ରିଜର୍ଭ ବ୍ୟାଙ୍କର ବଡ଼ ଚିନ୍ତା:ଗଦା ହୋଇଛି ୯୦୦ କୋଟି କଏନ୍

ନୂଆଦିଲ୍ଲୀ: କିଛି ବର୍ଷ ପୂର୍ବେ ବଜାରରେ ଖୁଚୁରା ମୁଦ୍ରା ବା କଏନ୍ ଉପଲବ୍ଧ ହେଉ ନଥିଲା। ଏଥିପାଇଁ ଲୋକଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ୁଥିଲା। ଏବେ କିନ୍ତୁ ଅର୍ଥନୀତିରେ ଏ ଚିତ୍ର ବଦଳି ଯାଇଛି। ରିଜର୍ଭ ବ୍ୟାଙ୍କ ନିକଟରେ ଏବେ ଏତେ ପରିମାଣର କଏନ୍ ମହଜୁଦ ହେଲାଣି ଯେ ତାହା କେନ୍ଦ୍ରୀୟ ବ୍ୟାଙ୍କର ଚିନ୍ତା ବଢ଼ାଇ ଦେଲାଣି। ଅର୍ଥ ମନ୍ତ୍ରାଳୟର କରେନ୍ସି ଆଣ୍ଡ କଏନ୍ ଡିଭିଜନ ପକ୍ଷରୁ ଏକ ବୈଠକରେ ଏ ନେଇ ଆଲୋଚନା ବାରମ୍ବାର ହେଉଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ରିଭର୍ସ ଫ୍ଲୋ ( ବଜାରରୁ ବ୍ୟାଙ୍କକୁ କଏନର ପ୍ରେରଣ) ବିଷୟରେ ବିଷଦଭାବେ ଆଲୋଚନା ହୋଇଛି। ଏହାର ସମାଧାନ ପାଇଁ ସରକାର କଏନର ବିକଳ୍ପ ପରିବହନ ଏବଂ ବ୍ରାଜିଲ, ଶ୍ରୀଲଙ୍କା ଏବଂ ମାଳଦୀପ ଭଳି ଦେଶକୁ ରପ୍ତାନିର ସମ୍ଭାବନା ସମ୍ପର୍କରେ ମଧ୍ୟ ଚିନ୍ତା କରୁଛନ୍ତି। ଏପରିକି କଏନ ବଣ୍ଟନର ଘରୋଇ କରଣ ବିଷୟରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି।
ମିଳିଥିବା ଏକ ସୂଚନା ଅନୁଯାୟୀ ବିମୁଦ୍ରୀକରଣ ପରେ ଦେଶରେ ଅଧିକ ମାତ୍ରାରେ କଏନ୍ ଉତ୍ପାଦନ ହୋଇଛି। ଏହା ହିଁ କଏନ୍ ମହଜୁଦ ହେବାର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି।
କରେନ୍ସି ଆଣ୍ଡ୍ କଏନ୍ ଡିଭିଜନ ପକ୍ଷରୁ ଅନୁଷ୍ଠିତ ବୈଠକରେ ରିଜର୍ଭ ବ୍ୟାଙ୍କ ପ୍ରତିନିଧି କଏନ ମହଜୁଦ ସମ୍ପର୍କରେ ଏକ ଭୟାନକ ଚିତ୍ର ଉପସ୍ଥାପନ କରିଛନ୍ତି। କିନ୍ତୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ଯେ, ଯେତିକି ପରିମାଣର କଏନ୍ ଉତ୍ପାଦନ ପାଇଁ ଇଣ୍ଡେଣ୍ଟ ବା ଆଦେଶ ଦିଆଯାଇଛି ତାହାକୁ ଏବେ ନେଇ ନିଆଯିବ। ଗତବର୍ଷ ନଭେମ୍ବର ୨୨ ତାରିଖରେ ଅନୁ‌ଷ୍ଠିତ ଏକ ବୈଠକର ରିପୋର୍ଟ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ନିକଟରେ ୯୦୦ କୋଟି କଏନ୍ ଗଦା ହୋଇ ରହିଛି। ଏତଦବ୍ୟତୀତ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୯-୨୦ ଆର୍ଥିକ ବଷଁ ପାଇଁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏସପିଏମସିଆଇଏଲ)କୁ ୩୪୦୦ ନିୟୁତ କଏନ୍ ଉତ୍ପାଦନ ଆଦେଶ ଦିଆଯାଇଛି। ଏସପିଏମସିଆଇଏଲର ମୋଟ କଏନ୍ ଉତ୍ପାଦନ କ୍ଷମତାର ଏହା ଏକ ତୃତୀୟାଂଶ ବୋଲି ଜଣାଯାଇଛି। ରିଜର୍ଭ ବ୍ୟାଙ୍କ ଚେଷ୍ଟରେ କଏନ୍ ରଖାଯିବା ନେଇ ସମସ୍ୟା ଦେଖାଦେଇଛି। କଏନ ଚାହିଦା ହ୍ରାସ ପାଇଥିବାରୁ ଦୀର୍ଘମିଆଦୀ ଭିତ୍ତିରେ ଏହାର ଉତ୍ପାଦନ ନେଇ କମ୍ ଆଦେଶ ଦେବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ୨୦୨୦-୨୧ ପାଇଁ ୮୭୦୦ ନିୟୁତ ଏବଂ ୨୦୨୧-୨୨ ପାଇଁ ୯୮୦୦ ନିୟୁତ ସଂଖ୍ୟକ କଏନ ଉତ୍ପାଦନ ପାଇଁ ଆଦେଶ ଦିଆଯାଇଛି। ପୂର୍ବରୁ ଅନୁଷ୍ଠିତ ପ୍ରଡକ୍ସନ ପ୍ଲାନିଂ ବୈଠକ (ପିପିଏମ)ରେ କଏନ୍ ମହଜୁଦ ରଖିବା ନେଇ ସ୍ଥାନାଭାବ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଯେତିକି ଉତ୍ପାଦନ ପାଇଁ ଆଦେଶ ଦିଆଯାଇଛି ତାହାକୁ ନେବା ପାଇଁ ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ସହମତ ହୋଇଥିଲେ ମଧ୍ୟ ମହଜୁଦ ରଖିବା ନେଇ ସ୍ଥାନାଭାବ ବିଷୟ ଉପରେ ଚିନ୍ତା ପ୍ରକଟ କରିଥିଲେ। ଏସପିଏମସିଆଇଏଲର ସିଏମଡି କହିଥିଲେ ସେମାନେ କଏନର ବଣ୍ଟନର ବିକଳ୍ପ ବିଷୟ ଅନୁଧ୍ୟାନ କରୁଛନ୍ତି। ଏହି ଅବସରରେ ଏକ ନନ୍ ଅଫିସିଆଲ ମଡେଲ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ କଏନ ବଣ୍ଟନ ନେଟୱାର୍କରେ ଅଣ ନିୟନ୍ତ୍ରିତ ସଂସ୍ଥାକୁ ସାମିଲ କରି ତାହାର ଘରୋଇ କରଣ କରାଯିବା ଯୋଜନା ରହିଛି। ତେବେ ଏ ବାବଦରେ ଯେଉଁ ଅତିରିକ୍ତ ଖର୍ଚ ହେବ ତାହାକୁ ସରକାରଙ୍କୁ ବହନ କରିବାକୁ ପଡ଼ିବ। ତେବେ ଏହା କରିବାକୁ ହେଲେ ଆଇନରେ ଆବଶ୍ୟକ ପରିବର୍ତନ ମଧ୍ୟ କରିବାକୁ ପଡ଼ିବ। ଏଥିସହିତ ବ୍ରାଜିଲ ସମେତ ପଡ଼ୋଶୀ ଶ୍ରୀଲଙ୍କା ଏବଂ ମାଳଦୀପକୁ କଏନର ରପ୍ତାନିର ସମ୍ଭାବନାକୁ ପରଖିବା ପାଇଁ ମଧ୍ୟ ଆଲୋଚନା ହୋଇଛି।

ଶକ୍ତିକାନ୍ତ ଦାସଙ୍କ ଦସ୍ତଖତରେ ଆସିବ ନୂଆ ୫୦ ଟଙ୍କିଆ
ମୁମ୍ବାଇ,: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତରେ ଖୁବଶୀଘ୍ର ନୂଆ ୫୦ ଟଙ୍କିଆ ନୋଟ୍ ପ୍ରଚଳନ ହେବ। ‌ମହାତ୍ମା ଗାନ୍ଧୀ (ନୂଆ) ସିରିଜ୍‌ରେ ଏହି ନୋଟ୍ ଗୁଡ଼ିକ ଆସିବ। ଆସିବାକୁ ଥିବା ନୂଆ ନୋଟ୍‌ର ଡିଜାଇନ ମଧ୍ୟ ମହାତ୍ମା ଗାନ୍ଧୀ (ନୂଆ) ସିରିଜ୍ ଭଳି ହେବ। ତେବେ ପୂର୍ବରୁ ପ୍ରଚଳିତ ଥିବା ୫୦ ଟଙ୍କିଆ ନୋଟ ଆଇନତଃ ଚାଲୁ ରହିବ।

ସମ୍ବନ୍ଧିତ ଖବର