ଭୁବନେଶ୍ବର: କରୋନା ମହାମାରୀ ବ୍ୟାପିବା ପରେ ପଠପଢ଼ା ଠାରୁ ଆରମ୍ଭ କରି କିଣାକିଣି ବେଳେ ପେମେଣ୍ଟ୍‌ ଆଦି ଅନେକ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ ହେଉଛି। ଡିଜିଟାଲ୍‌ ସେବା ଉପଭୋଗ କରିବା ଲାଗି ଇଣ୍ଟରନେଟ୍ ଅତ୍ୟନ୍ତ ଜରୁରୀ। ଏହା ବିନା ଅନ୍‌ଲାଇନ୍ ସେବା ହାସଲ କରିହେବ ନାହିଁ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଓଡ଼ିଶାର ଅଧା ଲୋକଙ୍କ ପାଖରେ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚି ନାହିଁ। ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଛି। ଏକ୍ଷେତ୍ରରେ ଦେଶର ଅନେକ ରାଜ୍ୟ ଠାରୁ ଓଡ଼ିଶା ପଛୁଆ ରହିଛି। ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ ଓ କାଶ୍ମୀର, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

Advertisment

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁଯାୟୀ ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦.୩୪ ନିୟୁତ ଥିଲା। ସେଥି ମଧ୍ୟରୁ ୧୩.୦୯ ନିୟୁତ ଗ୍ରାମାଞ୍ଚଳରେ ଥିବା ବେଳେ ୭.୨୫ ନିୟୁତ ବ୍ୟବହାରକାରୀ ସହରାଞ୍ଚଳର ଥିଲେ। କିନ୍ତୁ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ସହରାଞ୍ଚଳର ୯୦ ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଥିବା ବେଳେ ଗ୍ରାମାଞ୍ଚଳରେ ମାତ୍ର ୩୭ ଜଣଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ପହଞ୍ଚିପାରିଛି। ଏକ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶା ପଛରେ ରହିଛି। ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚାଇବାରେ ଦିଲ୍ଲୀ ଶୀର୍ଷ ସ୍ଥାନରେ ଥିବା ବେଳେ ପଞ୍ଜାବ, ହିମାଚଳପ୍ରଦେଶ, କେରଳ ଓ ମହାରାଷ୍ଟ୍ର ମଧ୍ୟ ବହୁତ ଆଗରେ ରହିଛନ୍ତି। ଓଡ଼ିଶା ଠାରୁ ଆସାମ, ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ସ୍ଥିତି ଖରାପ ରହିଛି।