ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ଭୀଷଣ ବାଧା ପାଇଥିବା କାରଣରୁ ଆର୍ଥିକ ବର୍ଷ ୨୧ର ପ୍ରଥମ ତିନି ମାସରେ ଭାରତୀୟ ଏୟାର୍‌ଲାଇନ୍ସ୍‌ର ରାଜସ୍ବ ୮୫%ରୁ ଅଧିକ ହ୍ରାସ ପାଇ ୩, ୬୫୧ କୋଟି ଟଙ୍କାକୁ ଖସି ଆସିଛି।

Advertisment

ବୁଧବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାରେ ଏକ ଲିଖିତ ବିବୃତିରେ କହିଛନ୍ତି ଯେ, ବର୍ଷକ ତଳର ଏହି ସମୟ ତୁଳନାରେ ଭାରତୀୟ ଏୟାର୍‌ଲାଇନ୍‌ ସବୁ ୮୫.୭% ରାଜସ୍ବ କ୍ଷତି ସହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ବିମାନଗୁଡ଼ିକରେ ମଧ୍ୟ କର୍ମଚାରୀ ସଂଖ୍ୟା ୭. ୦୭% ହ୍ରାସ ପାଇଛି। ମାର୍ଚ ୩୧ ତାରିଖରେ କର୍ମଚାରୀ ସଂଖ୍ୟା ୭୪, ୮୮୭ ଥିବା ବେଳେ ଜୁଲାଇ ୩୧ରେ ସେମାନଙ୍କ ସଂଖ୍ୟା ୬୯, ୫୮୯କୁ ହ୍ରାସ ପାଇଛି।

ଏପ୍ରିଲ୍‌-ଜୁନ୍ ୨୦୧୯ରେ ୫, ୭୪୫ କୋଟି ଟଙ୍କା ଥିବା ବିମାନବନ୍ଦର ପରିଚାଳକଙ୍କ ରାଜସ୍ବ ଏପ୍ରିଲ୍-ଜୁନ୍ ୨୦୨୦ରେ ୮୯୪ କୋଟି ଟଙ୍କାକୁ ଖସି ଆସିଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ସମଗ୍ର ଦେଶରେ କୋଭିଡ୍‌ କଟକଣା ଯୋଗୁଁ ମାର୍ଚ ୨୫ ରୁ ମେ ୨୪ ପର୍ଯ୍ୟନ୍ତ ଘରୋଇ ବିମାନ ସେବା ବାତିଲ ହୋଇଥିଲା। ମେ ୨୫ ତାରିଖ ଦିନ କାଣ୍ଟଛାଣ୍ଟ କରାଯାଇ ଘରୋଇ ବିମାନସେବା ଆରମ୍ଭ ହୋଇଛି।