ଭୁବନେଶ୍ବର: ଦରଦାମ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶେଷ କରି ଖୁଚୁରା ବଜାର ଦରକୁ ନିୟନ୍ତ୍ରଣ କରିବାରେ ଏହା ଯଥେଷ୍ଟ ଉନ୍ନତି ଆଣିପାରିଛି। ଏକଦା ଭାରତର ସବୁଠୁ ମହଙ୍ଗା ବଜାର ଥିବା ଓଡ଼ିଶା ଏବେ ଦେଶର ପଞ୍ଚମ ଶସ୍ତା ବଜାର ଭାବେ ଉଭା ହୋଇଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ବିଭାଗ ଜାରି କରିଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଏହା କହୁଛି। ତେଲେଙ୍ଗାନା, ଦିଲ୍ଲୀ, ରାଜସ୍ଥାନ, ଝାଡ଼ଖଣ୍ଡ ପରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ସର୍ବନିମ୍ନ ସ୍ତରରେ ରହିଛି।
ଚଳିତ ବର୍ଷର ଏପ୍ରିଲ୍ ମାସରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୫୦ ପ୍ରତିଶତକୁ ହ୍ରାସ ପାଇଛି। ମାସକ ପୂର୍ବରୁ ତାହା ୩.୨୧ ପ୍ରତିଶତ ଥିଲା। ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଦରଦାମ୍ ସ୍ଥିତିରେ ସୁଧାର ଘଟିଛି। ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୨.୫୭ ପ୍ରତିଶତକୁ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୨୫ ପ୍ରତିଶତକୁ ହ୍ରାସ ପାଇଛି। ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ଜାତୀୟ ହାର ୩.୧୬ ପ୍ରତିଶତଠାରୁ ମଧ୍ୟ କମ୍ ରହିଛି। ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ମଧ୍ୟ ଜାତୀୟ ହାରଠାରୁ ଉନ୍ନତ ରହିଛି। ଆଲୋଚ୍ୟ ମାସରେ ମାଛ, ମାଂସ, ପନିପରିବା, ଫଳ, ମସଲା, ପର୍ସନାଲ୍ କେୟାର ଓ ଶସ୍ୟ ଆଦିର ଦାମ୍ ହ୍ରାସ ପାଇଛି। ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ନିମ୍ନ ସ୍ତରକୁ ହ୍ରାସ ପାଇଛି। ଶେଷ ଥର ପାଇଁ ୨୦୧୯ ଜୁଲାଇରେ ମୁଦ୍ରାସ୍ଫୀତିକୁ ଏଭଳି ନିମ୍ନ ସ୍ତରରେ ଦେଖିବାକୁ ମିଳିଥିଲା।
୨୦୨୪ ଡିସେମ୍ବରରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୬.୯୬ ପ୍ରତିଶତ ଭଳି ଉଦ୍ବେଗଜନକ ସ୍ଥିତିରେ ଥିଲା। କେନ୍ଦ୍ର ସରକାର ବାଧ୍ୟ ହୋଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦରଦାମ୍ ସ୍ଥିତି ଉପରେ ଲଗାମ ଲଗାଇବା ପାଇଁ ମନେ ପକାଇଥିଲେ। ୨୦୨୪ର ଅଧିକାଂଶ ମାସ ରାଜ୍ୟରେ ଦରଦାମ୍ ବେଲଗାମ ହୋଇପଡ଼ିଥିଲା। ୨୦୨୪ ମେ’ରେ ରାଜ୍ୟର ମୁଦ୍ରାସ୍ଫୀତି ୭.୧୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା ଓ ଓଡ଼ିଶା ଦେଶର ସବୁଠୁ ମହଙ୍ଗା ବଜାର ହୋଇଥିଲା। ବିଭିନ୍ନ ସାମଗ୍ରୀ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦରଦାମ୍ ଲଗାତାର ଭାବେ ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।
ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଶୀଳନରୁ ଜଣାପଡ଼ିଛି ଯେ ଏପ୍ରିଲ୍ରେ କେରଳର ମୁଦ୍ରାସ୍ଫୀତି ସର୍ବାଧିକ ୫.୯୪ ପ୍ରତିଶତ ରହିଛି। ତେଲେଙ୍ଗାନାର ମୁଦ୍ରାସ୍ଫୀତି ସର୍ବନିମ୍ନ ୧.୨୬ ପ୍ରତିଶତ ରହିଛି। କର୍ଣ୍ଣାଟକ, ପଞ୍ଜାବ ଏବଂ ଜମ୍ମୁ ଓ କାଶ୍ମୀରକୁ ବାଦ ଦେଲେ ପ୍ରାୟ ଅନ୍ୟ ସବୁ ରାଜ୍ୟର ମୁଦ୍ରାସ୍ଫୀତି ହାର ୨-୪ ପ୍ରତିଶତ ମଧ୍ୟରେ ରହିଛି। ଅଧିକାଂଶ ରାଜ୍ୟର ମୁଦ୍ରାସ୍ଫୀତି ୩ ପ୍ରତିଶତରୁ କମ୍ ରହିବା ଦେଶରେ ଦରଦାମ୍ ସ୍ଥିତିରେ ହୋଇଥିବା ସୁଧାରକୁ ଦର୍ଶାଉଛି।