ନୂଆଦିଲ୍ଳୀ: ଦେଶରେ ଖୁବ୍ଶୀଘ୍ର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । କୌଣସି ଅଳ୍ପ ବୟସର ପିଲା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ଦରକାର ପଡ଼ିବ । କେନ୍ଦ୍ର ସରକାର ଜାରି କରିଥିବା ଚିଠା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନରେ ଏହି ବ୍ୟବସ୍ଥା କରିଛନ୍ତି । ଏହା ଉପରେ ଫେବ୍ରୁଆରି ୧୮ ସୁଦ୍ଧା ମତାମତ ଦେବାକୁ ଅଂଶୀଦାରମାନଙ୍କୁ କୁହାଯାଇଛି । ନୂଆ ଆଇନରେ ଲୋକମାନଙ୍କ ପାଖରେ ସେମାନଙ୍କ ତଥ୍ୟର ଅଧିକ ନିୟନ୍ତ୍ରଣ ରହିବ । ଲୋକମାନେ ଚାହିଁଲେ କୌଣସି ତଥ୍ୟ ଡିଲିଟ୍ କରିବା ଲାଗି ଦାବି କରିପାରିବେ ।
ବ୍ୟକ୍ତିଗତ ତଥ୍ୟ ଅଧିକାରକୁ ନେଇ କମ୍ପାନିଗୁଡ଼ିକ ଅଧିକ ସ୍ବଚ୍ଛ ନୀତି ଆଣିବେ ଏବଂ ଲୋକଙ୍କ ତଥ୍ୟ ସଂଗ୍ରହ ପୂର୍ବରୁ ସେମାନଙ୍କୁ ତାହାର କାରଣ ବିଷୟରେ କମ୍ପାନି ଆଗୁଆ ଜଣାଇବା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିବ । ଏହି ଆଇନର ଉଲ୍ଲଂଘନ କଲେ କମ୍ପାନିକୁ ୨୫୦ କୋଟି ଟଙ୍କା ପର୍ୟ୍ୟନ୍ତ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ତଥ୍ୟ ପ୍ରକ୍ରିୟାକରଣ ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବାକୁ ଚିଠା ଆଇନରେ ବ୍ୟବସ୍ଥା କରାଯାଇଛି । ଏଥିରେ ଇ-କମର୍ସର ମଧ୍ୟ ସଂଜ୍ଞା ନିର୍ଦ୍ଧାରଣ କରାଯାଇଛି । ଅନଲାଇନ୍ ଗେମିଂରେ ମଧ୍ୟସ୍ଥ ସଂସ୍ଥାର ମଧ୍ୟ ସଂଜ୍ଞା ଧାର୍ଯ୍ୟ କରାଯାଇଛି ।