ଭୁବନେଶ୍ବର: ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ ଲାଗି ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ଧାରଣ କରାଯାଇଥିବା ବିଭିନ୍ନ ମାନଦଣ୍ଡ ଅନୁସାରେ ସେ ସମୀକ୍ଷା କରିବା ସହ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଛନ୍ତି। ଅଗ୍ନି ଏବଂ ଅନ୍ୟାନ୍ୟ ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ନିର୍ଦେଶ ଦେଇଛନ୍ତି।
ଆଜି ଜନତା ମୈଦାନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶକ୍ତି ବିଭାଗର ପ୍ରମୁଖ ସଚିଚ ଏନ୍ ବି ଧଳ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କଟକ-ଭୁବନେଶ୍ବର କମିସନରେଟର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତୀ, ଡିସିପି ପ୍ରତୀକ ସିଂହ ଏବଂ ବିଡିଏ, ବିଏମ୍ସି, ଟିପିସିଓଡିଏଲ୍, ସ୍ବାସ୍ଥ୍ୟ, ଅଗ୍ନିଶମ, ପିଡବ୍ଲୁଡି, ୱାଟ୍କୋ ଏବଂ ଇଡ୍କୋର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଚଳିତ ମାସ ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ କନ୍କ୍ଲେଭ୍ର ତୃତୀୟ ସଂସ୍କରଣ ଆୟୋଜନ କରାଯିବ। କନ୍କ୍ଲେଭ୍ ପ୍ରସ୍ତୁତି କାର୍ଯ୍ୟର ପରବର୍ତୀ ସମୀକ୍ଷା ଚଳିତ ମାସ ୨୭ରେ କରାଯିବ।