ପନିପରିବା ମହଙ୍ଗା, ଡିସେମ୍ବର ଖୁଚୁରା ମୁଦ୍ରାସ୍ପୀତି ୫.୨୧%କୁ ବୃଦ୍ଧି

ନୂଆଦିଲ୍ଲୀ: ଡିସେମ୍ବର ମାସରେ ଭାରତର ଖୁଚୁରା ମୁଦ୍ରାସ୍ପୀତି ହାର ବିଗତ ୧୭ ମାସର ସର୍ବୋଚ୍ଚ ସ୍ତର ୫.୨୧ ପ୍ରତିଶତରେ ପହଞ୍ଚିଛି । ମୁଖ୍ୟତଃ ଖାଦ୍ୟ ସାମଗ୍ରୀ ମହଙ୍ଗା ହେବା କାରଣରୁ ଖୁଚୁରା ମୁଦ୍ରାସ୍ପୀତି ବଢିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ପୀତି ୪.୯୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହାକି ନଭେମ୍ବର ମାସରେ ୪.୩୬ ପ୍ରତିଶତ ଥିଲା । ଖାଦ୍ୟସାମଗ୍ରୀ ବିଶେଷକରି ଫଳ ଓ ପନିପରିବା ଦର ଏବେ ଚଢା ରହିଛି । ଶୀତ ଦିନେ ସାଧାରଣତଃ ପନିପରିବା ଦର ଶସ୍ତା ଥାଏ । କିନ୍ତୁ ଏବର୍ଷ ପ୍ରତିକୂୂଳ ପାଣିପାଗ ଯୋଗୁଁ ଏହା ମହଙ୍ଗା ରହିଛି । ବିଶେଷକରି ପିଆଜର ଦରବୃଦ୍ଧି ସରକାରଙ୍କ ଚିନ୍ତା ବଢାଇଦେଇଛି । ଦେଶରେ ଏବେ ପିଆଜ କିଲୋପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ଉତ୍ପାଦନ କମିବା ଯୋଗୁଁ ଓ ନୂଆ ଅମଳ ଆସିବାରେ ବିଳମ୍ବ ହେବା ଫଳରେ ଦର ବୃଦ୍ଧି ପାଇଛି । ତେବେ ଏହା ଏକ ସାମୟିକ ଦରବୃଦ୍ଧି ଓ ଖୁବଶୀଘ୍ର ଦର କମିବ ବୋଲି କେନ୍ଦ୍ର କୃଷି ସଚିବ ଏସକେ ପଟ୍ଟନାୟକ କହିଛନ୍ତି ।

ସରକାରୀ ତଥ୍ୟ ଅନୁସାରେ ୨୦୧୭-୧୮ ଫସଲ ବର୍ଷରେ ଦେଶର ପିଆଜ ଉତ୍ପାଦନ ପ୍ରାୟ ୪.୫ ପ୍ରତିଶତ କମି ୨୧.୪ ନିୟୁତ ଟନରେ ପହଞ୍ଚିବାର ସମ୍ଭାବନା ରହିଛି । ପୂର୍ବ ବର୍ଷ ପିଆଜ ଉତ୍ପାଦନ ୨୨.୪ ନିୟୁତ ଟନ ଥିଲା ।

ଖୁଚୁରାମୁଦ୍ରାସ୍ପୀତି ବଢିଚାଲିଥିବାରୁ ରିଜର୍ଭ ବ୍ୟାଙ୍କ ନିଜର ଆଗାମୀ ଋଣନୀତି ସମୀକ୍ଷାରେ କେତେକ ପଦକ୍ଷେପ ନେବାର ସମ୍ଭାବନା ରହିଛି । ଆସନ୍ତା ମାସ ୮ ତାରିଖରେ ରିଜର୍ଭ ବ୍ୟାଙ୍କ ନିଜର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବ ।

ସମ୍ବନ୍ଧିତ ଖବର