ଜୋମାଟୋ, ସ୍ବିଗି ବିରୋଧରେ ରେସ୍ତୋରାଁ ସଂଘର ମେଳି; ସିସିଆଇକୁ ଦେଲେ ଅଧିକ ତଥ୍ୟ

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରି ସେବା ପ୍ରଦାନ କରୁଥିବା ଜୋମାଟୋ ଓ ସ୍ବିଗି ଭଳି ସଂସ୍ଥାକୁ ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ ବିରୋଧ କରିଛି। ଏହି କଂପାନିଗୁଡ଼ିକର କାର୍ଯ୍ୟଶୈଳୀ ସମ୍ପର୍କରେ ସଂଘ ତରଫରୁ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)ଙ୍କୁ ଅତିରିକ୍ତ ତଥ୍ୟ ପ୍ରଦାନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଜୋମାଟୋ ଓ ସ୍ବିଗି ଭଳି ସଂସ୍ଥା ବରାଦ ମୂଲ୍ୟ ଉପରେ ୨୫-୩୫% ପର୍ଯ୍ୟନ୍ତ କମିସନ ନେଉଥିଲେ। କେବଳ ସେତିକି ନୁହେଁ ସେମାନେ ଠିକ୍ ସମୟରେ ରେସ୍ତୋରାଁଗୁଡ଼ିକର ପ୍ରାପ୍ୟ ଦେଉନାହାନ୍ତି। ସେଥିପାଇଁ ସେମାନଙ୍କ ନଗଦ ରାଶି ପ୍ରବାହ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରେସ୍ତୋରାଁଗୁଡ଼ିକ ନିଜ ସହଯୋଗୀମାନଙ୍କୁ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ଦେଇପାରୁନାହାନ୍ତି। ଜୋମାଟୋ ଓ ସ୍ବିଗି ଆପ୍‌ରେ ଗ୍ରାହକଙ୍କ ଆଖି ସାମ୍ନାରେ ରହିବା ଲାଗି ଅଧିକ ରିହାତି ଦେବାକୁ ରେସ୍ତୋରାଁଗୁଡ଼ିକୁ ବାଧ୍ୟ କରାଯାଉଛି ବୋଲି ସଂଘ ତରଫରୁ ଅଭିଯୋଗ କରାଯାଇଛି।

ଜୁଲାଇ ୧ରେ ରେସ୍ତୋରାଁ ସଂଘ ପକ୍ଷରୁ ସ୍ବିଗି ଓ ଜୋମାଟୋ ବିରୋଧରେ ପ୍ରତିଯୋଗିତା କମିସନଙ୍କ ନିକଟରେ ପ୍ରଥମ ଅଭିଯୋଗ କରାଯାଇଥିଲା। ଆପ୍ ଜରିଆରେ ଖାଦ୍ୟ ବରାଦ କରୁଥିବା ଏହି କଂପାନିଗୁଡ଼ିକ ଅତ୍ୟଧିକ କମିସନ ନେଉଥିବା ଓ ବିପୁଳ ପରିମାଣର ରିହାତି ଦେବା ଲାଗି ବାଧ୍ୟ କରୁଛନ୍ତି ବୋଲି କମିସନ ଅଭିଯୋଗ କରିଥିଲା। ଏହାର ପ୍ରଭାବରେ ଅନେକ ରେସ୍ତୋରାଁ ଚାପ ଦେଇ ଗତି କରୁଛନ୍ତି। କିଛି ବନ୍ଦ ମଧ୍ୟ ହୋଇଗଲାଣି ବୋଲି ସଂଘ ପକ୍ଷରୁ କୁହାଯାଇଛି।

କରୋନା ମହାମାରୀ ମୁକାବିଲା ଲାଗି କଟକଣା ଜାରି ରହିଥିବାରୁ ଜୋମାଟୋ ଓ ସ୍ବିଗି ଭଳି ସଂସ୍ଥା ଉପରେ ରେସ୍ତୋରାଁଗୁଡ଼ିକ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ସେଥିପାଇଁ ସେମାନଙ୍କ କଥା ମାନିବାକୁ ପଡ଼ୁଛି। ଅନେକ ରେସ୍ତୋରାଁ କ୍ଷତିରେ ଚାଲୁଥିବା ବେଳେ ସେମାନେ ନିଜ ଖର୍ଚ୍ଚ ମଧ୍ୟ ବହନ କରିପାରୁନାହାନ୍ତି ବୋଲି ରେସ୍ତୋରାଁ ସଂଘ ତରଫରୁ କୁହାଯାଇଛି। ଦାମ୍‌ରେ ରାଜି ନହେଲେ ଆପ୍‌ରୁ ବିଦା କରିବା ଲାଗି ଖାଦ୍ୟ ଡେଲିଭରି ଦେଉଥିବା ସଂସ୍ଥାଗୁଡ଼ିକ ଧମକ ଦେଉଛନ୍ତି। ଅନ୍ୟ ମାଧ୍ୟମରେ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଥିବା କିଛି ରେସ୍ତୋରାଁକୁ ସ୍ବିଗି ଓ ଜୋମାଟୋ ଭଳି ସଂସ୍ଥା ନିଜ ଆପ୍‌ରୁ ବିଦା ମଧ୍ୟ କରିଛନ୍ତି ବୋଲି ସଂଘ ତରଫରୁ ଅଭିଯୋଗ କରାଯାଇଛି। ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ ଅଧୀନରେ ଦେଶର ୫ ଲକ୍ଷରୁ ଅଧିକ ରେସ୍ତୋରାଁ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର