ନୂଆଦିଲ୍ଲୀ: ଆକାଉଣ୍ଟ ବ୍ଲକ୍ ନିର୍ଦ୍ଦେଶକୁ ନେଇ ପୁଣି ଥରେ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ବିଟର୍) ଓ ଭାରତ ସରକାର ମୁହାଁମୁହିଁ ହୋଇଛନ୍ତି। ବିଶ୍ବସ୍ତରୀୟ ଖବର ସରବରାହ ସଂସ୍ଥା ରଏଟର୍ସର ଏକ୍ସ ଆକାଉଣ୍ଟ ବନ୍ଦ କରାଯିବା ପରେ ଏହି ବିବାଦ ଦେଖାଦେଇଛି। ଏହି ଘଟଣା ଉପରେ ଏକ୍ସ କଡ଼ା ପ୍ରତିକ୍ରିୟା ରଖି ସରକାରଙ୍କୁ ଟାର୍ଗେଟ୍ କରିଛି। ଏହା ଜଣାଇଛି ଯେ ଜୁଲାଇ ୨ରେ ଭାରତରେ ୨୩୫୫ଟି ଆକାଉଣ୍ଟ୍କୁ ବ୍ଲକ୍ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ତାଲିକାରେ ରଏଟର୍ସ ଓ ରଏଟର୍ସ ୱାର୍ଲଡ୍ର ଆକାଉଣ୍ଟ ଥିଲା। ଆଇଟି ନିୟମର ଧାରା ୬୯ଏ ଆଧାରରେ ଏହି ନିର୍ଦେଶ ଜାରି କରାଯାଇଥିଲା ଯାହାକୁ ପାଳନ ନ କଲେ ଅପରାଧିକ ମାମଲା ହେବାର ଆଶଙ୍କା ରହିଛି। କୌଣସି ଠୋସ୍ କାରଣ ନ ଦର୍ଶାଇ ଘଣ୍ଟାଏ ଭିତରେ ଆକାଉଣ୍ଟକୁ ବ୍ଲକ୍ କରିବା ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ତାହାକୁ ସକ୍ରିୟ ନ କରିବାକୁ ଭାରତର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲା ବୋଲି ଏକ୍ସ ଅଭିଯୋଗ କରିଛି। ଭାରତରେ ଗଣମାଧ୍ୟମ ଉପରେ ଲଗାଯାଉଥିବା ଅଙ୍କୁଶକୁ ନେଇ ଏକ୍ସ ଗଭୀର ଚିନ୍ତା ପ୍ରକଟ କରିଛି।
ଆକାଉଣ୍ଟ୍ ବ୍ଲକ୍ କରିବାକୁ କୁହାଯାଇଥିଲା: ଏକ୍ସ
କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା: କେନ୍ଦ୍ର
ତେବେ ‘ଏକ୍ସ’ର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଆଇଟି ମନ୍ତ୍ରଣାଳୟ ପ୍ରବକ୍ତା କହିଛନ୍ତି ଯେ ଜୁଲାଇ ୨ରେ କୌଣସି ନୂଆ ବ୍ଲକିଂ ନିର୍ଦେଶ ଦିଆଯାଇନଥିଲା। ରଏଟର୍ସ ଓ ରଏଟର୍ସ ୱାର୍ଲଡ୍ ସମେତ କୌଣସି ପ୍ରମୁଖ ଅନ୍ତର୍ଜାତୀୟ ଖବର ସଂସ୍ଥାକୁ ବ୍ଲକ୍ କରିବାର କୌଣସି ଅଭିପ୍ରାୟ ନଥିବା ସେ କହିଛନ୍ତି। ଦୁଇ ସଂସ୍ଥାର ଆକାଉଣ୍ଟ ବ୍ଲକ୍ ହେବା ପରେ ତାହାକୁ ତୁରନ୍ତ ସକ୍ରିୟ କରିବାକୁ ସରକାର ‘ଏକ୍ସ’କୁ କହିଥିଲେ। ଜୁଲାଇ ୫ ସନ୍ଧ୍ୟା ପରଠାରୁ ସରକାର ଲଗାତାର ଭାବେ ‘ଏକ୍ସ’ ସହ ଯୋଗାଯୋଗରେ ଥିଲେ। ‘ଏକ୍ସ’ ନିୟମରେ ଥିବା ବ୍ୟବସ୍ଥାକୁ ଅଯଥାରେ ଅପବ୍ୟବହାର କରିଥିଲା ଏବଂ ୟୁଆର୍ଏଲ୍କୁ ସକ୍ରିୟ କରି ନଥିଲା ବୋଲି ସରକାର ପାଲଟା ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରତି ଘଣ୍ଟାରେ ବାରମ୍ବାର ଏକ୍ସକୁ ମନେ ପକାଯାଉଥିଲା। ଦୀର୍ଘ ୨୧ ଘଣ୍ଟା ବିତିବା ପରେ ଜୁଲାଇ ୬ ତାରିଖ ରାତି ୯ଟାରେ ଦୁଇ ଆକାଉଣ୍ଟକୁ ଏକ୍ସ ସକ୍ରିୟ କରିଥିଲା। ରଏଟର୍ସ ଓ ରଏଟର୍ସ ୱାର୍ଲଡ୍ ଆକାଉଣ୍ଟ ବ୍ଲକ୍ ପଛରେ ଆମର କୌଣସି ଭୂମିକା ନଥିବା ସରକାର ସ୍ପଷ୍ଟ କରିଛନ୍ତି।