ଏପ୍ରିଲ୍‌ରୁ ହାତକୁ ଆସୁଥିବା ଦରମା କମିବ, ଅବସରକାଳୀନ ପାଣ୍ଠି ବଢ଼ିବ

ନୂଆଦିଲ୍ଲୀ: ବେତନଭୋଗୀମାନଙ୍କ ହାତକୁ ଆସୁଥିବା ଦରମା ଆସନ୍ତା ବର୍ଷ ଏପ୍ରିଲ୍‌ ଠାରୁ ହ୍ରାସ ପାଇବ। କେନ୍ଦ୍ର ସରକାର ଆଣିଥିବା ମଜୁରି କୋଡ୍ ୨୦୧୯କୁ ଏପ୍ରିଲ୍‌ ୧ରୁ କାର୍ଯ୍ୟକାରୀ କରାଯିବ। ସେଥିରେ ରହିଥିବା କେତେକ ବ୍ୟବସ୍ଥା ଯୋଗୁଁ ଏବେ ହାତକୁ ଯେତିକି ବେତନ ରାଶି ଆସୁଛି ତାହା କମିଯିବ। କିନ୍ତୁ ଦୀର୍ଘମିଆଦୀ ଭିତ୍ତିରେ ତାହା କର୍ମଚାରୀମାନଙ୍କ ପାଇଁ ଲାଭଦାୟକ ହେବ। କାରଣ ସେମାନଙ୍କ ଅବସରକାଳୀନ ପାଣ୍ଠି ବୃଦ୍ଧି ହେବ। ବେତନଭୋଗୀମାନେ ପାଉଥିବା ଦରମାରେ ମୂଳ ଦରମା, ମହଙ୍ଗା ଭତ୍ତା, ଗ୍ରାଚୁଇଟି, ବୋନସ୍, ଇପିଏଫ୍‌ ଦେୟ ଭଳି ଅନେକ ପ୍ରକାର ଉପାଦାନ ରହିଛି। ମଜୁରି କୋଡ୍‌ ୨୦୧୯ ଅନୁସାରେ ବେତନରେ ମୂଳ ଦରମା ବା ବେସିକ୍‌ ପେ’ର ଭାଗ ଅତିକମ୍‌ରେ ୫୦ ପ୍ରତିଶତ ରହିବ।

ଏହି ନିୟମ ପାଳନ କରିବା ଲାଗି କଂପାନିଗୁଡ଼ିକ ବେସିକ୍‌ ପେ’ ୫୦% ପର୍ଯ୍ୟନ୍ତ ବଢ଼ାଇବାକୁ ହେବେ। ତାହା ହେଲେ କଂପାନିଗୁଡ଼ିକୁ ଗ୍ରାଚୁଇଟି ଓ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଦେୟ ବାବଦ ବ୍ୟୟ ବଢ଼ାଇବାକୁ ପଡ଼ିବ। ଏହା କର୍ମଚାରୀମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଏବେ ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକ ବେସିକ୍‌ ପେ’ ୫୦%ରୁ କମ୍ ରଖୁଥିବା ବେଳେ ଭତ୍ତା ଉପାଦାନ ଅଧିକ ରଖୁଛନ୍ତି। ଫଳରେ ସେମାନଙ୍କୁ କେବଳ ବେସିକ୍‌ ପେ’ ଆଧାରରେ ଗ୍ରାଚୁଇଟି କିମ୍ବା ଇପିଏଫ୍‌ ଦେୟ ଦେବାକୁ ପଡ଼ୁଛି। ଯେହେତୁ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଭତ୍ତା ଆକାରରେ ଅଧିକ ଟଙ୍କା ପାଇଥାନ୍ତି, ତେଣୁ ନୂଆ ନିୟମ ଲାଗୁ ହେବା ପରେ ସେମାନଙ୍କ ହାତକୁ ଆସୁଥିବା ଦରମା ରାଶି ହ୍ରାସ ପାଇବ।

ସମ୍ବନ୍ଧିତ ଖବର