ଭୁବନେଶ୍ବର: ଓଡ଼ିଶାର ଦରଦାମ୍‌ ସ୍ଥିତି‌ରେ ମେ’ ମାସରେ ଆହୁରି ସୁଧାର ଘଟିଛି। ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୨୮ ପ୍ରତିଶତକୁ ହ୍ରାସ ପାଇଛି। ଗତ ଏପ୍ରିଲ୍‌ରେ ଏହି ହାର ୨.୫୦ ପ୍ରତିଶତ ଥିଲା। ମେ’ରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ହାର ଯଥାକ୍ରମେ ୨.୩୧ ପ୍ରତିଶତ ଓ ୨.୧୯ ପ୍ରତିଶତକୁ ହ୍ରାସ ପାଇଛି। ଏପ୍ରିଲ୍‌ରେ ଉଭୟ ଅଞ୍ଚଳର ଖୁଚୁରା ମୁଦ୍ରାସ୍ଫୀତି ହାର ଯଥାକ୍ରମେ ୨.୫୭ ପ୍ରତିଶତ ଓ ୨.୨୫ ପ୍ରତିଶତ ଥିଲା। 

Advertisment

ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬ ବର୍ଷରେ ସର୍ବନିମ୍ନ ସ୍ତର ୨.୮୨ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାର ସ୍ଥିତି ଜାତୀୟ ହାରଠାରୁ ଉନ୍ନତ ରହିଛି। ୨୦୨୪ ଜୁନ୍‌ରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ଏହାର ସର୍ବୋଚ୍ଚ ସ୍ତର ୭.୨୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଦରଦାମ୍ ସ୍ଥିତି ପ୍ରାୟ ଡି‌ସେମ୍ବର ପର୍ଯ୍ୟନ୍ତ ବେଲଗାମ ରହିଥିଲା। ୨୦୨୫ ଆରମ୍ଭ ପରଠାରୁ ସ୍ଥିତିରେ ଲଗାତାର ଭାବେ ସୁଧାର ହେଉଛି।
ଖାଦ୍ୟ ଓ ପାନୀୟ ଦାମ୍‌ ଲଗାତାର ଭାବେ ହ୍ରାସ ପାଉଥିବାରୁ ଦରଦାମ୍‌ ସ୍ଥିତିରେ ସୁଧାର ଘଟୁଛି। ଗତ ମେ’ରେ ଶସ୍ୟ, ପନିପରିବା ଫଳ, ଡାଲି ଆଦିର ଦାମ୍ କମ୍ ହୋଇଛି। ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪ ପ୍ରତିଶତରୁ କମ୍ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ତେଣୁ ଏବର୍ଷ ଲୋକମାନଙ୍କୁ ଦରଦାମ୍‌ ଏତେଟା କଲବଲ କରିବ ନାହିଁ ବୋଲି ଅନୁମାନ କରାଯାଉଛି। କିନ୍ତୁ ଫସଲ ଅମଳ, ଘରୋଇ ନିବେଶ, ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେବା ଭଳି ବିଭିନ୍ନ କାରକ ଉପରେ ଦରଦାମ୍‌ ନିର୍ଭର କରୁଛି। ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକର ପ୍ରଭାବ ମଧ୍ୟ ବଜାର ଉପରେ ରହିଛି।