ନୂଆଦିଲ୍ଲୀ: ୟୁପିଆଇ ସେବାରେ ନିୟମିତ ବ୍ୟବଧାନରେ ହେଉଥିବା ବିଭ୍ରାଟ ରୋକିବା ଲାଗି କେତେକ ସେବା ଉପରେ କଟକଣା ଲଗାଇବା ବିଷୟରେ ବିଚାର କରାଯାଉଛି। ବାଲାନ୍ସ ଅନୁସନ୍ଧାନ, ସ୍ବୟଂକ୍ରିୟ ପେମେଣ୍ଟ, କାରବାର ସ୍ଥିତି ଯାଞ୍ଚ କରିବା ଭଳି କେତେକ ସେବାର ସୀମା ନିର୍ଧାରଣ କରାଯିବ। ଅର୍ଥାତ ଗ୍ରାହକମାନେ ଦିନକୁ ନିର୍ଦ୍ଦିଷ୍ଟ କିଛି ଥର ଏହି ସେବା ବ୍ୟବହାର କରିପାରିବେ। ଫଳରେ ୟୁପିଆଇ କାରବାର ଉପରେ ସୃଷ୍ଟି ହେଉଥିବା ଚାପ କମ୍ ହେବ। ଅଗଷ୍ଟରୁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରାଯିବ।
ୟୁପିଆଇକୁ ପଠାଯାଉଥିବା ସମସ୍ତ ଅନୁରୋଧର ନିରୀକ୍ଷଣ କରିବାକୁ ବ୍ୟାଙ୍କ ଓ ୟୁପିଆଇ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ କୁହାଯାଇଛି। ଯଦି କୌଣସି ସଂସ୍ଥା ନିୟମ ପାଳନ କରିବାରେ ବିଫଳ ହେବ, ତେବେ ତାହା ଉପରେ ଜରିମାନା,ଏପିଆଇ କଟକଣା ଏବଂ ନୂଆ ଗ୍ରାହକ ଯୋଡ଼ିବା ଉପରେ ପ୍ରତିବନ୍ଧକ ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିୟମକୁ ଠିକ୍ ଭାବେ ପାଳନ କରାଯାଉଛି ବୋଲି ଦର୍ଶାଇ ସମସ୍ତ ବ୍ୟାଙ୍କ ଓ ୟୁପିଆଇ ସେବା ପ୍ରଦାନକାରୀ ସଂସ୍ଥା ଅଗଷ୍ଟ ୩୧ ସୁଦ୍ଧା ଲିଖିତ ପ୍ରତିଶ୍ରୁତି ଦେବେ। ତେବେ ୟୁପିଆଇ ସେବାରେ ଲାଗିବାକୁ ଥିବା ଏହି କଟକଣା ବ୍ୟବସାୟୀ ଓ ନିୟମିତ ବ୍ୟବଧାନରେ ବାଲାନ୍ସ ଯାଞ୍ଚ କରୁଥିବା ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ଆଶଙ୍କା ରହିଛି।