ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୭.୬୧% ଛୁଇଁଲା, ଗତ ୬ ବର୍ଷରେ ସର୍ବୋଚ୍ଚ ସ୍ତର

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି । ଗତ ଅକ୍ଟୋବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ପୀତି ବିଗତ ୬ ବର୍ଷରେ ସର୍ବୋଚ୍ଚ ସ୍ତର ୭.୬୧ ପ୍ରତିଶତରେ ପହଞ୍ଚିଛି । ଏହା ଗତ ୨୦୧୪ ମେ ମାସରେ ମୋଦୀ ସରକାର କ୍ଷମତାକୁ ଆସିବାପରଠାରୁ ଖୁଚୁରା ମୁଦ୍ରାସ୍ପୀତିର ସର୍ବୋଚ୍ଚ ସ୍ତର ।

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ଋପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅକ୍ଟୋବର ମାସର ଦେଶର ଖୁଚୁରା ମୁଦ୍ରାସ୍ପୀତି ୭.୬୧ ପ୍ରତିଶତ ଥିଲା । ପୂର୍ବ ମାସ ଅର୍ଥାତ ସେପ୍ଟେମ୍ବର ମାସରେ ଏହା ୭.୨୭ ପ୍ରତିଶତ ଥିଲା ।

ଖାଦ୍ୟ ଓ ପାନୀୟ ମୁଦ୍ରାସ୍ପୀତି ୧୦.୧୬ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମୁଖ୍ୟ ମୁଦ୍ରାସ୍ପୀତି ୫.୪୭ ପ୍ରତିଶତକୁ ବୃଦ୍ଧି ପାଇଛି ।

ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପ୍ରବଳ ବର୍ଷା ଯୋଗୁଁ ଦେଶର କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ଦ୍ବାରା ଫସଲ ନଷ୍ଟ ହେବା ଯୋଗୁଁ ଆଳୁ, ପିଆଜ ଓ ପନିପରିବାର ଦର ବୃଦ୍ଧି ହୋଇଥିଲା । ଦେଶରେ ଅକ୍ଟୋବର ଶେଷ ସପ୍ତାହ ବେଳକୁ ପିଆଜ ଦର କିଲୋଗ୍ରାମ ପିଛା ୮୦ ଟଙ୍କା ଟପିଯାଇଥିଲା । ଏବେ ବି ଦେଶରେ ପନିପରିବା ଦର ବୃଦ୍ଧିପାଇଚାଲିଛି ।

ମୁଦ୍ରାସ୍ପୀତି ବଢିଚାଲିଥିବା ଯୋଗୁଁ ରିଜର୍ଭ ବ୍ୟାଙ୍କ ଆଗାମୀ ଦିନରେ ସୁଧହାର ଅପରିବର୍ତ୍ତିତ ରଖିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର