ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ। ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ। ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୧୬ତମ ବୈଠକରେ ଏ ନେଇ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକବର୍ଷରେ ରିଜର୍ଭ ବ୍ୟାଙ୍କ ୨.୧୦ ଲକ୍ଷ କୋଟି ଏବଂ ୨୦୨୨-୨୩ରେ ୮୭,୪୨୦ କୋଟି ଟଙ୍କାର ବଳକା ପାଣ୍ଠି କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥିଲା। ରିଜର୍ଭ ବ୍ୟାଙ୍କ ୨୦୨୪-୨୫ ଆର୍ଥିକବର୍ଷ ଲାଗି ଏହି ପାଣ୍ଠି ସ୍ଥାନାନ୍ତର କରୁଥିବାବେଳେ ସରକାରଙ୍କ ଆକାଉଣ୍ଟରେ ଏହା ୨୦୨୫-୨୬ ବର୍ଷରେ ପ୍ରତିଫଳିତ ହେବ।
ଏଥିସହିତ ରିଜର୍ଭ ବ୍ୟାଙ୍କ ବୋର୍ଡ ଅର୍ଥନୈତିକ ପୁଞ୍ଜି ଢାଞ୍ଚାରେ ସଂଶୋଧନ ଆଣିଛି। ଏହି ସଂଶୋଧନ ଅନୁଯାୟୀ, ଆପତକାଳୀନ ପାଣ୍ଠି ବା କଣ୍ଟିଜେଣ୍ଟ ରିସ୍କ ବଫର୍ (ସିଆର୍ବି) ରାଶିକୁ ରିଜର୍ଭ ବ୍ୟାଙ୍କ ମୋଟ ଆୟବ୍ୟୟ ଆକାରର ୬.୦ ±୧.୫%ରେ ରଖାଯାଇଛି। ବର୍ତ୍ତମାନ ଏହି ସ୍ତର ୬.୫%ରୁ ୫.୫% ମଧ୍ୟରେ ରହିଛି।
ଅଧିକ ବିଦେଶୀ ମୁଦ୍ରା ବିକ୍ରି ଓ ଅନ୍ୟାନ୍ୟ କାରଣରୁ ରିଜର୍ଭ ବ୍ୟାଙ୍କ ଅଧିକ ଆୟ କରିଥିବାରୁ ଅଧିକ ପାଣ୍ଠି ସ୍ଥାନାନ୍ତର କରିବ ବୋଲି ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାବିସ୍ କହିଛନ୍ତି।
ସରକାର ରିଜର୍ଭ ବ୍ୟାଙ୍କ ସମେତ ଅନ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକଠାରୁ ୨.୫୬ ଲକ୍ଷ କୋଟି ଟଙ୍କା ପାଇବେ ବୋଲି ଲକ୍ଷ୍ୟ ରଖିଥିଲେ। ରିଜର୍ଭ ବ୍ୟାଙ୍କ ଅଧିକ ପାଣ୍ଠି ଦେଲେ ମଧ୍ୟ ସରକାରଙ୍କ ବିତ୍ତୀୟ ନିଅଣ୍ଟ ହ୍ରାସ ଉପରେ ସେତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ। ଅତିବେଶି ହେଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ୪.୪ ପ୍ରତିଶତରୁ ୪.୩ ପ୍ରତିଶତକୁ କମିବ ବୋଲି ସବନାବିସ୍ କହିଛନ୍ତି।