ଭୁବନେଶ୍ବର: କୋର୍ଟ କଚେରି ମାମଲାରେ ୧୦,୫୪୩.୪୧ କୋଟି ଟଙ୍କାର ରାଜସ୍ବ ଫସିରହିଛି। ଅଦାଲତ ରହିତାଦେଶ ଲଗାଇଥିବାରୁ ଏହି ରାଜସ୍ବ ଆଦାୟ କରାଯାଇପାରୁନାହିଁ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ତେବେ ରହିତାଦେଶ ଉଠାଇବା ଓ ଆଦାୟ ହୋଇପାରୁନଥିବା ରାଜସ୍ବ ପାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଫେବ୍ରୁ୍ଆରି ଶେଷ ସୁଦ୍ଧା ଜଳ ସମ୍ପଦ ବିଭାଗର ସର୍ବାଧିକ ୬୨୪୦.୦୪ କୋଟି ଟଙ୍କାର ଜଳ କର ଅନାଦେୟ ରହିଛି। ସେହିପରି, ଇସ୍ପାତ ଓ ଖଣି ବିଭାଗର ୧୮୫୯.୫୭ କୋଟି ଟଙ୍କାର ଖଣିଜ ରାଜସ୍ବ ଅସୁଲ ହୋଇପାରିନାହିଁ।
୨୦୨୫ ମାର୍ଚ୍ଚ ସୁଦ୍ଧା ଅର୍ଥ ବିଭାଗର ୧୬୬୧.୨୪ କୋଟି ଟଙ୍କାର ବାଣିଜ୍ୟ କର ଅନାଦେୟ ରହିଛି। ଚଳିତ ବର୍ଷ ଜାନୁଆରି ସୁଦ୍ଧା ଶକ୍ତି ବିଭାଗର ୭୨୪.୮୦ କୋଟି ଟଙ୍କାର ବିଦ୍ୟୁତ୍ କର ଓ ଶୁଳ୍କ ଅନାଦେୟ ରହିଛି। ପରିବହନ ବିଭାଗର ୪୫.୬୨ କୋଟି ଟଙ୍କାର ଯାନବାହନ କର ଓ ଅବକାରୀ ବିଭାଗର ୧୨.୧୪ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇପାରିନାହିଁ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜଣାଇଛନ୍ତି ଯେ ଅନାଦେୟ ଟିକସ ପାଇବା ଲାଗି ଆପୋଷ ଆଲୋଚନା ମାଧ୍ୟମରେ ଏକକାଳୀନ ବକେୟା ଦେୟ ଯୋଜନା ଯୋଜନା ପ୍ରଚଳନ କରାଯାଇଛି। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରାଧୀନ ଥିବା ବାଣିଜ୍ୟ କର ମାମଲାଗୁଡ଼ିକର ଫଇସଲା ଲାଗି ପଦକ୍ଷେପ ନିଆଯାଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ବକେୟା ଟିକସ ମାମଲାର ଫଇସଲା ପାଇଁ ରାଜ୍ୟ ବିବାଦ ସମାଧାନ କମିଟି ଦ୍ବାରା ଆପୋଷ ସମାଧାନ ଉଦ୍ୟମ କରାଯାଉଛି।