ନୂଆଦିଲ୍ଲୀ: ୨୦୨୪-୨୫ ଆର୍ଥିକବର୍ଷର ତୃତୀୟ ତିନିମାସ (ଅକ୍ଟୋବରରୁ ଡିସେମ୍ବର)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୨ ପ୍ରତିଶତ ରହିଛି। ଖଣି, ବିନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଖରାପ ପ୍ରଦର୍ଶନ ସତ୍ତ୍ବେ କୃଷି କ୍ଷେତ୍ର ଭାରତୀୟ ଅର୍ଥନୀତିର ଜିଡିପିକୁ ଏକ ସମ୍ମାନଜନକ ସ୍ତରରେ ରଖିବାରେ ସଫଳ ହୋଇଛି। ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ୫.୬ ପ୍ରତିଶତ ରହିଥିବା ସମୟରେ ତୃତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ୬.୨ ପ୍ରତିଶତରେ ପହଞ୍ଚିଛି। କିନ୍ତୁ ୨୦୨୩-୨୪ ଆର୍ଥିକବର୍ଷର ତୃତୀୟ ତ୍ରୟମାସରେ ଭାରତ ହାସଲ କରିଥିବା ୯.୫ ପ୍ରତିଶତ ଜିଡିପି ଅଭିବୃଦ୍ଧି ତୁଳନାରେ ଏହା କମ୍ ରହିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆଜି ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି।
ଏଥିସହିତ ଚଳିତ ଆର୍ଥିକବର୍ଷ ପାଇଁ ଆଜି ପ୍ରକାଶ ପାଇଥିବା ଦ୍ବିତୀୟ ଅଗ୍ରିମ ଆକଳନରେ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବା ନେଇ ଦର୍ଶାଯାଇଛି। ଜାନୁଆରିରେ ହୋଇଥିବା ପ୍ରଥମ ଅଗ୍ରିମ ଆକଳନରେ ଜିଡିପି ଅଭିବୃଦ୍ଧି ୬.୪ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଥିଲା। ମୋଟ ମୂଲ୍ୟ ଯୋଗ (ଜିଭିଏ) ଅନୁସାରେ ବିନିର୍ମାଣ (ମାନୁଫାକ୍ଚରିଂ) କ୍ଷେତ୍ରର ଅଭିବୃଦ୍ଧି ତୃତୀୟ ତ୍ରୟମାସରେ ନୈରାଶ୍ୟଜନକ ଭାବେ ୩.୫ ପ୍ରତିଶତ ରହିଛି। ପୂର୍ବ ଆର୍ଥିକବର୍ଷର ତୃତୀୟ ତ୍ରୟମାସରେ ଏହା ୧୪ ପ୍ରତିଶତ ରହିଥିଲା। ସେହିଭଳି ୨୦୨୩-୨୪ର ଅକ୍ଟୋବର-ଡିସେମ୍ବରରେ ଖଣି କ୍ଷେତ୍ରର ଅଭିବୃଦ୍ଧି ୪.୭ ପ୍ରତିଶତ ଥିବାବେଳେ ୨୦୨୪-୨୫ର ସମାନ ସମୟରେ ତାହା ୧.୪ ପ୍ରତିଶତକୁ ଖସିଛି। ସେହିଭଳି ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୧୦ ପ୍ରତିଶତ ପରିବର୍ତ୍ତେ ୭ ପ୍ରତିଶତ ରହିଛି। କିନ୍ତୁ କୃଷି କ୍ଷେତ୍ରର ଅଭିବୃଦ୍ଧି ଉଲ୍ଲେଖନୀୟଭାବେ ୫.୬ ପ୍ରତିଶତ ରହିଛି, ଯାହାକି ପୂର୍ବ ଆର୍ଥିକବର୍ଷର ସମାନ ସମୟରେ ୧.୫ ପ୍ରତିଶତ ରହିଥିଲା। ତୃତୀୟ ତ୍ରୟମାସରେ ଗ୍ରାମୀଣ ଚାହିଦାରେ ବୃଦ୍ଧି ସହିତ ଅନୁକୂଳ ମୌସୁମୀ ବର୍ଷା ଏବଂ ସରକାରୀ ଖର୍ଚ୍ଚ ବୃଦ୍ଧି କାରଣରୁ ଜିଡିପି ଅଭିବୃଦ୍ଧି ଦ୍ବିତୀୟ ତ୍ରୟମାସ ତୁଳନାରେ ଅଧିକ ରହିଛି। ତେବେ ଚଳିତ ଆର୍ଥିକ ବର୍ଷର ଶେଷ ତିନିମାସର ପ୍ରଦର୍ଶନ ବେଶ୍ ଚମତ୍କାର ରହିବ ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ କହିଛନ୍ତି। ଭାରତ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ମହାକୁମ୍ଭ ଦେଶରେ ଖର୍ଚ୍ଚ ବଢ଼ାଇଛି। ତାହା ଅର୍ଥନୀତିକୁ ଆବଶ୍ୟକ ବଳ ପ୍ରଦାନ କରିବ। ମହାକୁମ୍ଭ ପ୍ରଭାବରେ ଆର୍ଥିକ ବର୍ଷ ଲାଗି ଧାର୍ଯ୍ୟ କରାଯାଇଥିବା ୬.୫ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ନିର୍ମାଣ କ୍ଷେତ୍ରରେ ୮.୬ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଆର୍ଥିକ, ରିଅଲ ଇଷ୍ଟେଟ୍ ଏବଂ ବୃତ୍ତିଗତ ସେବା କ୍ଷେତ୍ରର ଅଭିବୃଦ୍ଧି ୭.୨ ପ୍ରତିଶତ ଏବଂ ବାଣିଜ୍ୟ, ହୋଟେଲ, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସଂକ୍ରାନ୍ତ ସେବା କ୍ଷେତ୍ରର ଅଭିବୃଦ୍ଧି ୬.୪ ପ୍ରତିଶତ ରହିଛି। ତୃତୀୟ ତ୍ରୟମାସ ଜିଡିପିରେ ଆସିଥିବା ସୁଧାର କାରଣରୁ ଦ୍ବିତୀୟ ଅଗ୍ରିମ ଆକଳନରେ ଚଳିତ ଆର୍ଥିକବର୍ଷର ନମିନାଲ୍ ଜିଡିପି ବା ବର୍ତ୍ତମାନ ମୂଲ୍ୟରେ ଜିଡିପି ଅଭିବୃଦ୍ଧି ୯.୯ ପ୍ରତିଶତ ରହିବ ବୋଲି ଦର୍ଶାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ୯.୨ ପ୍ରତିଶତର ବାସ୍ତବ ଜିଡିପି ଅଭିବୃଦ୍ଧି ୧୨ ବର୍ଷରେ ସର୍ବାଧିକ। ତେବେ ଏଥିପାଇଁ କରୋନା ମହାମାରୀର ପରବର୍ତ୍ତୀ ବର୍ଷ ୨୦୨୧-୨୨ର ତଥ୍ୟକୁ ବିଚାରକୁ ନିଆଯାଇନାହିଁ। ବାର୍ଷିକ ଆକଳନ ଅନୁସାରେ ୨୦୨୪-୨୫ରେ ବାସ୍ତବ ଜିଡିପି ୧୮୭.୯୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ବର୍ତ୍ତମାନ ମୂଲ୍ୟରେ ତାହା ୩୩୧.୦୩ ଲକ୍ଷ କୋଟି ଟଙ୍କା ହେବ। ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧,୮୮,୮୯୨ ଟଙ୍କା ଆକଳନ କରାଯାଇଛି। ୨୦୨୨-୨୩ରେ ତାହା ୧,୬୯,୧୪୫ ଟଙ୍କା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/gdp_647.jpg)