୨୩ଟି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା

ଭୁବନେଶ୍ବର: ଭାରତ ସରକାରଙ୍କ ଥିବା ପ୍ରକଳ୍ପ ନିରୀକ୍ଷଣ ଦଳ (ପିଏମ୍‌ଜି)ର ନିବେଶ ସମ୍ପର୍କିତ କ୍ୟାବିନେଟ୍ କମିଟି ପକ୍ଷରୁ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ୨୫ଟି ପ୍ରମୁଖ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରାଯାଇଛି। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୬ଟି ରେଳ ପ୍ରକଳ୍ପ, ଦୁଇଟି ଜାତୀୟ ରାଜପଥ, ଏମ୍‌ସିଏଲ୍‌ର ଦୁଇଟି କୋଇଲା ପ୍ରକଳ୍ପ, ଏନ୍‌ଟିପିସିର ଟିଟିପିଏସ୍‌ ପ୍ରକଳ୍ପ, ଇଣ୍ଡିଆନ ଅଏଲ୍‌ର ଏକ ବିଶୋଧନାଗାର ଓ ଅଶୋଧିତ ତୈଳ ପାଇପ୍‌ଲାଇନ୍ ପ୍ରକଳ୍ପ, ଗେଲ୍‌ର ଦୁଇଟି ଗ୍ୟାସ୍‌ ପାଇପ୍‌ଲାଇନ୍ ପ୍ରକଳ୍ପ ଓ ଡାଲ୍‌ମିଆ ସିମେଣ୍ଟ୍‌ର ଗୋଟିଏ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା ହୋଇଥିଲା। ଏହା ସହିତ ଜଙ୍ଗଲ ମଞ୍ଜୁରି, କ୍ଷତିପୂରଣ ବଣ୍ଟନ, ବନ୍ୟଜନ୍ତୁ ମଞ୍ଜୁରି, ଜମି ପାଇବା, ଜବରଦଖଲ ହଟାଇବା, ପରିବେଶ ମଞ୍ଜୁରି ଭଳି ପ୍ରାୟ ୯୫ଟି ପ୍ରମୁଖ ଓ ଲଘୁ ସମସ୍ୟାଗୁଡ଼ିକୁ ବିଷୟରେ ଆଲୋଚନା ହେବା ସହ ସେଗୁଡ଼ିକର ସମାଧାନ କରାଯାଇଥିଲା। ଏହି ସବୁ ପ୍ରକଳ୍ପରେ ୭୩,୩୬୨ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ଓ ପରିବହନ ସଚିବ ମଧୁସୂଦନ ପାଢ଼ୀଙ୍କ ଉପସ୍ଥିତିରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। କ୍ଷେତ୍ର ଭିତ୍ତିରେ ଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇଥିବାରୁ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା, ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ଆଜି ମୁଖ୍ୟ ସଚିବ ଆହ୍ବାନ ଦେଇଛନ୍ତି। ନିର୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ଶ୍ରୀ ମହାପାତ୍ର ଜୋର ଦେଇଛନ୍ତି। ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜିଲ୍ଲାପାଳମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର