବୃଦ୍ଧି ହୋଇଛି। ଲୋକମାନଙ୍କ ଦ୍ୱାରା ଖର୍ଚ ପରିମାଣ ବଢ଼ିଥିବାରୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ଵିତ ହୋଇଛି। ମାତ୍ର ଯଦି ଦରଦାମ ବେଲଗାମ ହୋଇଯିବ ତେବେ ତାହାର ଯେଉଁ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ଓ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାହାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିବ। ମୁଦ୍ରାସ୍ଫୀତି ବଢ଼ିବା ଅର୍ଥନୀତି ପାଇଁ ଶୁଭ ସଙ୍କେତ ନୁହେଁ। ମେ’ ମାସରେ ମୁଦ୍ରାସ୍ଫୀତି ହାର ୪.୮୭% ହୋଇଯାଇଛି। ମୁଦ୍ରାସ୍ଫୀତି ବଢ଼ିଲେ ତାହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କକୁ ସୁଧ ହାର ବୃଦ୍ଧି କରିବାକୁ ପଡ଼ିଥାଏ। ଚଳିତ ବର୍ଷ ସୁଧ ହାର ଥରେ ବୃଦ୍ଧି ହୋଇସାରିଲାଣି। ମୂଲ୍ୟବୃଦ୍ଧି ଜାରି ରହିଲେ ରିଜର୍ଭ ବ୍ୟାଙ୍କ ପୁଣି ସୁଧ ବଢ଼ାଇବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର