ନୂଆଦିଲ୍ଲୀ: ଚାଉଳ ଦାମ୍କୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଅଣ-ବାସମତି ଧଳା ଚାଉଳଗୁଡ଼ିକର ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଉସୁନା ଅଣ ବାସମତି ଓ ବାସମତି ଚାଉଳ ରପ୍ତାନି ନୀତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଦେଶରୁ ହେଉଥିବା ମୋଟ ଚାଉଳ ରପ୍ତାନିରେ ଅଣ-ବାସମତି ଧଳା ଚାଉଳର ଅବଦାନ ୨୫ ପ୍ରତିଶତ ରହିଛି। ସେହି ଚାଉଳ ରପ୍ତାନିକୁ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ପକ୍ଷରୁ ମୁକ୍ତରୁ ‘ନିଷିଦ୍ଧ’ ବର୍ଗରେ ସାମିଲ କରାଯାଇଛି। ଆଗାମୀ ଉତ୍ସବ ଋତୁ ସମୟରେ ଆବଶ୍ୟକ ପରିମାଣର ଚାଉଳ ବଜାରରେ ଉପଲବ୍ଧ କରିବା ଏବଂ ତାହାକୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ଲକ୍ଷ୍ୟ ନେଇ ଚାଉଳ ରପ୍ତାନି ଉପରେ କଟକଣା ଲଗାଯାଇଛି। ଗତ କିଛ ଦିନ ହେଲାଣି ଦେଶରେ ଚାଉଳ ମୂଲ୍ୟରେ ବୃଦ୍ଧି ହେଉଛି। ଚାଉଳର ଖୁଚୁରା ଦାମ୍ ଗତବର୍ଷ ତୁଳନାରେ ୧୧.୫ ପ୍ରତିଶତ ଓ ଗତ ମାସ ତୁଳନାରେ ୩ ପ୍ରତିଶତ ବଢ଼ିଛି। ଗତବର୍ଷ ସେପ୍ଟେମ୍ବର ୮ରେ ଅଣ ବାସମତି ଧଳା ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ୨୦୨୧ ସେପ୍ଟେମ୍ବରରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଏହି ଧରଣର ୩୩.୬୬ ଲକ୍ଷ ଟନ୍ ଚାଉଳ ରପ୍ତାନି ହୋଇଥିଲା। ରପ୍ତାନି ଟିକସ ଲାଗୁ କରିବା ସତ୍ତ୍ବେ ୨୦୨୨-୨୩ର ସମାନ ଅବଧିରେ ଏହି ପ୍ରକାରର ୪୨.୧୨ ଲକ୍ଷ ଟନ୍ ଚାଉଳ ରପ୍ତାନି ହୋଇଥିଲା। ୨୦୨୩ ଏପ୍ରିଲ୍-ଜୁନ୍ ମଧ୍ୟରେ ସେହି ପ୍ରକାର ଚାଉଳ ରପ୍ତାନି ପୂର୍ବବର୍ଷ ତୁଳନାରେ ୩୫ ପ୍ରତିଶତ ବୃଦ୍ଧି ପାଇ ୧୫.୫୪ ଲକ୍ଷ ଟନ୍ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp