ଗୋଟିଏ ସ୍ଥାନରେ ବ୍ୟାଙ୍କ ଅଭିଯୋଗର ସମାଧାନ

ମୁମ୍ବାଇ : ସମନ୍ବିତ ଲୋକପାଳ ସ୍କିମ୍‌ରେ ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ବ୍ୟାଙ୍କ, ଅଣବ୍ୟାଙ୍କିଂ ଆର୍ଥିକ ପ୍ରତିଷ୍ଠାନ ଏବଂ ପେମେଣ୍ଟ୍ ସିଷ୍ଟମ ଅପରେଟରଙ୍କ ପାଇଁ ଏଣିକି ଗୋଟିଏ ଲୋକପାଳ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ବ୍ୟାଙ୍କ, ଏନବିଏଫସି ଏବଂ ପେମେଣ୍ଟ ସିଷ୍ଟମ ଅପରେଟରମାନେ ଗ୍ରାହକଙ୍କ ଅଭିଯୋଗକୁ ୩୦ ଦିନ ମଧ୍ୟରେ ସମାଧାନ କରି ନପାରିଲେ ବା ସେମାନଙ୍କ ସମାଧାନରେ ଗ୍ରାହକ ସନ୍ତୁଷ୍ଟ ନହେଲେ ଉକ୍ତ ଯୋଜନାରେ ବିନାମୂଲ୍ୟରେ ସମସ୍ୟାର ସମାଧାନ କରିବା ସୁଯୋଗ ପାଇବେ।

ଏଥିରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ତିନିଟି ‌ଲୋକପାଳ ବ୍ୟବସ୍ଥାକୁ ଏକତ୍ର କରାଯାଇଛି। ସେଗୁଡ଼ିକ ହେଲା ବ୍ୟାଙ୍କ ଲୋକପାଳ ଯୋଜନା ୨୦୦୬, ଏନବିଏଫସି ଲୋକପାଳ ସ୍କିମ ୨୦୧୮ ଏବଂ ଡିଜିଟାଲ କାରବାର ପାଇଁ ଲୋକପାଳ ସ୍କିମ ୨୦୧୯। କେବଳ ଉପରୋକ୍ତ ୩ଟି ଲୋକପାଳ ଯୋଜନାକୁ ଏକତ୍ର କରାଯାଇ ନାହିଁ ୫୦ କୋଟି କିମ୍ବା ତା’ଠାରୁ ଅଧିକ ଜମାଥିବା ପ୍ରାଥମିକ ସମବାୟ ବ୍ୟାଙ୍କକୁ ମଧ୍ୟ ଏହାର ପରିସରକୁ ଅଣାଯାଇଛି। ଗୋଟିଏ ସ୍ଥାନରେ ଅଭିଯୋଗ ଗ୍ରହଣ ଏବଂ ସମାଧାନ ବ୍ୟବସ୍ଥା ରିଜର୍ଭ ବ୍ୟାଙ୍କ-ଚଣ୍ଡିଗଡ଼ଠାରେ ସ୍ଥାପନ କରାଯାଇଛି। ଏଠାରେ ଉଭୟ ଚିଠି ଏବଂ ଇମେଲ୍ ମାଧ୍ୟମରେ ଆସୁଥିବା ଅଭିଯୋଗଗୁଡ଼ିକର ଗ୍ରହଣ ଏବଂ ପ୍ରାରମ୍ଭିକ କାର୍ଯ୍ୟ କରାଯିବ। ଗୋଟିଏ ଦେଶ ଗୋଟିଏ ଲୋକପାଳ ଆଭିମୁଖ୍ୟ ଉକ୍ତ ଯୋଜନାରେ ରହିଛି। ଅଭିଯୋଗ ଉଭୟ ଅଫଲାଇନ୍ ଓ ଅନଲାଇନରେ ଦାଖଲ କରାଯାଇ ପାରିବ।

ଉକ୍ତ ଯୋଜନାରେ ଜଣେ ଲୋକପାଳ ଏବଂ ଏକାଧିକ ଉପ‌ ଲୋକପାଳଙ୍କୁ ରିଜର୍ଭ ବ୍ୟାଙ୍କ ନିଯୁକ୍ତି ଦେଇପାରେ। ସମନ୍ବିତ ଲୋକପାଳ ଯୋଜନା ଦ୍ବାରା ଲୋକଙ୍କୁ ଅଭିଯୋଗ ପାଇଁ ଆଉ ଏକାଧିକ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଗୋଟିଏ ଦେଶ ଗୋଟିଏ ବ୍ୟାଙ୍କ ଲୋକପାଳ ଯୋଜନା ଦେଶ‌ରେ ସିଧାସଳଖ ଭାବେ ୪୪ କୋଟି ‌ଋଣ ଆକାଉଣ୍ଟ ଥିବା ବ୍ୟକ୍ତି ଏବଂ ୨୨୦ କୋଟି ଜମାଖାତା ଥିବା ବ୍ୟକ୍ତିଙ୍କ ପାଇଁ ସହାୟକ ହେବ। ଗୋଟିଏ ପ୍ଲାଟଫର୍ମରେ ଲୋକମାନେ ସେମାନଙ୍କ ଅଭିଯୋଗର ସମାଧାନ କରିପାରିବେ। ଅନଲାଇନ ଠକେଇ, ସାଇବର ଠକେଇ ଆଦିରେ ରିଜର୍ଭ ବ୍ୟାଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବହୁଳ ଉପଯୋଗ କରିବ। ବ୍ୟାଙ୍କ ଏବଂ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ସମନ୍ବୟ ରଖି କମ୍ ସମୟ ମଧ୍ୟରେ ଠକେଇ ମାମଲାର ସମାଧାନ କରି‌ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନାକୁ ଉତ୍ତମ ଭାବେ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓ ତାଙ୍କ ଟିମ୍‌ର ଢେର୍ ପ୍ରଶଂସା କରିଛନ୍ତି। ରିଜର୍ଭ ବ୍ୟାଙ୍କ ଭାରତକୁ ମଝବୁତ କରିଛି ଏବଂ ଆଗାମୀ ଦିନରେ ଏହା ଅବ୍ୟାହତ ‌ରହିବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର