୮ ବର୍ଷର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଖାଦ୍ୟ ଓ ଇନ୍ଧନ ସାମଗ୍ରୀର ଅତ୍ୟଧିକ ମୂଲ୍ୟବୃଦ୍ଧି ଫଳରେ ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୮ ବର୍ଷର ସର୍ବୋଚ୍ଚ ସ୍ତର ୭.୭୯ ପ୍ରତିଶତରେ ପହଞ୍ଚିଛି। ଏହା ପୂର୍ବରୁ ୨୦୧୪ ମେ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୮.୩୩ ପ୍ରତିଶତ ରହିଥିଲା। ଚଳିତମାସ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୯୫ ପ୍ରତିଶତ ଏବଂ ଗତବର୍ଷ ଏପ୍ରିଲରେ ୪.୨୩ ପ୍ରତିଶତ ରହିଥିଲା। ୨୦୨୨ ଜାନୁଆରି ମାସରୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହିଛି। ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ ସ୍ତରରେ ରଖିବା ପାଇଁ ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି। ତେବେ ଏଥିରେ ୨ ପ୍ରତିଶତ ହ୍ରାସ/ବୃଦ୍ଧିକୁ ଅନୁମତି ଦିଆଯାଇଛି। ଦେଶରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତମାସରେ ଅଚାନକ ମୁଦ୍ରାନୀତିକୁ କଠୋର କରିଛନ୍ତି। ରେ‌ପୋ ହାର ୪ ପ୍ରତିଶତରୁ ୪.୪୦ ପ୍ରତିଶତକୁ ବୃଦ୍ଧି କରିବା ସହିତ ନଗଦ ଜମା ଅନୁପାତ ମଧ୍ୟ ୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏପ୍ରିଲ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଫଳରେ ଆସନ୍ତାମାସରେ ମୁଦ୍ରାନୀତି ସମୀକ୍ଷା ସମୟରେ ରେପୋ ହାର ପୁନର୍ବାର ବଢ଼ିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର