ଫେରିଲା ୮୦ ହଜାର କୋଟି ଋଣ

ଏନ୍‌ସିଏଲ୍‌ଟିରେ ସଫଳତା

ନୂଆଦିଲ୍ଲୀ, ଇନ୍‌ସଲ୍‌ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି କୋଡ୍ (ଆଇବିସି) ଲାଗୁ ହେବା ପରେ ଫସି ରହିଥିବା କର୍ପୋରେଟ୍ ଋଣ ହାସଲ କରିବା ସହଜ ହୋଇଛି। ୨୦୧୮ରେ ବ୍ୟାଙ୍କଗୁଡ଼ିକ ୮୦ ହଜାର କୋଟି ଟଙ୍କାର ଋଣ ରାଶି ଫେରିପାଇଛନ୍ତି। ଏହି ପ୍ରକ୍ରିୟାରେ ଭୂଷଣ ଷ୍ଟିଲ୍‌, ଇଲେକ୍ଟ୍ରୋଷ୍ଟିଲ୍ ଷ୍ଟିଲ୍‌ ଓ ବିନାନି ସିମେଣ୍ଟ୍‌କୁ ବିକ୍ରି କରାଯାଇଥିଲା। ଭୂଷଣ ଷ୍ଟିଲ୍‌କୁ ଟାଟା ଷ୍ଟିଲ୍‌ କିଣିଥିବା ବେଳେ ଇଲେକ୍ଟ୍ରୋଷ୍ଟିଲ୍‌ ଷ୍ଟିଲ୍‌କୁ ବେଦାନ୍ତ ଓ ବିନାନି ସିମେଣ୍ଟ୍‌କୁ ଅଲ୍‌ଟ୍ରାଟେକ୍ ସିମେଣ୍ଟ୍‌ କିଣିଛି।
ଋଣ ଖିଲାପ କରିଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି)କୁ ଟାଣି ବ୍ୟାଙ୍କଗୁଡ଼ିକ ନିଜର ଫସି ରହିଥିବା ଋଣ ରାଶି ଫେରିପାଇଛନ୍ତି। ଏନ୍‌ସିଏଲ୍‌ଟିରେ ମାମଲାର ବିଚାର ଚାଲିବା ପରେ ଋର ଫେରାଉନଥିବା କଂପାନିଗୁଡ଼ିକୁ ନିଲାମ କରାଯାଉଛି। ସେହି କଂପାନିଗୁଡ଼ିକୁ ହାତଇେବା ପାଇଁ ବଡ଼ ବଡ଼ କଂପାନି ପରଷ୍ପର ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୨୦୧୯ରେ ଏନ୍‌ସିଲ୍‌ଟି ଯୋଗୁ ଲକ୍ଷେ କୋଟି ଟଙ୍କାରୁ ଅଧିକ ଋଣ ରାଶି ବ୍ୟାଙ୍କ ପାଖକୁ ଫେରି ଆସିବ ବୋଲି ଆଶା କରାଯାଉଛି। କାରଣ ଆସନ୍ତା ବର୍ଷ ଏସାର୍‌ ଷ୍ଟିଲ୍‌ (୮୦ ହଜାର କୋଟି ଟଙ୍କା), ଭୂଷଣ ପାୱାର ଆଣ୍ଡ୍ ଷ୍ଟିଲ୍ (୪୫ ହଜାର କୋଟି ଟଙ୍କା) ଭଳି ବଡ଼ ମାମଲାର ଫଇସଲା ହେବ। ଏହା ବ୍ୟତୀତ ଭିଡିଓକନ୍‌ ଗ୍ରୁପ୍, ମନେଟ୍ ଇସ୍ପାତ, ଆମ୍‌ଟେକ୍ ଅଟୋ, ରୁଚି ସୋୟା, ଲାଙ୍କୋ ଇନ୍‌ଫ୍ରା ଓ ଜେପି ଇନ୍‌ଫ୍ରାଟେକ୍ ଭଳି ସଂସ୍ଥାର ଦେବାଳିଆ ମାମଲାର ସମାଧାନ କରାଯିବ। ଅନିଲ ଅମ୍ବାନିଙ୍କ ରିଲାଏନ୍ସ କମ୍ୟୁନିକେସନ୍, ଆଲୋକ ଇଣ୍ଡଷ୍ଟ୍ରିଜ୍, ଜ୍ୟୋତି ଷ୍ଟ୍ରକ୍‌ଚର୍ସ ଓ ଏଜିବି ସିପ୍‌ୟାର୍ଡର ମାମଲାର ମଧ୍ୟ ଏନ୍‌ସିଏଲ୍‌ଟିରେ ବିଚାର ଚାଲିଛି।
୨୦୧୬ ଡିସେମ୍ବରରେ ବ୍ୟାଙ୍କରପ୍‌ସି କୋଡ୍ ଲାଗୁ କରାଯାଇଥିଲା। ଏହାର ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ଯୋଗୁ ବ୍ୟାଙ୍କଗୁଡ଼ିକ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ରାଶି ଫେରିପାଇଛନ୍ତି ବୋଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି।

ସମ୍ବନ୍ଧିତ ଖବର