ନୂଆଦିଲ୍ଲୀ: ମା’ କ୍ଷୀର ବିକଳ୍ପ ନାହିଁ। ଏକଥାରେ ବିଶ୍ବାସ କରୁଥିବା ଦେଶ ଭାରତରେ ମା’ କ୍ଷୀର କିମ୍ବା ସେଥିରୁ ପ୍ରସ୍ତୁତ ଉତ୍ପାଦ ବିକ୍ରି ହୋଇପାରିବ ନାହିଁ। ମା’ କ୍ଷୀରର ବ୍ୟବସାୟ ଲାଗି ଦେଶରେ ଅନୁମତି ନାହିଁ। ତେଣୁ ଏଭଳି କାରବାରରୁ ବିରତ ରହିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ଚେତାବନୀ ଦେଇଛନ୍ତି।
ମା’ କ୍ଷୀର ଓ ସେଥିରୁ ପ୍ରସ୍ତୁତ ଉତ୍ପାଦର ବ୍ୟବସାୟ କରିବା ଲାଗି କେତେକ ପଞ୍ଜୀକୃତ ସୋସାଇଟି ଏଫ୍ଏସ୍ଏସ୍ଏଆଇକୁ ଅନୁରୋଧ କରିଥିଲେ। ଏହା ଜାଣିବା ପରେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଖାଦ୍ୟ ସୁରକ୍ଷା ଓ ମାନକ ନିୟମ, ୨୦୦୬ରେ ମା’ କ୍ଷୀରର ପ୍ରକ୍ରିୟାକରଣ କିମ୍ବା ବିକ୍ରିର ଅନୁମତି ଦିଆଯାଇନାହିଁ। ତେଣୁ ଏହାର ବ୍ୟବସାୟ ଲାଗି ହେଉଥିବା ସବୁ ପ୍ରକାର କାର୍ଯ୍ୟକଳାପ ବନ୍ଦ କରିବାକୁ ଏଫ୍ଏସ୍ଏସ୍ଏଆଇ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ ଖାଦ୍ୟ ବ୍ୟବସାୟ କରୁଥିବା ସଂସ୍ଥାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମା’ କ୍ଷୀର କିମ୍ବା ମାନବ ଦୁଗ୍ଧ କାରବାର ଲାଗି କୌଣସି ସଂସ୍ଥାକୁ ଲାଇସେନ୍ସ ନଦେବାକୁ ବିଭିନ୍ନ ରାଜ୍ୟର କର୍ତ୍ତୃପକ୍ଷଙ୍କୁ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି।
ଜାତୀୟ ଗାଇଡ୍ଲାଇନ୍ ଅନୁସାରେ ଦାନ କରାଯାଇଥିବା ମା’ କ୍ଷୀରକୁ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କେବଳ ହସ୍ପିଟାଲ୍ରେ ଭର୍ତ୍ତି ଥିବା ନବଜାତକ କିମ୍ବା ଶିଶୁଙ୍କୁ ତାହା ଦିଆଯାଇପାରିବ। ମା’ କ୍ଷୀରକୁ କେବଳ ସ୍ବେଚ୍ଛାକୃତ ଭାବେ ଏବଂ ମାଗଣାରେ ଦାନ କରାଯାଇପାରିବ। କେହି ସେଥିପାଇଁ ଅର୍ଥ ନେଇପାରିବେ ନାହିଁ।