ସ୍ପଷ୍ଟୀକରଣ ଦେଲା ରିଜର୍ଭ ବ୍ୟାଙ୍କ

ବ୍ୟାଙ୍କଖାତା ପାଇଁ ଆଧାର ବାଧ୍ୟତାମୂଳକ

ମୁମ୍ବାଇ: ବ୍ୟାଙ୍କ ଖାତା ସହିତ ଆଧାର ନମ୍ବରକୁ ଯୋଡ଼ିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମାରେ ଖବର ପ୍ରକାଶ ପାଇବା ପରେ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବ୍ୟାଙ୍କ ଖାତା ସହିତ ଆଧାର କାର୍ଡକୁ ଯୋଡ଼ିବା ବାଧ୍ୟତାମୂଳକ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ପ୍ରଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆଇନ ଅନୁଯାୟୀ ଏହା ଅନିବାର୍ଯ୍ୟ ବୋଲି କୁହାଯାଇଛି। ବ୍ୟାଙ୍କ ଖାତା ସହିତ ଆଧାରକାର୍ଡକୁ ସଂଯୋଗ କରିବା ବାଧ୍ୟତାମୂଳକ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କ ଆର୍‌ଟିଆଇ ବଳରେ ମଗାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କହିଥିବା ନେଇ ଖବରମାନ ପ୍ରକାଶ ପାଇଥିଲା।

ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଟ୍ଵିଟ୍‌ରେ ଆଜି କୁହାଯାଇଛି, ବ୍ୟାଙ୍କ ଖାତା ସହିତ ଆଧାର ନମ୍ବରକୁ ଯୋଡ଼ିବା ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ, ଦ୍ୱିତୀୟ ସଂଶୋଧନ ନିୟମ-୨୦୧୭ ଅନୁଯାୟୀ ଅନିବାର୍ଯ୍ୟ। ଏହି ଆଇନର ଗେଜେଟ ବିଜ୍ଞପ୍ତି ଚଳିତବର୍ଷ ଜୁନ୍‌ ୧ରେ ପ୍ରକାଶ ପାଇସାରିଛି। ତେଣୁ ଏହି ଆଇନ ବଳବତ୍ତର ରହିଥିବାରୁ ଆର୍‌ବିଆଇଠାରୁ ଅଧିକ ନିର୍ଦ୍ଦେଶନାମାକୁ ଅପେକ୍ଷାନକରି ଏହାକୁ ବ୍ୟାଙ୍କ ଗୁଡ଼ିକ କାର୍ଯ୍ୟକାରୀ କରିବା ଉଚିତ ।
ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ ପକ୍ଷରୁ ଆଧାର ନମ୍ବର ଯୋଡ଼ିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। କେତେକ ବ୍ୟାଙ୍କ ଏହି କାର୍ଯ୍ୟକୁ ତ୍ୱରାନ୍ଵିତ କରୁଛନ୍ତି। ଡିସେମ୍ବର ୩୧ ତାରିଖ ସୁଦ୍ଧା ବ୍ୟାଙ୍କ ଖାତା ସହିତ ଆଧାରକାର୍ଡ ଯୋଡ଼ିବା କାର୍ଯ୍ୟକୁ ଶେଷ କରିବା ଲାଗି କୁହାଯାଇଛି। ସୁପ୍ରିମକୋର୍ଟ ମଧ୍ୟ ଆଧାର ବେଆଇନ ନୁହେଁ ଏବଂ ଗୋପନୀୟତା ସବୁକିଛି ନୁହେଁ ବୋଲି କହିିଛନ୍ତି। ତେବେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ଏବେ ଚାଲିଛି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଆଧାରକୁ ବାଧ୍ୟତାମୂଳକ କରାଯିବ କି ନାହିଁ ତାହା ସ୍ପଷ୍ଟ ହେବ। ସୁପ୍ରିମକୋର୍ଟଙ୍କ ରାୟ ପରେ ଯଦି ବ୍ୟାଙ୍କ ଖାତା ସହିତ ଆଧାରକାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଏ ତାହେଲେ ଆଗାମୀ ଦିନରେ ଆଧାର ସଂଯୋଗ ହୋଇ ନଥିବା ବ୍ୟାଙ୍କ ଖାତାଗୁଡ଼ିକୁ ଅଚଳ ମଧ୍ୟ କରି ଦିଆଯାଇପାରେ। ଯଦି ଏହା ହୁଏ ଏହାର ପ୍ରଭାବ ଜମାକାରୀଙ୍କ ଉପରେ ପଡ଼ିବ। ଅର୍ଥ ମନ୍ତ୍ରାଳୟର ନିର୍ଦେଶନାମା ପରେ ନୂଆ ବ୍ୟାଙ୍କ ଖାତା ଖୋଲିବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ତେଣୁ ଏହି ଦୃଷ୍ଟିରୁ ଯାହା ଜଣାପଡ଼ୁଛି ଅନ୍ୟ ବ୍ୟାଙ୍କ ଖାତାଧାରୀମାନଙ୍କୁ ମଧ୍ୟ ଏଥିରୁ ବାଦ୍‌ ଦିଆଯିବ ନାହିଁ।

କ୍ଷୁଦ୍ର ଆକାଉଣ୍ଟକୁ ଛାଡ଼ ମିଳିବ

ଶେଷ ତାରିଖ ବା ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କ ଖାତା ସହିତ ଆଧାର ନମ୍ବରକୁ ନଯୋଡ଼ିଲେ ସମସ୍ତ ପ୍ରକାର ବ୍ୟାଙ୍କ ଖାତା ଅଚଳ ହେବନାହିଁ। କ୍ଷୁଦ୍ର ଆକାଉଣ୍ଟ ଗୁଡ଼ିକୁ ବାଦ୍‌ ଦିଆଯାଇପାରେ। କାରଣ ଆଧାର ବିନା ମଧ୍ୟ ଏହି ଆକାଉଣ୍ଟ ଗୁଡ଼ିକ ଖୋଲାଯାଇପାରୁଛି। ସେହି ଖାତାଗୁଡ଼ିକୁ କ୍ଷୁଦ୍ର ଆକାଉଣ୍ଟ କୁହାଯାଉଛି ଯେଉଁ ଆକାଉଣ୍ଟରେ ପ୍ରଥମତଃ ଗୋଟିଏ ଆର୍ଥିକ ବର୍ଷରେ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ହୋଇ ନଥିବ। ଦ୍ୱିତୀୟତଃ ଗୋଟିଏ ମାସରେ ସେହି ଖାତାରୁ ୧୦ ହଜାର ଟଙ୍କାରୁ ଅଧିକ ଅର୍ଥ ଉଠାଣ କିମ୍ବା ସ୍ଥାନାନ୍ତର କରାଯାଇ ନଥିବ। ତୃତୀୟତଃ କୌଣସି ପରିସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ୟାଙ୍କ ଖାତାରେ ଜମାରାଶି ୫୦ ହଜାର ଟଙ୍କାରୁ ଟପି ନଥିବ।

ସମ୍ବନ୍ଧିତ ଖବର