ବୃହତ ନିବେଶ, ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବୃହତ ପୁଞ୍ଜିନିବେଶ ଓ ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରାଯାଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (ସିସିଆଇପିଏମ୍‌ଜି) ବୈଠକ ଏହି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା। ଓଡ଼ିଶାର ୧୬୫ଟି ବୃହତ୍ ପୁଞ୍ଜିନିବେଶ ପ୍ରକଳ୍ପ ମଧ୍ୟରୁ ପ୍ରାୟ ଶତକଡ଼ା ୮୦ ଭାଗ ପ୍ରକଳ୍ପ ବିଶେଷ ଅଗ୍ରଗତି କରିଛି । ଅବଶିଷ୍ଟ ଶତକଡ଼ା ୨୦ ଭାଗ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବେଳେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପନ୍ଥା ମଧ୍ୟ ତ୍ୱରାନ୍ୱିତ ଭାବେ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇଛି ।

ବୈଠକରେ ୩୩ ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏ ସବୁ ଦ୍ୱାରା ରେଳବାଇ, ଜାତୀୟ ରାଜପଥ, ତୈଳ ଓ ଗ୍ୟାସ୍, କୃଷି ଖଣି, ସିମେଣ୍ଟ ଉତ୍ପାଦନ ଓ ଟେଲି-ଯୋଗାଯୋଗ ଆଦି କ୍ଷେତ୍ରରେ ପ୍ରାୟ ୧,୨୬,୨୮୯ କୋଟି ଟଙ୍କା ବିନିଯୋଗ ହେବ । ରେଳବାଇ କ୍ଷେତ୍ରରେ ବାଂଶପାଣି-ଜଖପୁରା ରେଳ ଲାଇନ୍ ଦୋହରୀକରଣ, ରାଉରକେଲା-ଝାରସୁଗୁଡ଼ା ରେଳ ଟ୍ରାକ୍‌ର ୩ୟ ଲାଇନ୍, ଭଦ୍ରକ-ନେରର୍ଗୁଣ୍ଡି ଟ୍ରାକ୍‌ର ୩ୟ ଲାଇନ୍, ହାତିଆ-ବଣ୍ଡମୁଣ୍ଡା ରେଳ ଲାଇନ୍ର ଦୋହରୀକରଣ, ବୁଢ଼ାପଙ୍କ-ଶାଳଗାଁ ରେଳ ଟ୍ରାକର ୩ୟ ଏବଂ ୪ର୍ଥ ଲାଇନ୍, ବିଜୟ ନଗରମ୍-ଟିଟିଲାଗଡ଼ ଟ୍ରାକର୍ ୩ୟ ଲାଇନ୍, ସମ୍ବଲପୁର-ତାଳଚେର ଲାଇନ୍ର ଦୋହରୀକରଣ, ଖୋର୍ଦ୍ଧା-ବଲାଙ୍ଗିର ବ୍ରୋଡ୍ ଗଜ୍ ଲାଇନ୍, ତାଳଚେର-ବିମଲାଗଡ଼ ନୂଆ ଲାଇନ୍, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ୍, ଜାରପଡା-ବୁଢ଼ାପଙ୍କ ଲାଇନ୍ ପାଇଁ ତାଳଚେରଠାରେ ଫ୍ଲାଏ ଓଭର, ବଣ୍ଡମୁଣ୍ଡା-ରାଉରକେଲା ୪ର୍ଥ ଲାଇନ୍‌, ଝାରସୁଗୁଡ଼ା-ବିଳାଶପୁର ରେଳ ଟ୍ରାକ୍‌ର ୪ର୍ଥ ଲାଇନ୍, ଏବଂ ସମ୍ବଲପୁର-ଟିଟିଲାଗଡ଼ ରେଳ ଟ୍ରାକ୍‌ର ଦୋହରୀକରଣ ଆଦି ପ୍ରକଳ୍ପର ସମୀକ୍ଷାରେ ସ୍ଥାନ ପାଇଥିଲା।

ସେହିପରି ପାରାଦ୍ୱୀପ-ହାଇଦ୍ରାବାଦ ଉତ୍ପାଦ ପରିବହନ ପାଇପ୍ ଲାଇନ୍, ଏମ୍‌ସିଏଲ୍‌ର ୩ଟି କୋଇଲା ଖଣି ପ୍ରକଳ୍ପ, ନାଲ୍‌କୋର ୨ଟି କୋଇଲା ଖଣି ପ୍ରକଳ୍ପ ଆଦିର ଅଗ୍ରଗତି ସମୀକ୍ଷା ହୋଇଥିଲା। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୭ଟି ରାଜପଥ ଉନ୍ନୟନ ପ୍ରକଳ୍ପ, ନାଲ୍‌କୋର ୫ମ ଷ୍ଟ୍ରିମ୍ ରାଇଫାଇନାରୀ ସଂପ୍ରସାରଣ ପ୍ରକଳ୍ପ, ପଟ୍ଟାଙ୍ଗି ବକ୍ସାଇଟ୍ ଖଣି ବିକାଶ, କୋଡାମେଟ୍ଟା ଚୁନପଥର ବ୍ଲକ୍, ଡାଲ୍‌ମିଆ ସିମେଣ୍ଟ୍, ଆନନ୍ଦପୁର ସମନ୍ୱିତ ବ୍ୟାରେଜ୍ ଏବଂ ଭାରତ ନେଟ୍ ଆଦି ପ୍ରକଳ୍ପର ଅଗ୍ରଗତି କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରାଯାଇ ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ସବୁ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଜମି ଅନୁମତି, କ୍ଷତିପୁରଣ ଆବଣ୍ଟନ, ସତ୍ତ୍ୱାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟପାଇଁ ଆଗୁଆ ଅନୁମତି, କ୍ଷତିପୂରକ ବନୀକରଣ, ବିଦ୍ୟୁତ୍ ଏବଂ ଫୋନ୍ ସଂଚାର ଲାଇନ୍‌ର ସ୍ଥାନାନ୍ତରୀକରଣ, ପରିବେଶ ଅନୁମତି, ଜମି ହସ୍ତାନ୍ତରକରଣ ଆଦି ପ୍ରାୟ ୮୨ ଟି ବିଭିନ୍ନ ସମସ୍ୟାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥାମାନ ନିର୍ଦ୍ଧାରଣ କରାଯାଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର